ରୋଗୀଙ୍କୁ ଏକ୍ସପାୟାରୀ ସାଲାଇନ୍ ଦେଲେ ମେଡିକାଲ କର୍ମଚାରୀ
ସମ୍ବଲପୁର (କେନ୍ୟୁଜ) : ପୁଣି ଦାୟିତ୍ୱହୀନତାର ଛାପ ଛାଡିଲା ମେଡିକାଲ। ରୋଗୀଙ୍କୁ ଦିଆଯାଉଛି ଏକ୍ସପାୟାରୀ ସାଲାଇନ୍। ରୋଗ ଭଲ ହେବ କଣ ଓଲଟି ବଢ଼ିଯାଉଛି। ରୋଗୀଙ୍କ ଜୀବନ ସହିତ ଖେଳୁଛନ୍ତି ମେଡିକାଲ କର୍ମଚାରୀ। ରୋଗୀଟିଏ ଭଲ ହେବା ପାଇଁ ଡାକ୍ତରଖାନାକୁ ଦୌଡିଯାଏ। ଆଉ ଡାକ୍ତରଙ୍କୁ ମାନିନିଏ ଭଗବାନ। କିନ୍ତୁ ଥରେ ଭାବନ୍ତୁ ଯଦି ସେହି ରୋଗୀକୁ ଦିଆଯାଏ ଏକ୍ସପାୟାରୀ ସାଲାଇନ୍ ସେତେବଳେ କଣ ହେବ ସେହି ରୋଗୀର ଅବସ୍ଥା।
ସମ୍ବଲପୁର ସଦର ହସ୍ପିଟାଲରେ ରୋଗୀଙ୍କୁ ଦିଆଯାଇଛି ଏକ୍ସପାୟାରୀ ସାଲାଇନ୍। ଜିଲ୍ଲା ସଦର ହସ୍ପିଟାଲର ସଂକ୍ରମଣ ବିଭାଗରେ ଏଭଳି ଦାୟିତ୍ୱହୀନତା ଦେଖିବାକୁ ମିଳିଛି। ସରୋଜ ସାହୁ ନାମକ ଜଣେ ରୋଗୀଙ୍କୁ ଅବଧି ଶେଷ ହୋଇଯାଇଥିବା ଏକ ସଲାଇନ ଦିଆଯାଇଛି। ସାଲାଇନଟି ଫେବୃଆରୀ ୨୦୧୯ ତାରିଖରେ ପ୍ରସ୍ତୁତ ହୋଇଥିବା ବେଳେ ଜାନୁଆରୀ ୨୦୨୧ ମସିହାରେ ତାର ଅବଧି ଶେଷ ହୋଇଯାଇଛି। କିନ୍ତୁ କିଭଳି ଭାବରେ ଡିଉଟିରେ ଥିବା କର୍ମଚାରୀ ସଲାଇନର ଅବଧିକୁ ନ ଦେଖି ରୋଗୀଙ୍କୁ ସାଲାଇନ ଦେଲେ ତାହା ଏବେ ଚିନ୍ତାର ବିଷୟ।
ଏ ବାବଦରେ admoଙ୍କୁ ପଚରା ଯିବା ପରେ ସେ କହିଛନ୍ତି ଯେ ସବୁଦିନ ଶହ ଶହ ରୋଗୀଙ୍କୁ ସାଲାଇନ ଦିଆହେଉଛି।ସମସ୍ତ ଔଷଧ ର ଅବଧି ଦେଖି ରୋଗୀଙ୍କୁ ଦେବା କର୍ମଚାରୀଙ୍କ ଦାୟିତ୍ୱ। ଯଦି କିଛି ତ୍ରୁଟି ରହିଛି ସେ ବାବଦରେ ତଦନ୍ତ କରାଯିବ ଏବଂ ଯିଏ ଦୋଷୀ ସାବ୍ଯସ୍ତ ହେବେ ତାଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଆମେ କହିବୁ ମେଡିକାଲରେ ଏ କି ପ୍ରକାର ଦାୟିତ୍ୱହୀନତା। ଯଦି ଏକ୍ସପାୟାରୀ ସାଲାଇନ୍ ଯୋଗୁଁ ରୋଗୀର ଜୀବନ ଚାଲିଯାଇଥାନ୍ତା ତାହେଲେ ଏଥିପାଇଁ ଦାୟୀ କିଏ ହୋଇଥାନ୍ତେ। ବାରମ୍ବାର ଏଭଳି ଏକ୍ସପାୟାରୀ ସାଲାଇନ୍ ଏବଂ ଭୁଲ ଇଞ୍ଜେକସନ୍ କାହିଁକି ଦେଉଛନ୍ତି ମେଡିକାଲ କର୍ମଚାରୀ। କେବେ ଏ ଦାୟିତ୍ୱହୀନତା ଉପରେ ଲାଗିବ ରୋକ।