ରାଜସ୍ଥାନ: ପୋଲିସ ଜିପ୍‌ ଉପରେ ଓଲଟି ପଡ଼ିଲା ଦ୍ରୁତଗାମୀ ଟ୍ରେଲର୍‌, ୩ ପୋଲିସ କର୍ମୀଙ୍କ ଶୋଚନୀୟ ମୃତ୍ୟୁ

ରାଜସ୍ଥାନର ସିକର୍‌ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ଏକ ଓଭରଲୋଡ୍‌ ଟ୍ରେଲର ଭାରସାମ୍ୟ ହରାଇ ପୋଲିସ ଗାଡ଼ି ଉପରେ ଓଲଟି ପଡ଼ିଥିଲା ।

ରାଜସ୍ଥାନର ସିକର୍‌ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ଏକ ଓଭରଲୋଡ୍‌ ଟ୍ରେଲର ଭାରସାମ୍ୟ ହରାଇ ପୋଲିସ ଗାଡ଼ି ଉପରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୩ ପୋଲିସ କର୍ମୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ୩ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ସେମାନଙ୍କ ପରିବାର ସଦସ୍ୟଙ୍କୁ ଘଟଣା ବିଷୟରେ ସୂଚନା ଦେଇଛି ।

ମିଳିଥିବା ସୂଚନା ମୁତାବକ, ପାଟନ ଥାନାର ଗାଡ଼ିରେ ଚାଳକ ଭ୍ରମରଲାଲ୍‌, କନଷ୍ଟେବଳ ମହିପାଳ ଓ ହେଡ୍‌ କନଷ୍ଟେବଳ ଶୀଶରାମ ରାମପୁରାରୁ ପାଟନ ଥାନାକୁ ଆସୁଥିଲେ । ଏହି ସମୟରେ ରାମପୁରା ଘାଟି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଓଭରଲୋଡ୍‌ ଟ୍ରେଲର ହଠାତ୍‌ ଭାରସାମ୍ୟ ହରାଇ ପୋଲିସ ଗାଡ଼ି ଉପରେ ଓଲଟି ପଡ଼ିଥିଲା ।

ଏଥିରେ ଚାଳକ ଭ୍ରମରଲାଲ ଓ କନଷ୍ଟେବଳ ମହିପାଳଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା । ଯେତେବେଳେ କି, ହେଡ୍‌ କନଷ୍ଟେବଳ ଶୀଶରାମ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଟପୁତଲି ରେଫର୍‌ କରାଯାଇଥିଲା । ତେବେ ଯିବା ରାସ୍ତାରେ ହିଁ ସେ ଆଖି ବୁଜିଦେଇଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ନିମକାଥାନା ଏସ୍‌ପି ପ୍ରବୀଣ ନାୟକ, ଅତିରିକ୍ତ ପୋଲିସ ଅଧୀକ୍ଷକ ଗିରିଧାରୀ ଲାଲ ଶର୍ମା, ଡେପୁଟି ପୋଲିସ ଅଧୀକ୍ଷକ ଅନୁଜ ଡାଲ୍‌ ଓ ଏସ୍‌ଡିଏମ୍‌ ରାଜବୀର ଯାଦବ ଘଟଣାସ୍ଥଳରେ ପହଞ୍ଚିଥିଲେ । ବ୍ୟବଚ୍ଛେଦ ପରେ ୩ ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ମୃତକମାନଙ୍କ ପରିବାର ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଭରସା ଦିଆଯାଇଛି । କୁହାଯାଉଛି କି, ଟ୍ରେଲରଟି ହରିୟାଣା ଆଡ଼କୁ ଯାଉଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ପୋଲିସ ଜିପ୍‌ ସମ୍ପୂର୍ଣ୍ଣ ରୂପେ ଚାପି ହୋଇ ଚୁର୍‌ମାର ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.