Below header

କମ ଦିନରେ ଟଙ୍କା ଡବଲ ଆଶା ଦେଖାଇ ଠକେଇ ଅଭିଯୋଗ, ୫ ଜଣଙ୍କୁ ବାନ୍ଧିଲା ପୋଲିସ

୨୮ ଲକ୍ଷ ଅସଲି ଟଙ୍କା ନେଇ ୮ ହଜାରଟି ୫୦୦ ଟଙ୍କିଆ ଖେଳନା ନୋଟ ଧରାଇଲେ ଦୁବୃର୍ତ୍ତ ।

ବ୍ରହ୍ମପୁର : ଅସଲି ଟଙ୍କା ଦେଇ ନକଲି ଟଙ୍କା ପାଇଲେ ଦୁଇ ବ୍ୟବସାୟୀ । କମ ସମୟରେ ଦୁଇ ଗୁଣା ଟଙ୍କା ପାଇବା ଆଶାରେ ହରାଇଲେ ୨୮ ଲକ୍ଷ ଟଙ୍କା । ଆଉ ଏହି ଠକେଇ ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ । ଏଭଳି ଏକ ଠକେଇ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ । କମ ସମୟରେ ଦୁଇ ଗୁଣା ଟଙ୍କା ପାଇବା ନେଇ ସହରର ସୂର୍ଯ୍ୟ ନାରାୟଣ ପାତ୍ର ଓ ସଚିନ ମହାପାତ୍ର ନାମକ ଦୁଇ ବ୍ୟବସାୟୀଙ୍କୁ କହିଥିଲେ ବଡବଜାର ଅଞ୍ଚଳର ବଦ୍ରିନାଥ ପଣ୍ଡା ଓ କବିସୂର୍ଯ୍ୟନଗର ଅଞ୍ଚଳର ଅକ୍ଷୟ କୁମାର ନାୟକ ।

ଟ୍ରେଡ ପ୍ରଫିଟ ଫଣ୍ଡ ନାମକ ଏକ ଲୋନ ମାଧ୍ୟମରେ ଏହି ଟଙ୍କା ଦୁଇ ଗୁଣ ହେବା ନେଇ ସୂର୍ଯ୍ୟ ଓ ସଚିନକୁ କୁହାଯାଇଥିଲା । ଏହାସହିତ ତିନି ମାସ ମଧ୍ୟରେ ଯଦି ଲୋନ ଟଙ୍କା ନ ଫେରାନ୍ତି ତେବେ ୟୁ ଟର୍ନ ଜରିଆରେ ଲୋନ ଟଙ୍କା ଆଉ ପରିଷୋଧ କରିବାକୁ ପଡିବ ନାହିଁ ବୋଲି ମଧ୍ୟ ଉଭୟଙ୍କୁ କୁହାଯାଇଥିଲା । ଆଉ ଏଭଳି ଲୋଭନୀୟ ଅଫର ପାଇବା ପରେ ସୂର୍ଯ୍ୟ ଓ ସଚିନ ୨୮ ଲକ୍ଷ ଟଙ୍କା ଅକ୍ଷୟ ନାୟକ ଓ ମହେଶ ବର୍ମା ନାମକ ବ୍ୟକ୍ତିଙ୍କୁ ଦେଇଥିଲେ । ଏହି ୨୮ ଲକ୍ଷ ଟଙ୍କା ପ୍ରତିବଦଳରେ ୮ ହଜାର ୫୦୦ ଟଙ୍କିଆ ଖେଳନା ଟଙ୍କା ସୂର୍ଯ୍ୟ ଓ ସଚିନଙ୍କୁ ଦେଇଥିଲେ ।

ପରବର୍ତ୍ତୀ ସମୟରେ ସୂର୍ଯ୍ୟ ଓ ସଚିନ ଖେଳନା ଟଙ୍କା ପାଇଥିବା ଜାଣିବା ପରେ ବୈଦ୍ୟନାଥପୁର ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ଆଜି ବୈଦ୍ୟନାପୁର ଥାନା ପୋଲିସ ଠକେଇ ଘଟଣାରେ ବଡବଜାର ଅଞ୍ଚଳର ବଦ୍ରିନାଥ ପଣ୍ଡା, ଭବାନୀ ଶଙ୍କର ପଟ୍ଟନାୟକ, କବିସୂର୍ଯ୍ୟନଗର ଅଞ୍ଚଳର ଅକ୍ଷୟ କୁମାର ନାୟକ, ପୁରୁଷୋତ୍ତମପୁର ଅଞ୍ଚଳର ରାମଚନ୍ଦ୍ର ପଣ୍ଡା ଓ ନିବାସ ନାୟକକୁ ଗିରଫ କରିଛି ପୋଲିସ ।

ଏହି ୫ ଅଭିଯୁକ୍ତଙ୍କ ଠାରୁ ୫ଟି ମୋବାଇଲ ଓ ଦୁଇଟି ବ୍ୟାଗ ଜବତ କରିଥିବା ବେଳେ ସୂର୍ଯ୍ୟ ଓ ସଚିନଙ୍କ ଠାରୁ ଖେଳନା ନୋଟ ୪୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଠକେଇ ଘଟଣାରେ ଅନ୍ୟ ରାଜ୍ୟର ୩ ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.