Below header

ଚଣ୍ଡିଖୋଲସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଗ୍ରାମୀଣ କ୍ୟାମ୍ପସରେ ଉତ୍ତେଜନା, କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଗ୍ରାମୀଣ କ୍ୟାମ୍ପସରେ ଉତ୍ତେଜନା । ଗେଟରେ ତାଲା ପକାଇ କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ । ଗତ ୫ତାରିଖରୁ ବିଶ୍ୱବିଦ୍ୟାଳୟର ବିଏସସି ନର୍ସିଂ ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇ ଆସିଥିଲେ । ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢା ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ଦେଖାଦେଇଛି । ଏପରିକି ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ଏକ ଟ୍ରଷ୍ଟ ବିଭିନ୍ନ ଆଳ ଦେଖାଇ ଛାତ୍ରଛାତ୍ରୀମାନଙ୍କ ଠାରୁ ଅର୍ଥ ଆଦାୟ କରିବା ସହ ସେମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ କରିଥିଲେ ।

ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଆନ୍ଦୋଳନ ଚଳାଇବା ସହ ସମସ୍ୟା ସଂପର୍କରେ ଜିଲ୍ଲା ପ୍ରଶାସନ ଓ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଡ. ସବିତା ଆଚାର୍ଯ୍ୟ କ୍ୟାମ୍ପସରେ ପହଂଚି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଟ୍ରଷ୍ଟର କାର୍ଯ୍ୟକଳାପକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ସଂପୂର୍ଣ୍ଣ ଭାବରେ ହଟାଇବାକୁ ଦାବି କରିଥିଲେ । ତେବେ ଏଥିରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ସହମତି ନମିଳିବାରୁ ଛାତ୍ରଛାତ୍ରୀମାନେ ଗେଟରେ ତାଲା ପକାଇ ଭିସିଙ୍କୁ କିଛି ସମୟ ଧରି କ୍ୟାମ୍ପସରେ ଅଟକ ରଖି ଧାରଣାରେ ବସିଥିଲେ ।

ପରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କ ସମସ୍ୟାର ସମାଧାନ ସହ ରଖିଥିବା ଦାବି ଗୁଡିକ ଉପରେ ବିଚାର କରିବାକୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଗେଟର ତାଲା ଖୋଲି ଆନ୍ଦୋଳନରୁ ଓହରି ଥିଲେ । ତେବେ ଆଗାମୀ ଦିନରେ ସମସ୍ୟାର ସମାଧାନ କରାନଗଲେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.