Below header

ପରିଶ୍ରମର ଫଳ ସବୁବେଳେ ମିଠା: ଜାତୀୟ ପୁରସ୍କାର ପାଇଁ ଏକମାତ୍ର ପ୍ରସ୍ତର ଶିଳ୍ପୀ ଭାବେ ଯାଜପୁରର ସୁଶାନ୍ତ ଦାସ ମନୋନୀତ

ଯାଜପୁର(କେନ୍ୟୁଜ୍): ପରିଶ୍ରମର ଫଳ ସବୁବେଳେ ମିଠା। ଜଣେ ଯେକୌଣସୀ କାମକୁ ମନ ପ୍ରାଣ ଦେଇ କରିଥାଏ ସେହି କାର୍ଯ୍ଯରେ ସେ ସଫଳତା ପାଇବାଟା ନିଶ୍ଚିତ। ତେବେ ବିଶେଷ କରି ଆମ ଶିଳ୍ପୀମାନଙ୍କ କ୍ଷେତ୍ରରେ ଏହା ଟିକେ ସ୍ବତନ୍ତ୍ର। କାହିଁକିନା ଶିଳ୍ପୀର ପରିଶ୍ରମ ଫଳ ତା କଳାରେ ହିଁ ପ୍ରସଫୁଟିତ ହୋଇଥାଏ।  ଏମିତି ଜଣେ ଶିଳ୍ପୀଙ୍କ ଯିଏ ଏବେ ସମଗ୍ର ରାଜ୍ଯ ପାଇଁ ଗର୍ବ ଆଣିବାକୁ ଯାଉଛନ୍ତି।

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ପଲାଇ ଗ୍ରାମର ପ୍ରସ୍ତର ଶିଳ୍ପୀ ସୁଶାନ୍ତ କୁମାର ଦାସ । ଯିଏ ବର୍ତ୍ତମାନ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଭାରତ ସରକାରଙ୍କ ହସ୍ତଶିଳ୍ପ ଉନ୍ନୟନ କମିଶନରଙ୍କ କାର୍ଯ୍ଯାଳୟ ପକ୍ଷରୁ ନୂଆଦିଲ୍ଲୀ ଠାରେ ଘୋଷଣା କରାଯାଇଥିବା ରାଷ୍ଟ୍ରୀୟ ହସ୍ତଶିଳ୍ପ ପୁରସ୍କାର ପାଇଁ ସୁଶାନ୍ତଙ୍କ ପ୍ରକଳ୍ପକୁ ଚୟନ କରାଯାଇଛି । ସୁଶାନ୍ତ ହେଉଛନ୍ତି  ଏକମାତ୍ର ପ୍ରସ୍ତର ଶିଳ୍ପୀ, ଯିଏକି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସବୁଠାରୁ ଗର୍ବର କଥା ରାଷ୍ଟ୍ରପତିଙ୍କ ଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ । ଭାରତ ସରକାରଙ୍କ ବୟନ ମନ୍ତ୍ରାଳୟ ଅଧିନ ହସ୍ତଶିଳ୍ପ ଉନ୍ନୟନ କମିଶନରଙ୍କ କାର୍ଯ୍ଯାଳୟ ପକ୍ଷରୁ ସୋମବାର ନୂଆଦିଲ୍ଲୀଠାରେ ରାଷ୍ଟ୍ରିୟ ଶିଳ୍ପିଗୁରୁ ପୁରସ୍କାର, ରାଷ୍ଟ୍ରିୟ ପୁରସ୍କାର, ଡିଜାଇନ ଇନୋଭେସନ ପୁରସ୍କାର ପାଇଁ ଶିଳ୍ପୀମାନଙ୍କ ନାମ ଘୋଷଣା କରାଯାଇଛି । ସମଗ୍ର ଦେଶରୁ ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ୧୯ଜଣ ଶିଲ୍ପୀଙ୍କ ମଧ୍ୟରୁ ଓଡିଶାରୁ ସୁଶାନ୍ତ କୁମାର ଦାସ ଏହି ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ଏହି ପୁରସ୍କାର ଘୋଷଣା ହେବା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି।

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ପଲାଇ ଗ୍ରାମର ସ୍‌ୱର୍ଗତ ବ୍ରଜବଂଧୁ ଦାସଙ୍କ ପୁତ୍ର ସୁଶାନ୍ତ ଚଣ୍ଡିଖୋଲ-ପାରାଦୀପ ୫୩ନଂ ଜାତୀୟ ରାଜପଥର ଓଳାଶୁଣୀ ଛକ ନିକଟରେ ବ୍ରଜ କଳାକୃତି ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରତିଷ୍ଠା କରି ପ୍ରସ୍ତର ମୂର୍ତି ତିଆରି କରୁଛନ୍ତି । ସୂଚନା ଥାଉକି, ୨୦୧୯ମସିହା ପାଇଁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଭିତରେ ସାରାଦେଶରୁ ପଥର ଖୋଦେଇ ଏକମାତ୍ର କଳାକୃତିକୁ ଏହି ପୁରସ୍କାର ମିଳିବ । ଶ୍ରୀରାଧାକୃଷ୍ଣଙ୍କ ଝୁଲଣ ଯାତ୍ରାକୁ ନେଇ ଗୈାରହରା ପଥରରେ ଶିଳ୍ପୀ ସୁଶାନ୍ତ ଏହି ଅପୂର୍ବ କଳାକୃତିକୁ ର୍ନିମାଣ କରିଥିଲେ । ଦେଢଫୁଟ ଉଚ୍ଚତା ବିଶିଷ୍ଟ ଏହି ଭାଷ୍କର୍ଯ୍ଯ ଗଢିବାକୁ ତାଙ୍କୁ ପ୍ରାୟ ୧୦ମାସ ସମୟ ଲାଗିଥିଲା । ଏହି କଳାକୃତି ଭିତରେ ରାଧାକୃଷ୍ଣଙ୍କ କମନୀୟ ବିଗ୍ରହ ସହିତ ଚାରିଯୁଗର କଳକୀ ରାମ କୃଷ୍ଣ ଓ ନାରାୟଣଙ୍କ ସୁନ୍ଦର ମୂର୍ତି ଖୋଦେଇ ହୋଇଛି । ଏହାସହିତ ଶ୍ରୀକୃଷ୍ଣଙ୍କ ଷୋଳକଳାରୁ ୧୬ଟି ସୁନ୍ଦର ଓ କମନୀୟ ମୂର୍ତି ମଧ୍ୟ ଏହା ସହିତ ରହିଛି । ସୁଶାନ୍ତ ପୂର୍ବରୁ ରାଜ୍ଯ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ରାଜ୍ଯ କାଳକୃତି ପୁରସ୍କାର ଲାଭ କରିଛନ୍ତି । ଏହି ପୁରସ୍କାର ଘୋଷଣା ହେବା ପରେ ତାଙ୍କ ଖୁସି କହିଲେ ନସରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.