Below header

ବିଜ୍ଞାନ ଭବନରେ ୪୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ଈଶ୍ୱରଚନ୍ଦ୍ର ନାୟକଙ୍କୁ କଲେ ସମ୍ମାନିତ

ଭୁବନେଶ୍ବର(କେନ୍ୟୁଜ୍):ଗୁରୁ ଦିବସରେ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ୪୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀକୁ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ୪୫ ଜଣ ଶିକ୍ଷକଙ୍କୁ ଚଳିତବର୍ଷ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି ।

ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଈଶ୍ୱରଚନ୍ଦ୍ର ନାୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ପୁରୀ ଜିଲ୍ଲା କନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକତା କରୁଛନ୍ତି । ନିମାପଡ଼ା ବ୍ଳକର ବାଙ୍ଗରୁସ ପଟଣାରେ ତାଙ୍କ ଘର । ପ୍ରଥମ ଇଞ୍ଜିନିୟର ଭାବେ ଚାକିରି କରୁଥିଲେ । ପରେ ଶିକ୍ଷକତା ପାଇଁ ମନ ବଳାଇଥିଲେ ଈଶ୍ୱରଚନ୍ଦ୍ର ନାୟକ । ୨୦୦୧ରେ ଗଣଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଶିକ୍ଷା ସହାୟକ ଭାବରେ ନିଯୁକ୍ତି ମିଳିଥିଲା ।

ସେବେଠାରୁ କନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ପୂର୍ବରୁ ମଧ୍ୟ ଶିକ୍ଷକତା ଲାଗି ଅନେକ ପୁରସ୍କାର ପାଇଛନ୍ତି ଇଶ୍ୱର । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ରେ ତାଙ୍କୁ ଆଦର୍ଶ ଶିକ୍ଷକ ଭାବେ ସମ୍ମାନିତ କରାଯାଇଥିଲା । ଶିକ୍ଷକତା ଭିତରୁ ସମୟ ବାହାର କରି ଗଳ୍ପ ଉପନ୍ୟାସ, କବିତା ଆଦି ଲେଖି ସେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ୨୦୧୬ରୁ ଗାଁରେ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଏକ ନଲେଜ ସେଣ୍ଟର ଖୋଲି ବିନା ମୂଲ୍ୟରେ କମ୍ପ୍ୟୁଟର ଶିକ୍ଷା ମଧ୍ୟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.