Below header

ହରୀଶର କଣ ଏବେ ମରିବାର ଥିଲା ? ଦୁର୍ଘଟଣାର ଘଣ୍ଟାଏ ଭିତରେ ଚାଲିଗଲା ଅଷ୍ଟମ ଶ୍ରେଣୀ ଛାତ୍ରର ଜୀବନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ମୁହଁ ସଞ୍ଜ ବେଳ । ବାପାଙ୍କ ବାଇକ୍‌ ପଛରେ ବସି ହରୀଶ ମନ ଖୁସିରେ ଫେରୁଥିଲା ଘରକୁ । ହେଲେମେଟ୍‌ ବି ପିନ୍ଧି ଥିଲା । ଆଉ କେଇ ମିନିଟ୍‌ ପରେ ପହଞ୍ଚି ଯାଇଥାନ୍ତା ଘରେ । ହେଲେ ଭାଗ୍ୟର ବିଡମ୍ବନା କୌଣସି କାମ ସାରି ରସୁଲଗଡ଼ରୁ ଘରକୁ ଆସୁଥିବା ବେଳେ ହଂସପାଳ ନିକଟରେ ଘଟିଲା ଅଘଟଣ । ଓ୍ଵାନ୍‌େଓ୍ଵରେ ସାଇଡ୍‌ ମାରି ଚାଲିଗଲା ଦ୍ରୁତଗାମୀ ଟ୍ରକ୍‌ଟିଏ । ଫଳରେ ଉଭୟ ବାପା ଓ ପୁଅ ରାସ୍ତା କଡ଼କୁ ଛିଟିକି ପଡ଼ିଲେ । ତେବେ ପୁଣି ଝାଡ଼ି ଝୁଡ଼ି ହୋଇ ଉଠି ଘରକୁ ଫେରିଲେ । ବାପା ସନ୍ତୋଷ ମହାରଣା ପ୍ରଥମେ ପୁଅର କିଛି ହୋଇଛି କି ନା ଦେଖିଲେ । ତାଙ୍କୁ ଲାଗିଲା ଅଳ୍ପକେ ବର୍ତ୍ତିଗଲେ ବୋଲି । ହେଲେ ଘରେ ଆସି ପହଞ୍ଚିଲା ପରେ ହଠାତ୍‌ ପୁଅ ହରୀଶଙ୍କୁ ଅଣନିଶ୍ୱାସୀ ଲାଗିଲା । ତୁରନ୍ତ ସନ୍ତୋଷ ପୁଅକୁ ନେଇ କ୍ୟାପିଟାଲ ହସପିଟାଲରେ ପହଞ୍ଚିଲେ । ହେଲେ ଡାକ୍ତର କହିଲେ ପିଲା ଆଉ ନାହିଁ । ତାର ମୃତ୍ୟୁ ହୋଇଯାଇଛି ।

ହରୀଶ ନଖରା ନିକଟ ଜୟପୁର ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲା । ପୋଲିସ୍‌ ଏ ଘଟଣା ଜାଣିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଶେଷରେ ନିରାଶ ବାପା ପୁଅର ଶବ ଧରି ପାହାଳ ସ୍ଥିତ ନିଜ ଘରକୁ ଫେରିଥିଲେ ।

ତେବେ ସନ୍ତୋଷଙ୍କ ଘରେ ଏବେ କାନ୍ଦ ବୋବାଳି । ବାର ତେର ବର୍ଷର ପୁଅ ଏମିତି ଅଚାନକ ଚାଲିଯିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଅନୁମାନ କରାଯାଉଛି କି ଗାଡ଼ିରୁ ପଡ଼ିଯିବା ବେଳେ ହରୀଶର ଦେହ ଭିତରେ ଆଘାତ ଲାଗିଥିଲା । ଯାହାଫଳରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା । ହୁଏତ ସେହି କାରଣରୁ ଶେଷରେ ତାର ଜୀବନ ମଧ୍ୟ ଚାଲିଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.