Below header

ବାପା ମା’ଙ୍କୁ ଝୁରୁଛନ୍ତି କଅଁଳ ଛୁଆ, ସହାୟତା ମିଳିଲେ ବଦଳି ଯାଇପାରେ ଏମାନଙ୍କ ଭାଗ୍ୟ

ବ୍ରହ୍ମପୁର(କେନ୍ୟୁଜ୍): ଆଖିରୁ ଲୁହ ଶୁଖୁନାହିଁ। ଯେତେବେଳେ ବାପା ମାଆ କଥା ମନେ ପଡିଯାଉଛି ଝୁରି ଝୁରି କାନ୍ଦୁଛନ୍ତି ଏହି ପିଲା ଦୁଇ ଜଣ। ହେଲେ କଣ କରିବେ ବାପା, ମାଆ ଦୁଇ ବର୍ଷ ହେଲା କୁଆଡେ ଚାଲିଯାଇଛନ୍ତି ଯେ ତାଙ୍କର ଆଉ ଦେଖା ନାହିଁ । ଏଇ ପିଲା ମାନଙ୍କର ଦୁଃଖକୁ ଦେଖି ଗାଁ ଲୋକଙ୍କ ଆଖିରେ ବି ଅଶ୍ରୁ ଚାଲି ଆସୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ତଳ ହରଡ଼ାବାଡ଼ି ଗାଁରେ। ଯେଉଁଠି ଏହି ବେସାହାରା ପିଲାମାନେ ଚାତକ ଭଳି ଅନାଇ ବସିଛନ୍ତି ସହାୟତାକୁ ।

ଏହି ହରଡ଼ାବାଡ଼ି ଗାଁର କନ୍ତାରୁ ମଳିକ ଓ ସାନଯମୁନା ମଳିକଙ୍କ ଦୁଇ ପୁଅ ଓ ଦୁଇ ଝିଅ। ଗାଁ ରେ ରହି ଚାଷ ଓ ଅନ୍ଯାନ୍ଯ କାମ କରି ଦୁଃଖେ ସୁଖେ ପରିବାର ଚଳାଇ ଆସୁଥିଲେ। କିନ୍ତୁ ହଠାତ କଣ ହେଲା କେଜାଣି ମାଆ ସାନଯମୁନା କାମ କରିବାକୁ ବାହାର ରାଜ୍ଯକୁ ଚାଲିଗଲେ । ଏହାର କିଛି ମାସ ପରେ ବାପା ବି ଛାଡି ଚାଲିଗଲେ ବାହାର ରାଜ୍ଯକୁ ରୋଜଗାର କରିବାକୁ। ଗଲେ ଯେ ଗଲେ ଆଉ ଫେରିଲେ ନାହିଁ। ଫୋନ୍ ଟିକେ କରିବାକୁ ବି ହେଲାନି। ଚାରି ଚାରିଟି ପିଲାଙ୍କୁ କିଏ କଣ ଏମିତି ଏକା ଛାଡି ଚାଲିଯାଏ ।

