Below header

କର୍ମଚାରୀଙ୍କୁ ଛଟେଇ କରିବା ପରେ ୧୮ତମ ମହଲାରୁ ଡେଇଁ ଆତ୍ମହତ୍ୟା କଲେ କମ୍ପାନୀର ସିଏଫ୍‌ଓ…ଜାଣନ୍ତୁ ପୂରା ମାମଲା

ଏହି ଦୁନିଆରେ ପ୍ରତିଦିନ ଅନେକ ଘଟଣା ଘଟୁଛି। କିଛି ଘଟଣା ଆମକୁ ବିଚଳିତ କରି ଦେଇଥାଏ ତ କିଛି ଘଟଣା ଆମକୁ ସମ୍ପୂର୍ଣ୍ଣ ରୂପେ ସ୍ତବ୍ଧ କରି ଦେଇଥାଏ। ଏବେ ଏହିଭଳି ଏକ ଘଟଣା ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି, ଯାହାକୁ ସହଜରେ କେହି ବିଶ୍ୱାସ କରିପାରୁ ନାହାନ୍ତି। ଉଚ୍ଚ ପଦବୀରେ ବସିଥିବା ଜଣେ ବ୍ୟକ୍ତି ଏମିତି ଯେ ଏକ ପଦକ୍ଷେପ ନେବେ, ତାହା ଏକଦମ୍‌ କଳ୍ପନା ବାହାରେ।

ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କମ୍ପାନୀର ଚିଫ୍‌ ଫାଇନାନ୍ସିଆଲ ଅଫିସର (CFO) କର୍ମଚାରୀଙ୍କ ଛଟେଇ ପରେ ଉଚ୍ଚ ଅଟ୍ଟାଳିକାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ମାମଲା ମେନ୍‌ହ୍ୟାଟନ ସ୍ଥିତ Bed Bath & Beyond କମ୍ପାନୀର ବୋଲି ଜଣାପଡ଼ିଛି। ପୋଲିସ ସୂଚନା ଅନୁସାରେ, ମୃତ ସିଏଫ୍‌ଓ ହେଲେ, ଗୁସ୍ତାଭୋ ଅର୍ନେଲ, ସେ ଜେଙ୍ଗା ଟାଓ୍ଵାରର ୧୮ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ରିଟେଲ୍‌ କମ୍ପାନୀ ଦ୍ୱାରା କିଛି ଷ୍ଟୋର୍‌ ବନ୍ଦ କରି ଦିଆଯିବା ଏବଂ କର୍ମଚାରୀମାନଙ୍କୁ ଛଟେଇ ଘୋଷଣା ପରର ଚାପ ସିଏଫ୍‌ଓ ନିଜ ଉପରେ ନେଇ ପାରୁ ନ ଥିଲେ। ରିପୋର୍ଟ ମୁତାବକ, ଅର୍ନେଲ ୨୦୨୦ରେ Bed Bath & Beyondରେ ଚାକିରି ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ କସ୍‌ମେଟିକ ବ୍ରାଣ୍ଡ ‘ଏଭୋନ୍‌’ରେ ସିଏଫ୍‌ଓ ଥିଲେ। ପ୍ରୋକ୍ଟର ଏବଂ ଗେମ୍ବଲ ସହ କାମ କରିବାରେ ୨୦ ବର୍ଷର ଅଭିଜ୍ଞତା ଅର୍ନେଲଙ୍କ ପାଖରେ ରହିଥିଲା।

ନ୍ୟୁୟର୍କ ପୋଲିସ ବିଭାଗର ସୂଚନା ମୁତାବକ, ଶୁକ୍ରବାର ରାତି ୧୨ଟା ୩୦ ମିନିଟ୍‌ରେ ୫୨ ବର୍ଷୀୟ ଅର୍ନେଲଙ୍କୁ ଅଟ୍ଟାଳିକା ତଳେ ବେହୋସ୍‌ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ କୌଣସି ପ୍ରତିକ୍ରିୟା ଦେଉ ନ ଥିଲେ। ୧୮ତମ ମହଲାରୁ ଡେଇଁବା ପରେ ତାଙ୍କୁ ଗଭୀର ଆଘାତ ଲାଗିଥିଲା। ଖବର ପାଇ ଜରୁରୀକାଳୀନ ସେବା କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଅର୍ନେଲଙ୍କୁ ମୃତ ଘୋଷଣା କରିଥିଲେ।

ରିପୋର୍ଟରୁ ଜଣାପଡ଼ିଛି ଯେ ଅର୍ନେଲଙ୍କ ସ୍ତ୍ରୀ ତାଙ୍କୁ ଅଟ୍ଟାଳିକାରୁ ଡେଇଁବାର ଦେଖିଛନ୍ତି। ହେଲେ ତାଙ୍କ ଉପରେ କୌଣସି ଆପରାଧିକ ଶଙ୍କା କରାଯାଉ ନାହିଁ। ପୋଲିସ ରିପୋର୍ଟରେ ଅର୍ନେଲଙ୍କ ମୃତ୍ୟୁ ପରିସ୍ଥିତି ବିଷୟରେ ଆଦୌ ଗୁରୁତ୍ୱ ଦିଆଯାଇ ନାହିଁ। ଏଥିରେ କେବଳ ଏତିକି କୁହାଯାଇଛି, ନ୍ୟୁୟର୍କ ସିଟିର ମେଡିକାଲ ଯାଞ୍ଚ ଅଧିକାରୀ ମାନେ ମୃତ୍ୟୁର କାରଣ ବିଷୟରେ କହିବେ। ସେପଟେ ଏହାରି ଭିତରେ Bed Bath & Beyond ରବିବାର କମ୍ପାନୀର ସିଏଫ୍‌ଓ ଅର୍ନେଲଙ୍କ ମୃତ୍ୟୁକୁ ନେଇ ଖବର ନିଶ୍ଚିତ କରିଥିଲା। କିନ୍ତୁ କମ୍ପାନୀ ତରଫରୁ ଏ ବିଷୟରେ ଅଧିକ ସୂଚନା ଦିଆଯାଇ ନ ଥିଲା।

କହି ରଖୁଛୁ, ଗତ ସପ୍ତାହରେ Bed Bath & Beyond କହିଥିଲା କି, ଏହା ନିଜର ୧୫୦ ଷ୍ଟୋରକୁ ବନ୍ଦ କରି ଦେବ। ଏଥି ସହିତ କର୍ମଚାରୀଙ୍କୁ ଛଟେଇ କରିବ ଏବଂ ନିଜ ରଣନୀତିକୁ ପୁନଃ ପ୍ରସ୍ତୁତ କରିବ, ଯଦ୍ଦ୍ଵାରା କ୍ଷତିକୁ ଲାଭରେ ପରିଣତ କରାଯାଇ ପାରିବ। ଅର୍ନେଲଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.