Below header

ଆଜି ରାଜ୍ୟ ମହିଳା କମିଶନ ନିକଟରେ ହାଜର ହୋଇପାରନ୍ତି OTV ଏମ୍‌ଡି ଜଗି ମଙ୍ଗତ ପଣ୍ଡା

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ତଥା ପୀଡ଼ିତାଙ୍କ ମାଆଙ୍କୁ କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ମାମଲାରେ OTV ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ୍‌ ଜାରି ହୋଇଛି । ଆଜି ହାଜର ହେବାକୁ ନୋଟିସ୍‌ ଜାରି କରିଛନ୍ତି ରାଜ୍ୟ ମହିଳା କମିଶନ । ଏହା ସହ ମାମଲାରେ ଓଟିଭିର ସିଇଓ ଏବଂ ବିଶାଖା କମିଟିର ଅଧିକାରୀଙ୍କୁ ମଧ୍ୟ ନୋଟିସ କରାଯାଇଛି । ଆଜି ଦିନ ୧୨ଟା ୩୦ରେ ଏମାନଙ୍କୁ ହାଜିରା ପାଇଁ କୁହାଯାଇଛି । ଲକଡାଉନ୍‌ ସମୟରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଗତ ଅଗଷ୍ଟ ୩୦ ତାରିଖରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଥିଲେ ପୀଡ଼ିତାଙ୍କ ମାଆ ।

ଓଟିଭିର ଦୁଇ ଜଣ କର୍ମଚାରୀ, ଦୁଇ ଜଣ ସୁରକ୍ଷାକର୍ମୀ ଏବଂ ଜଣେ ପୋଲିସ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଅଭିଯୋଗ ଅଣାଯାଇଥିଲା । ଏହି ମାମଲାରେ ଓଟିଭିର କିଛି କର୍ମଚାରୀଙ୍କୁ ପୂର୍ବରୁ ପଚରାଉଚରା କରିଥିଲା କମିଶନରେଟ ପୋଲିସ । ପରେ ଏହି ମାମଲା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ହେଲେ ଏଯାଏ କାହାରିକୁ ଗିରଫ କରାଯାଇପାରିନାହିଁ । ଘଟଣା ସଂପର୍କରେ ମହିଳା ଜଣକ ଓଟିଭି ଏମଡିଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଥିବା କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.