Below header

ଯେତେ କହିଲେ ଭାଗବତ…., ଟ୍ରାଫିକ୍‌ କର୍ମଚାରୀଙ୍କ ସହ କେତେ ଦିନ ଝଗଡ଼ା ଚାଲିବ, କେତେ ତଣ୍ଡ ଗଣିବେ ଲୋକେ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : କଥାରେ ଅଛି, ଯେତେ କହିଲେ ଭାଗବତ ତୋଷ ନୋହିବ ମୋର ଚିତ୍ତ । ଏହାର ଅର୍ଥ ହେଉଛି ଯେତେ ସଚେତନ କଲେ ମଧ୍ୟ ମାନୁ ନାହାନ୍ତି ଲୋକେ । ଠିକ୍‌ ଏହି କଥାଟି ଏବେ ଲାଗୁ ହେଉଛି ଆମରିମାନଙ୍କ କ୍ଷେତ୍ରରେ । ଟ୍ରାଫିକ୍‌ ନିୟମକୁ ନେଇ ମାର୍ଚ୍ଚ ୧ରୁ ପୁଣି ଥରେ କଡ଼ାକଡ଼ି କରାଯାଇଛି । ରାସ୍ତାଘାଟରେ ଗାଡ଼ି ଅଟକାଇ ଟ୍ରାଫିକ୍‌ କର୍ମଚାରୀ ଚାଲାଣ କାଟୁଛନ୍ତି । କେଉଁଠି ଲୋକେ ତୁରନ୍ତ ଫାଇନ୍‌ ଦେଉଛନ୍ତି ତ ଆଉ କେଉଁଠି ଚାଲାଣ ଧରି ଘରକୁ ଯାଉଛନ୍ତି । ପୁଣି କେତେକ ଜାଗାରେ ଟ୍ରାଫିକ୍‌ ପୋଲିସ୍‌ କର୍ମଚାରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଝଗଡ଼ା ହେଉଛି ।
ପ୍ରକୃତ କଥା ହେଉଛି, ଯଦି ଆପଣଙ୍କ ଗାଡ଼ି କାଗଜପତ୍ର ସଠିକ୍‌ ଥିବ ତେବେ ଟ୍ରାଫିକ୍‌ କର୍ମଚାରୀ ଆପଣଙ୍କୁ ହଇରାଣ କରିବେ ନାହିଁ । ନିୟମ ଦୃଷ୍ଟିରୁ ଆମକୁ ଏସବୁ କାଗଜପତ୍ର ପାଖରେ ରଖିବା ନିହାତି ଜରୁରୀ । ଦେଶର ଦାୟିତ୍ୱବାନ୍‌ ନାଗରିକ ଭାବେ ଏସବୁ ରଖିବା ଆମ କର୍ତ୍ତବ୍ୟ । ସରକାରଙ୍କ ତରଫରୁ ଯାହା ବି ପଦକ୍ଷେପ ନିଆଯାଉଛି ତାହା ଲୋକଙ୍କ ମଙ୍ଗଳ ପାଇଁ । ପ୍ରଥମେ ସମୟ ଦିଆଗଲା । ପୁଣି ନିୟମକୁ କୋହଳ କରି ନିଜ ଭୁଲ ସୁଧାରିବା ଲାଗି ଲୋକଙ୍କୁ ସୁଯୋଗ ବି ଦିଆଗଲା । ତଥାପି ଲୋକେ ସୁଧୁରୁ ନାହାନ୍ତି । ନିଜେ ଚଳାଉଥିବା ଗାଡ଼ିର କାଗଜପତ୍ର ପ୍ରସ୍ତୁତ ନକରି ଓଲଟା ଝଗଡ଼ା କରୁଛନ୍ତି ।

traffic

ଆପଣ ମାତ୍ର କେଇ ଶହ ଟଙ୍କା ଦେଇ ନିଜ ଯାନବାହନର କାଗଜପତ୍ର କରି ପାରିବେ । ଅଥଚ ତାହା ନକରି ହଜାର ହଜାର ଟଙ୍କା ଫାଇନ୍‌ ଦେଉଛନ୍ତି କାହିଁକି ? ଆଜି ନହେଲେ କାଲି ଆପଣଙ୍କୁ ଏହି ସବୁ କାଗଜପତ୍ର କରିବାକୁ ହିଁ ପଡ଼ିବ । ତେଣୁ ବେଳରୁ ସାବଧାନ ରହିଲେ କ୍ଷତି କଣ ? ଏତେ ସବୁ ପରେ ବି ଆରଟିଓ ଅଫିସ୍‌ ହେଉ କି ପଲ୍ୟୁସନ୍‌ ସେଣ୍ଟର, ସବୁଠାରେ ପୁଣି ଭିଡ଼ ଦେଖିବାକୁ ମିଳୁଛି ।

traffic

କିଛି ଲୋକ ପ୍ରଶାସନ ଓ ସରକାରଙ୍କ ଦୋଷ ଦେଉଛନ୍ତି । ହେଲେ ନିଜ ଦୋଷକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଯଦି ସରକାରଙ୍କ ସମୟସୀମା ମଧ୍ୟରେ ଏତେ ଲୋକ ନିଜ ଗାଡ଼ି କାଗଜପତ୍ର ପ୍ରସ୍ତୁତ କରି ପାରିଲେ ତେବେ ଅନ୍ୟମାନେ କାହିଁକି ପାରିଲେ ନାହିଁ ? ଗତକାଲି ଭୁବନେଶ୍ୱର ରାଜମହଲ ଛକରେ ରଙ୍ଗରୁଟ୍‌ରେ ଆସୁଥିବା ଜଣେ ମହିଳା ଯେମିତି ଅଯଥା ଯୁକ୍ତି କରୁଥିଲେ ‘ମୋ ଗାଡ଼ି, ମୋର କାଗଜପତ୍ର, ତୁମେ କାହିଁକି ସିଜ୍‌ କରିବ?’ । ଏଭଳି ଅବାନ୍ତର ଯୁକ୍ତି କରି ଆଇନ୍‌କୁ ଫାଙ୍କିବା କଣ ଠିକ୍‌ କଥା ।
ତେଣୁ ଟ୍ରାଫିକ୍‌ କର୍ମଚାରୀଙ୍କୁ ଡରି ଲୁଚି ଛପି ଗାଡ଼ି ଚଳାଇବା ଅପେକ୍ଷା ତୁରନ୍ତ ଆବଶ୍ୟକ କାଗଜପତ୍ର କରି ନେବା ଉଚିତ ହେବ ।

TRAFFIC RULES

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.