Below header

ପରକୀୟା ପ୍ରେମରୁ ହତ୍ୟା, ତିନି ଜଣ ମିଶି ମନୋଜଙ୍କୁ ମାରି ନଦୀ ପଠାରେ ପୋତି ଦେଇଥିଲେ

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ବହୁ ଚର୍ଚ୍ଚିତ ବରୀ ଥାନା ବିରୁପା ନଦୀପଠାରୁ ମିଳିଥିଲା ଏକ ନରକଙ୍କାଳ । ଏହି କଙ୍କାଳ ଉଦ୍ଧାର ଘଟଣାର ରହସ୍ୟ ଉପରୁ ପୋଲିସ୍‌ ପରଦା ଉଠାଇଛି । ସେହି ନରକଙ୍କାଳ କେନ୍ଦ୍ରାପଡା ଜିଲ୍ଲା ନିକିରେଇ ଥାନା ଅନ୍ତର୍ଗତ ଧୁମାତ ଗାଁର ତପନ କୁମାର ଗୋଚ୍ଛାୟତଙ୍କ ପୁଅ ମନୋଜଙ୍କର ବୋଲି ପୋଲିସ ସ୍ପଷ୍ଟ କରିଛି । ମନୋଜଙ୍କୁ ହତ୍ୟା କରିବା ପରେ ଏହି ନଦୀ ପଠାରେ ପୋତି ଦିଆଯାଇଥିଲା ।

ଯାହା ସୂଚନା ମିଳିଛି, ପରକୀୟା ପ୍ରୀତି ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏ ସମ୍ପର୍କରେ ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପୋଲିସ ସୂଚନା ମୁତାବକ ମୃତ ମନୋଜ ପେସାରେ ଜଣେ ଅଟୋ ଡ୍ରାଇଭର ଥିଲେ । ମନୋଜ ଏବଂ ବରୀ ଥାନା ମହାକାଳପଡା ଗାଁର କ୍ଷୀରୋଦ ପରିଡାଙ୍କ ପତ୍ନୀ ସବିତା ଓରଫ କୁନିଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ସ୍ୱାମୀ କ୍ଷୀରୋଦ ବାହାରେ ରହୁଥିବା ସୁଯୋଗ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ସଂପର୍କ ରହିଥିଲା । କିନ୍ତୁ ହଠାତ ଅଟୋ ଚାଳକ ମନୋଜଙ୍କ ବିବାହ ପର ଠାରୁ ଉଭୟଙ୍କ ସଂପର୍କରେ ଦୂରତା ଆସିଲା । ଏହାରି ଭିତରେ ବରୀ ଗମୁ ଗାଁର ଅଭୟ ନାୟକ ଓରଫ ବାବୁଲା ସହିତ କୁନିଙ୍କ ପ୍ରେମ ସଂପର୍କ ଆରମ୍ଭ ହୋଇଗଲା ବୋଲି କୁହାଯାଉଛି । ଧୀରେ ଧୀରେ ଏହି ଘଟଣା ମନୋଜ ଜାଣିବା ପରେ ଉଭୟ ମନୋଜ ଓ ଅଭୟଙ୍କ ମଧ୍ୟରେ ବିବାଦର ସୃଷ୍ଟି ହୋଇଥିଲା । ମନୋଜଙ୍କୁ ରାସ୍ତାରୁ ହଟେଇବା ପାଇଁ କୁନି, ଅଭୟ ଏବଂ କ୍ଷୀରୋଦ ଯୋଜନା କରିଥିଲେ।

ଗତ ଅକ୍ଟୋବର ୧୩ ତାରିଖ ରାତିରେ କୁନି ପାଖକୁ ମନୋଜ ଆସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ପୁଣି ପ୍ରମାଣ ନଷ୍ଟ କରିବା ପାଇଁ ମନୋଜର ଶବକୁ ବିରୁପା ନଦୀ ପଠାରେ ପୋତି ଦେଇଥିଲେ ଅଭିଯୁକ୍ତମାନେ। ପରିବାର ଲୋକେ ବିଭିନ୍ନ ସ୍ଥାନରୁ ଖବର ପାଇ ବରୀ ଅଂଚଳରେ ଖୋଜାଖୋଜି କରିବା ପରେ ପ୍ରଥମେ ମନୋଜଙ୍କ ମୋଟର ସାଇକେଲ ପାଇଥିଲେ । ପରେ ନଦୀ ପଠାରେ ମନୋଜଙ୍କ ସାର୍ଟ ମିଳିଥିଲା । ଆହୁରି ଖୋଜାଖୋଜି କରିବାରୁ କଙ୍କାଳ ଉଦ୍ଧାର ହୋଇଥିଲା । ଏ ସଂପର୍କରେ ପରିବାର ଲୋକେ ପୁଣି ଏକ ଏତଲା ବରୀ ଥାନାରେ ଦେଇଥିଲେ । ପରେ ପୋଲିସ ସାଇଣ୍ଟିଫିକ ଟିମ ତଦନ୍ତ କରି ନରକଙ୍କାଳଟି ନିଖୋଜ ମନୋଜଙ୍କର ବୋଲି ପ୍ରମାଣ ପାଇଥିଲା । ଏହା ପରେ ଅଭିଯୁକ୍ତ କୁନି, ବାବୁଲା ଏବଂ କ୍ଷୀରୋଦକୁ ପୋଲିସ୍‌ ଗିରଫ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.