ତେବେ ସେ ଯାହା ହେଉନାକାହିଁକି ବାପା ମାଙ୍କ ଅନୁପସ୍ଥିତିରେ ବଡ ପୁଅ ତା ସାନା ଭାଇ ଭଉଣୀଙ୍କୁ ସାହାରା ଦେଲା। ହେଲେ ପେଟରେ ଭୋକ ଥାଇ କିଏ କଣ ଶାନ୍ତିରେ ଶୋଇପାରେ। ତେବେ ପରିସ୍ଥିତି ଏମିତି ହେଲା ଯେ ବଡ଼ ପୁଅ ବି କାମ ଧନ୍ଦା ପାଇଁ ବାହାର ରାଜ୍ଯକୁ ଗଲା। ଏବେ ସେ ଗୋଆରେ ଅଛି । ଏବେ ଆଉ ଏକ ପୁଅ, ଯାହାର ବୟସ ୧୨ ବର୍ଷ ହେବ, ତା ଏବେ ପାଠ ପଢା ଛାଡି କାମ କରିବାକୁ ପଡୁଛି । ଯିଏ ଯୋଉ କାମରେ ଡାକିଲା ତାକୁ ଯିବାକୁ ପଡୁଛି। ଆଉ ଏଇ ଅଧା ତିଆରି ହୋଇଥିବା ଘରେ ଦୁଇ କୁନି ଝିଅ, ଅନାଥ ଭଳି ଦିନ କାଟୁଛନ୍ତି। ସାନ ଝିଅଟି ସ୍କୁଲ୍ ଯାଇନଥିବା ବେଳେ ବଡ ଝିଅଟି ୬ଷ୍ଠ ଶେ୍ଣୀରେ ପାଠ ପଢୁଛି। ଆଉ ଝିଅଟି ଗୋଟେ ମେଧାବୀ ଛାତ୍ରୀ ବୋଲି ମଧ୍ଯ ଗାଁଲୋକେ କହିଛନ୍ତି ।

ଏହିପରି ସ୍ଥଳେ ଗାଁ ଲୋକଙ୍କ ସହିତ ବୁଢୀ ଜେଜେମା ଏବେ ଏହି ପିଲାମାନଙ୍କୁ ଦେଖାଶୁଣା କରୁଥିବା ବେଳେ, କିନ୍ତୁ ଅନେକ ସମୟରେ ପିଲାମାନେ ବାପା ମାଙ୍କୁ ଝୁରୁଥିବା ଗ୍ରାମବାସୀ କହିଛନ୍ତି। ଅନ୍ତତଃ ଏହି ପିଲାଙ୍କୁ କିଏ ସହାୟତାର ହାତ ବଢ଼ାଇଲେ ଏମାନଙ୍କ ଭବିଷ୍ଯତ ଉଜ୍ଜଳ ହେବା ସହିତ ଏମାନେ ଉପକୃତ ହୋଇ ପାରନ୍ତେ। ଏହି ପରିବାରକୁ ଏବେ ସରକାରୀ ଯୋଜନାରେ ରାସନ କାର୍ଡରେ ଚାଉଳ ମିଳୁଥିବା ବେଳେ, ଅଧା ତିଆରି ଏହି ଘରେ କଟୁଛି ଏମାନଙ୍କ ଜୀବନ। ତେବେ ଏହି ଶିଶୁଙ୍କୁ ପାଠ ପଢା ସହ ଅନ୍ଯାନ୍ଯ ସରକାରୀ କିମ୍ବା ବେସରକାରୀ ସହାୟତା ଯୋଗାଇ ଦେବାକୁ ଗାଁଲୋକେ ଅନୁରୋଧ କରିଛନ୍ତି।

ଜୀବନର ଚଲାପଥରେ ଘରର ମୁରବୀ ମାନଙ୍କୁ ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ହେଲେ ବାପା ମା କେବେ ବି ନିଜ ଛୁଆକୁ ଏକଥା ଜାଣିବାକୁ ହିଁ ଦିଅନ୍ତି ନାହିଁ । ହେଲେ ଏଠାରେ କି ଦୋଷ ଏପିଲାଙ୍କର । ଏମିତି କଣ ଜନ୍ମ କଲା ପିଲାକୁ ବେସାହାରା କରି କିଏ ଚାଲିଯାଏ । ସମୟ କହିବ ଏଇ ଛୁଆଙ୍କ ବାପା ମା ଆଉ ଫେରିବେ ନା ନାହିଁ? ହେଲେ ଏଇ ପିଲାଙ୍କ ଭବିଷ୍ଯତ କିନ୍ତୁ ବିପଦରେ। କିନ୍ତୁ କଥାରେ ଅଛି ଅରକ୍ଷିତ କୁ ଦଇବ ସାହା। ହୁଏତ କାହାର ସହାୟତା ପାଇ ଏଇ ଶିଶୁଙ୍କ ଭାଗ୍ଯ ବଦଳିଯାଏ ପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.