ଲୋକାର୍ପିତ ହେବ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ, ଷ୍ଟାଡିୟମରେ ରହିବ ବହୁମୁଖୀ ଇନଡୋର ହଲ୍ ଓ ସୁଇମିଂ ପୁଲ୍

ଖୁବଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି ପୁରୀର ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ । ଶ୍ରୀଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ମଧ୍ୟରେ ନିର୍ମାଣ ହୋଇଛି ଅତ୍ୟାଧୁନିକ କ୍ରିକେଟ ଷ୍ଟାଡିୟମ, ବହୁମୁଖୀ ଇନଡୋର ହଲ୍ ଓ ସୁଇମିଂ ପୁଲ୍।

ପୁରୀ(କେନ୍ୟୁଜ): ଖୁବଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି ପୁରୀର ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ । ଶ୍ରୀଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ମଧ୍ୟରେ ନିର୍ମାଣ ହୋଇଛି ଅତ୍ୟାଧୁନିକ କ୍ରିକେଟ ଷ୍ଟାଡିୟମ, ବହୁମୁଖୀ ଇନଡୋର ହଲ୍ ଓ ସୁଇମିଂ ପୁଲ୍। ଇଣ୍ଡୋର ହଲ୍ରେ ବକ୍ସିଂ, ରେସଲିଂ, ଜିମ୍ନାସିୟମ ଓ ଟେବୁଲ୍ ଟେନିସ୍ ଆଦି କ୍ରୀଡ଼ାର ସୁବିଧା ଉପଲବ୍ଧ ରହିଛି। ଏଥିସହ ଶହେ ସିଟ୍ ବିଶିଷ୍ଟ ଏକ ସ୍ପୋର୍ଟସ ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଇଛି। ଦୀର୍ଘବର୍ଷ ହେବ ପୁରୀରେ ଏକ ଷ୍ଟାଡିୟମ ନଥିବାରୁ ଅନେକ ପ୍ରତିଭାବାନ କ୍ରୀଡ଼ାବିତ୍ ଅଭ୍ୟାସ ପାଇଁ ସୁଯୋଗ ପାଉନଥିଲେ।

ଗତ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ। ପାଖାପାଖି ୧୪ ଏକର ଜମିରେ ୬୭ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରାଯାଇ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯାଇଛି । କ୍ରିକେଟ ଷ୍ଟାଡିୟମରେ ରଣଜୀ ଟ୍ରଫି ଭଳି ପ୍ରଥମ ଶ୍ରେଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଦୁଇ ହଜାର ଦର୍ଶକ ଖେଳ ଦେଖିବା ପାଇଁ ସୁନ୍ଦର ପାଭିଲିଅନ୍ ମଧ୍ୟ ରହିଛି। ସେହିପରି କ୍ରିକେଟ ଏକାଡେମୀର ବ୍ୟବସ୍ଥା କରାଯାଇଥିବା ବେଳେ ଏଥିରେ ଓଡ଼ିଶାର ଦକ୍ଷ ଖେଳାଳି ମାନେ ରହି ଅଭ୍ୟାସ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ କ୍ରୀଡ଼ା ପ୍ରେମୀ ଓ କ୍ରୀଡାବିତମାନେ ପ୍ରଶଂସା କରିଛନ୍ତି ।