ଗଣମାଧ୍ୟମ ପ୍ରତିନିଧିଙ୍କ ଘରେ ପଶି ଆକ୍ରମଣ ଅଭିଯୋଗ, ଥାନାରେ ମାମଲା

ଘଟଗାଁ (କେନ୍ୟୁଜ୍‌) : ଗାଁରେ ଯାତ୍ରା ଚାନ୍ଦା ନ ଦେବାରୁ ରାସନ କାର୍ଡରେ ଚାଉଳ ମଳିଲା ନାହିଁ। ଏହି ଖବର ପ୍ରସାରଣ କରିବା ପରେ ଗଣମାଧ୍ୟମ ପ୍ରତିନିଧି ସରପଞ୍ଚଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତାଙ୍କର ସମର୍ଥକମାନେ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏ ନେଇ ଗଣମାଧ୍ୟମ ପ୍ରତିନିଧି ନିରଞ୍ଜନ ମହାନ୍ତ ପଣ୍ଡାପଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣ୍ଡାପଡା ପଞ୍ଚାୟତର କମାରଗୋଡା ଗାଁରେ ଏହି ଘଟଣା ଘଟିଛି । ଅପେରା ପାଇଁ ଚାନ୍ଦା ଦେଇନଥିବା ୩୦ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ରାସନ କାର୍ଡରେ ଚାଉଳ ଦିଆ ଯାଇନଥିଲା। ଫଳରେ ହିତାଧିକାରୀମାନେ ଘଟଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ଏହି ଖବର ପ୍ରକାଶ ପାଇବା ପରେ ପଣ୍ଡାପଡା ସରପଞ୍ଚଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ ଗଣମାଧ୍ୟମ ପ୍ରତିନିଧି ନିରଞ୍ଜନ ମହାନ୍ତ ଏବଂ ବିଦ୍ୟୁତଲତା ମହାନ୍ତଙ୍କ ଘରକୁ ଘେରାଉ କରିବା ସହ ଗାଳି ଗୁଲଜ କରି କବାଟ ବାଡେଇ ଆତଙ୍କ ସୃଷ୍ଟି କରିଥିଲେ ବୋଲି ଅଭିଯୋଗ ହୋଇଛି। ଏନେଇ ଗଣମାଧ୍ୟମ ପ୍ରତିନିଧି ନିରଞ୍ଜନ ମହାନ୍ତ ଓ ବିଦ୍ୟୁତଲତା ମହାନ୍ତ ପଣ୍ଡାପଡା ଥାନା ରେ ଲିଖିତ ଅଭିଯୋଗ କରିବା ସହ ଦୋଷୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଘଟଣାରେ ସରପଞ୍ଚଙ୍କ ସଂପୃକ୍ତି ଅଛିକି ନାହିଁ ପୋଲିସ୍‌ ତାର ତଦନ୍ତ କରୁଛି । ଏ ନେଇ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.