Below header

ପ୍ରତିଦିନ ମଦ ପିଇ ଘରେ ଗଣ୍ଡଗୋଳ କରୁଥିଲା ପୁଅ, ରାଗି ଯାଇ ପିଟି ପିଟି ମାରି ଦେଲେ ବାପା

କୁଚିଣ୍ଡା (କେନ୍ୟୁଜ): କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡ଼ପୋଷ ପଞ୍ଚାୟତ ବଡ଼ଖଲିଆ ଗ୍ରାମରେ ଘରୋଇ କଳହକୁ ନେଇ ବାପା ନିଜ ପୁଅକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ବାମରା ବ୍ଲକ ଗଡ଼ପୋଷ ପଞ୍ଚାୟତ ବଡ଼ଖଲିଆ ତିର୍କୀ ପଡାର ଅସୀମ ତିର୍କୀ (୧୯) ପ୍ରତିଦିନ ମଦ ପିଇ ଘରେ ଗଣ୍ଡଗୋଳ କରି ଆସୁଥିଲେ। ମଦ ପିଇବା ପାଇଁ ବାପାଙ୍କୁ ଟଙ୍କା ମଧ୍ୟ ଦେବା ପାଇଁ ବାଧ୍ୟ କରୁଥିଲେ। ଅସୀମଙ୍କ ବାପା ଜେମ୍ସ ତିର୍କୀ ଏସବୁରୁ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ଅସୀମ ମଦ ପିଇ ପୁଣି ଘରେ ଗଣ୍ଡଗୋଳ କରିଥିଲେ। ଏନେଇ ଉଭୟ ବାପପୁଅଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା।

ରାଗିଯାଇ ଜେମ୍ସ ନିଜ ପୁଅକୁ ତଳେ କଚାଡି ଦେଇଥିବାରୁ ତାର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହା ସହ ଏକ ବାଡ଼ିରେ ମଧ୍ୟ ପ୍ରଚୁର ମାଡ଼ ମାରିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଅସୀମଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ୱାର୍ଡମେମ୍ବର ଜଗନ୍ନାଥ ମିଞ୍ଜ ପୋଲିସକୁ ଖବର ଦେଇଥିଲେ।

କୁଚିଣ୍ଡା ଉପଖଣ୍ଡ ପୋଲିସ ଅଧିକାରୀ ରାଜକିଶୋର ମିଶ୍ର, ଗୋବିନ୍ଦପୁର ଥାନାଧିକାରୀ ପ୍ରତାପ ରଣା, ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ବଲପୁରରୁ ଅନୁସନ୍ଧାନୀ ଦଳ ପହଞ୍ଚି ନମୁନା ସଂଗ୍ରହ କରିଥିଲେ। ଏ ନେଇ ଗୋବିନ୍ଦପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଜେମ୍ସ ତିର୍କୀକୁ ଗିରଫ କରାଯାଇଥିବା ସହ ହତ୍ୟାରେ ବ୍ୟବହୃତ ପଥର, ଠେଙ୍ଗା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.