Below header

ସିଲିଣ୍ଡର ଭିତରୁ ଗ୍ୟାସ୍ ଚୋରି କରୁଥିବାବେଳେ ମାଡିବସିଲା ପୋଲିସ୍, ୨ ଅଟକ

ଦୀର୍ଘ ଦିନ ହେଲା ବ୍ରହ୍ମପୁର ସହରରେ ଚାଲିଥିଲା ରନ୍ଧନ ଗ୍ୟାସ କେଳେଙ୍କାରୀ । ପ୍ରତ୍ୟେକ ଗ୍ୟାସ ସିଲିଣ୍ଡରରୁ କେଜିଏ ରୁ ଦୁଇ କେଜି କରାଯାଉଥିଲା ଗାଏବ । ଏହି ଘଟଣାର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର(କେନ୍ୟୁଜ୍):  ଦୀର୍ଘ ଦିନ ହେଲା ବ୍ରହ୍ମପୁର ସହରରେ ଚାଲିଥିଲା ରନ୍ଧନ ଗ୍ୟାସ କେଳେଙ୍କାରୀ । ପ୍ରତ୍ୟେକ ଗ୍ୟାସ ସିଲିଣ୍ଡରରୁ କେଜିଏ ରୁ ଦୁଇ କେଜି କରାଯାଉଥିଲା ଗାଏବ । ଏହି ଘଟଣାର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ଉପକଣ୍ଠ ଜଳେଶ୍ଵରପୁରରେ ଥିବା ଏକ ଗ୍ୟାସ ଡିପୋ ଓ ଗ୍ୟାସ ଡେଲିଭେରୀ କରୁଥିବା ଲୋକଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲା ପୋଲିସ ।

ସାଧା ପୋଷାକରେ ଆସି ଉପଭୋକ୍ତାଙ୍କ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଚୋରି କରୁଥିବା ସିଲିଣ୍ଡର ଡେଲିଭରି ବୟକୁ ମାଡିବସିଲା ପୋଲିସ । ଏହାପରେ ଯାହା ସାମ୍ନା ଆସିଲା ତାହା ସମସ୍ତଙ୍କୁ ଚକିତ କରିଦେଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ଦୀର୍ଘ ଦିନ ଧରି ଗ୍ୟାସ ଉପଭୋକ୍ତାଙ୍କ ଆଖିରେ ପୁଟୁଳି ବାନ୍ଧି ଠକେଇ କରି ଚାଲିଥିଲେ ଇନ୍ଧନ ଗ୍ୟାସ ସିଲିଣ୍ଡର ଡେଲିଭରି ବୟ ମାନେ । ଗ୍ୟାସ ଡିପୋରୁ ଗ୍ୟାସ ଉପଭୋକ୍ତାଙ୍କୁ ଡେଲିଭରି କରିବା ପାଇଁ ନେଇ ଏକ ର୍ନିଦ୍ଦିଷ୍ଟ ସ୍ଥାନରେ ପ୍ରତ୍ୟେକ ଗ୍ୟାସ ସିଲିଣ୍ଡରରୁ କେଜି ରୁ ଦୁଇ କେଜି ଗ୍ୟାସ ବାହାର କରି ଅନ୍ୟ ଏକ ଗ୍ୟାସ ସିଲିଣ୍ଡରରେ ଭର୍ତ୍ତି କରି ଦେଉଥିଲେ । ପୁଣି ସେହି ସିଲିଣ୍ଡରକୁ ସିଲ କରି ଉପଭୋକ୍ତାଙ୍କୁ ଦେଉଥିଲେ ଡେଲିଭରି ।

gas

ଏଭଳି ଇଣ୍ଡେନ୍‌ ଗ୍ୟାସ ଓ ଭାରତ ଗ୍ୟାସର ଡେଲିଭରି ବୟ ମାନେ କରୁଥିବା ନେଇ କୈାଣସି ସୂତ୍ରରୁ ଖବର ପାଇ ଗ୍ୟାସ ଡିପୋ ଓ ଡେଲିଭରି ବୟଙ୍କ ଘରେ ବୈଦ୍ୟନାଥପୁର ଥାନା ପୋଲିସ ଓ ଯୋଗାଣ ବିଭାଗ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଚଢ଼ାଉ କରି ୪୧ଟି ଗ୍ୟାସ ସିଲିଣ୍ଡର ଜବତ କରିବା ପରେ ସେଗୁଡ଼ିକ ଥାନାକୁ ଅଣାଯାଇ ଓଜନ କରାଯାଇଥିଲା । ଏହାପରେ ଯୋଗାଣ ବିଭାଗର ଅଧିକାରୀ ମାନେ ଥାନାରେ ପହଞ୍ଚି ସିଲ ରହିଥିବା ସିଲିଣ୍ଡର ଗୁଡ଼ିକୁ ଓଜନ କରିବା ପରେ ଅନେକ ଗ୍ୟାସ ସିଲିଣ୍ଡର କେଜି ରୁ ଦୁଇ କେଜି ଓଜନ କମ ଥିବା ଜଣାପଡିଥିଲା ।

ବ୍ରହ୍ମପୁର ସହରରେ ଦୀର୍ଘ ଦିନ ଧରି ଗ୍ୟାସ ସିଲିଣ୍ଡର କେଳେଙ୍କାରୀ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏହାକୁ ନଜରରେ ରଖି ବ୍ରହ୍ମପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ସାଧା ପୋଷାକରେ ସହର ଉପକଣ୍ଠ ଜଳେଶ୍ଵରପୁରରେ ଚଢ଼ାଉ କରିଥିଲା । ସେଠାରେ ଗ୍ୟାସ ଡ଼ିପୋରୁ ଡ଼େଲିଭରି ବୟ ମାନେ ଭର୍ତ୍ତି ଓ ସିଲ୍‌ ପଡ଼ିଥିବା ଗ୍ୟାସ ସିଲିଣ୍ଡରକୁ ନେଇ ଖାଲି ସିଲିଣ୍ଡରରେ ଭର୍ତ୍ତି କରୁଥିଲେ । ଘଟଣାସ୍ଥଳରେ ଏଭଳି ଠକାମୀ କାର୍ଯ୍ୟ କରୁଥିବା ଦୁଇ ଗ୍ୟାସ ସିଲିଣ୍ଡର ବୟକୁ ଅଟକ ରଖାଯାଇ ଅଧିକ ତଦନ୍ତ କରାଯାଉଛି । ଗତ ଏକ ବର୍ଷ ହେଲା ଏଭଳି ଉପଭୋକ୍ତା ମାନଙ୍କୁ ଠକି ଆସୁଥିଲେ ଡ଼େଲିଭେରି ବୟ ମାନେ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ବେଳେ ଘଟଣାରେ ଅନ୍ୟ କିଛି ଲୋକଙ୍କ ସମ୍ପୃକ୍ତ ରହିଥାଏ, ତେବେ ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।

ଏଭଳି ଗ୍ୟାସ ସିଲିଣ୍ଡର ଠକେଇ ସମ୍ପର୍କରେ ଜଣାପଡିବା ପରେ କିଭଳି ଉପଭୋକ୍ତା ମାନେ ସଚେତନ ହେବେ ସେ ନେଇ ଲୋକଙ୍କୁ ଅବଗତ କରାଯିବା ସହ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଯଦି ଆପଣଙ୍କ ଅଞ୍ଚଳରେ ଏମିତି କିଛି ଘଟଣା ହେଉଛି ତେବେ ସ୍ଥାନୀୟ ପୋଲିସ୍ ପ୍ରଶାସନକୁ ଏନେଇ
ଅବଗତ କରାନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.