Below header

ଗୁଡିରେ ମାଞ୍ଜାସୂତା ବ୍ୟବହାର ନିଷିଦ୍ଧ ନେଇ ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା

କଟକ(କେନ୍ୟୁଜ୍‌) : ମାଞ୍ଜାସୂତାରେ ଗୁଡ଼ି ଉଡାଇବାକୁ ସଂପୂର୍ଣ୍ଣ ବାରଣ କରିବା ସହିତ ଅନଲାଇନରେ ମାଞ୍ଜାସୂତା ବିକ୍ରିକୁ ନିଷିଦ୍ଧ କରିବା ପାଇଁ ହାଇକୋର୍ଟରେ ରୁଜ୍ଜୁ ହୋଇଛି ଜନସ୍‌ୱାର୍ଥ ମାମଲା। ଆସନ୍ତା ୧୪ତାରିଖରେ ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ପରିପ୍ରେକ୍ଷୀରେ ଗୁଡ଼ି ଉଡାଇବାର ଏକ ପରମ୍ପରା ରାଜ୍ୟରେ ରହିଛି । ମାତ୍ର ଏବେ ଗୁଡ଼ି ଉଡାଇବା ଦ୍ୱାରା ଜନସାଧାରଣଙ୍କ ପାଇଁ ବିପଦର କାରଣ ହୋଇଥିବା ଯୋଗୁଁ ବହୁ ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ଗୁଡ଼ି ଉଡାଇବା ଉପରେ କଟକଣା ଲଗାଇବା ପାଇଁ ଦାବି କରୁଛନ୍ତି ।

ପ୍ରତିବର୍ଷ ଗୁଡ଼ି ଉଡ଼ାଇବା ଦ୍ୱାରା ସୂତା ବେକରେ ଲାଗି ଏକାଧିକ ବାଇକ ଆରୋହୀ, ସାଇକେଲ ଆରୋହୀଙ୍କ ସମେତ ପଶୁ ପକ୍ଷୀଙ୍କ ପ୍ରାଣହାନି ଭଳି ଦୁର୍ଘଟଣା ଘଟୁଛି । ଏତେ ଅଘଟଣ ପରେ ମଧ୍ୟ ପ୍ରଶାସନ କିମ୍ବା ଲୋକେ ଚେତୁନଥିବା ଯୋଗୁଁ ଏଥିରେ କଟକଣା ଲଗାଇବା ପାଇଁ ହାଇକୋର୍ଟରେ ଏକ ମାମଲା କରାଯାଇଛି । ବିଶେଷ କରି ଗୁଡ଼ି ଉଡାଇବା ଉପରେ କଟକଣା ଲାଗୁ କରିବା ନିମନ୍ତେ କଟକ ବକ୍ସିବଜାର ମେରିଆବଜାରର ପୁଷ୍ପାଞ୍ଜଳି ମହାପାତ୍ର ଆଜି ହାଇକୋର୍ଟରେ ଏକ ଜନସ୍‌ୱାର୍ଥ ମାମଲା କରିଛନ୍ତି ।

ତେବେ ସେ ପ୍ରଦାନ କରିଥିବା ପିଟିସନରେ ଦର୍ଶାଇଛନ୍ତି ଯେ, ମାଞ୍ଜାସୂତାରେ ଗୁଡ଼ି ଉଡାଇବା ଦ୍ୱାରା ଅନେକ ଜୀବନହାନି ହେଉଛି । ଏ ନେଇ ସରକାର ଓ ପ୍ରଶାସନ କଟକଣା ଲଗାଇବା ଉଚିତ । ଏଥି ସହିତ ସେ ପିଟିସନରେ ରାଜ୍ଯସରକାରଙ୍କ ମୁଖ୍ଯ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ଡିଜିପି, କଟକ ଡିସିପି, କଟକ ଜିଲ୍ଲାପାଳ, ସିଏମସି, ବିଏମସିକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ମାମଲାଟିକୁ ଆଇନଜୀବୀ ପଦ୍ମାଳୟା ମହାପାତ୍ର ପରିଚାଳନା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.