ମୋଦି ଦେଶକୁ ଧ୍ୱଂସ କରିଛନ୍ତି : ରାହୁଲ ଗାନ୍ଧି

ଭୁବନେଶ୍ବର(କେନ୍ୟୁଜ୍) : ଓଡ଼ିଶାରେ କଂଗ୍ରେସ ସରକାରକୁ ଫେରିଲେ ୧୦ ଦିନ ଭିତରେ ଚାଷୀଙ୍କ କୃଷି ଋଣ ଛାଡ଼ କରିବ। ଧାନ ଏମଏସପିକୁ ୨୬ ଶହ ଟଙ୍କା କରିବ କଂଗ୍ରେସ। ନିଯୁକ୍ତିଠାରୁ ଆରମ୍ଭ କରି ଓଡ଼ିଶାର ବିକାଶ ଧାରାକୁ କଂଗ୍ରେସ ଆଗେଇ ନେବ। ଭୁବନେଶ୍ୱର ଆସି ଓଡ଼ିଶାବାସୀଙ୍କ ଆଗରେ ପ୍ରତିଶ୍ରୁତିର ଲମ୍ବା ତାଲିକା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଧୁମ ବର୍ଷିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ ପରେ ଏହା ଥିଲା ରାହୁଲ ଗାନ୍ଧିଙ୍କର ପ୍ରଥମ ଓଡ଼ିଶା ଗସ୍ତ।

ଓଡ଼ିଶା ମାଟିରୁ ମୋଦିଙ୍କୁ ଟାର୍ଗେଟ। ରାଜ୍ୟ ସରକାରଙ୍କୁ ବି ତୀବ୍ର ସମାଲୋଚନା। ଭୁବନେଶ୍ୱର ତମାଣ୍ଡୋରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି। ଚାଷୀ ପ୍ରସଙ୍ଗ ଉଠାଇଛନ୍ତି। ରାହୁଲ ଘୋଷଣା କରିଛନ୍ତି, ରାଜ୍ୟରେ କଂଗ୍ରେସ ସରକାରକୁ ଆସିଲେ ୧୦ ଦିନ ଭିତରେ ଛାଡ଼ ହେବ କୃଷି ଋଣ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସପିକୁ ୨୬ ଶହ ଟଙ୍କା କରାଯିବ। ନିଯୁକ୍ତିର ସ୍ୱପ୍ନ ବି ଦେଖାଇଛନ୍ତି ରାହୁଲ।

ଭୁବନେଶ୍ୱରରେ ପହଞ୍ଚିବା ପରେ ରାହୁଲ ପ୍ରଥମେ ଟାଉନ୍‌ ହଲ୍‌ରେ ବୁଦ୍ଧିଜୀବୀଙ୍କୁ ଭେଟିଥିଲେ। ରାହୁଲ କହିଛନ୍ତି, କଂଗ୍ରେସ ଗଣତାନ୍ତ୍ରିକ ବିଚାରଧାରା ଉପରେ ବିଶ୍ୱାସ କରେ। ରାଜ୍ୟ ଓ କେନ୍ଦ୍ରରେ ପ୍ରଶାସନିକ ରାଜ୍‌ ଚାଲିଛି। ନବୀନ-ମୋଦିଙ୍କ ମଧ୍ୟରେ ଭିତିରି ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ରାହୁଲ। ଜିଏସ୍‌ଟି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ନବୀନ ମୋଦିଙ୍କୁ ସମର୍ଥନ କରି ଆସିଛନ୍ତି। ବୁଦ୍ଧିଜୀବୀ ସମ୍ମିଳନୀରେ ବିଭିନ୍ନ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି, ନବୀନ ମୋଦିଙ୍କ ଏକ ଅବତାର। ଶାସନ ପ୍ରଣାଳୀ ଏକ୍‌। କିନ୍ତୁ ନବୀନଙ୍କ ମନରେ ମୋଦିଙ୍କ ଭଳି ଘୃଣାଭାବ ନାହିଁ ବୋଲି ରାହୁଲ କହିଥିଲେ।

ଦିନିକିଆ ଓଡ଼ିଶା ଗସ୍ତରେ ରାଜ୍ୟ ନେତୃତ୍ୱଙ୍କୁ ନିର୍ବାଚନ ପୂର୍ବରୁ ଗୁରୁମନ୍ତ୍ର ଦେଇଛନ୍ତି ରାହୁଲ। ଫୋକସ ଓଡ଼ିଶା ସମ୍ପର୍କରେ ଦଳୀୟ ନେତା ଓ କର୍ମୀଙ୍କୁ ପାଠ ପଢ଼ାଇଛନ୍ତି। ଓଡ଼ିଶାର ପ୍ରଗତି ଓ ବିକାଶ ଦିଗରେ ଏକ ହୋଇ କାମ କରିବାକୁ ଆହ୍ଵାନ ଦେଇଛନ୍ତି ରାହୁଲ।

Leave A Reply

Your email address will not be published.