Below header

ସୀମା ଲଂଘୁଛି ଚୀନ୍ ର ଦାଦାଗିରି : ତାଇୱାନରେ ପଶିଲା ଡ୍ରାଗନ୍ର ଜେଟ୍, ମିସାଇଲ ଦେଖାଇ ଫେରାଇଦେଲା ତାଇଓ୍ଵାନ

ନୂଆଦିଲ୍ଲୀ : ସୀମା ଲଂଘୁଛି ଚୀନ୍ ର ଦାଦାଗିରି । ତାଇଓ୍ଵାନ ଆକାଶରେ ପୁଣି ଉଡ଼ାଇଲା ଯୁଦ୍ଧ ବିମାନ । ୪୬ ଫାଇଟର ଜେଟ୍ ଉଡ଼ାଇ ଆତଙ୍କ ସୃଷ୍ଟି କରିଛି। ତାଇଓ୍ଵାନ ଡରି ଯାଇନି । ମିସାଇଲ ଦେଖାଇ ଚୀନ୍ ଏୟାରକ୍ରାଫ୍ଟକୁ ନିଜ ସୀମାର ରାସ୍ତା ଦେଖାଇଛି । ସେପଟେ ଆମେରିକା ପରେ ବ୍ରିଟେନ୍ ସହ ସଂପର୍କ ବଢ଼ାଇବାକୁ ଯାଉଛି ତାଇଓ୍ଵାନ୍ । ଚଳିତ ସପ୍ତାହରେ ତାଇଓ୍ଵାନ ଆସୁଛନ୍ତି ବ୍ରିଟେନ୍ର ଜଣେ ମନ୍ତ୍ରୀ। ଯାହାକୁ ତୀବ୍ର ବିରୋଧ କରିଛି ବେଜିଂ ।

ଚୀନ୍-ତାଇଓ୍ଵାନ ମଧ୍ୟରେ କୁହୁଳୁଛି ଯୁଦ୍ଧର ନିଆଁ । ଯେ କୌଣସି ସମୟରେ ହୋଇପାରେ ଆକ୍ରମଣ-ପ୍ରତିଆକ୍ରମଣ । ପିଲଏର ୪୬ଟି ଫାଇଟର ଜେଟ୍ ତାଇଓ୍ଵାନ ଆକାଶରେ ଚକ୍କର କାଟିଛି । ଏଥିରୁ ୨୧ଟି ଏୟାରକ୍ରାଫ୍ଟ ମିଡିଆନ୍ ଲାଇନ୍ ଉପରେ ଉଡ଼ିଥିଲା । ଏହା ଭିତରେ ରହିଛି JH-7, CH-4, ୨ଟି ସୁଖୋଇ 30, ୪ଟି J-11, ୮ଟି J-16 ଓ Y-8 ASW ଏୟାରକ୍ରାଫ୍ଟ । ତାଇଓ୍ଵାନ ପ୍ରତିରକ୍ଷା ମନ୍ତ୍ରାଳୟ ଟ୍ଵିଟ୍ କରି ଚୀନ୍ ଦାଦାଗିରିର ସୂଚନା ଦେଇଛି ।

କେବଳ ବିମାନ ନୁହେଁ । ୪ଟି ଯୁଦ୍ଧ ପୋତ ମଧ୍ୟ ତାଇଓ୍ଵାନ ଜଳସୀମାରେ ପଶିଥିଲା । ତେବେ ଡ୍ରାଗନ୍ର ଫାଙ୍କା ଧମକରେ ଭୟଭିତ ହୋଇନଥିଲା ତାଇଓ୍ଵାନ । ଏୟାରକ୍ରାଫ୍ଟ, ଯୁଦ୍ଧପୋତ ଓ ମିସାଇଲ ସିଷ୍ଟମ ଦ୍ୱାରା ତୁରନ୍ତ ଦେଇଥିଲା ଜବାବ । ତାଇଓ୍ଵାନର ଯୁଦ୍ଧାସ୍ତ୍ର ଦେଖିବା ପରେ ନିଜ ସୀମାକୁ ଫେରି ଯାଇଥିଲେ ଚୀନ୍ର ଏୟାରକ୍ରାଫ୍ଟ ଓ ଯୁଦ୍ଧ ପୋତ ।

ଆମେରିକା ହାଉସ୍ ସ୍ପିକର ନାନ୍ସୀ ପେଲୋସୀ ତାଇଓ୍ଵାନ ଆସିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ି ଯାଇଛି। ଆମେରିକା ସହ ମଧ୍ୟ ଚୀନ୍ର ତିକ୍ତତା ବଢ଼ିଛି । ନାନ୍ସୀ ପୋଲୋସୀଙ୍କ ଗସ୍ତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ଚୀନ୍। ତାଇଓ୍ଵାନକୁ ଘେରାବନ୍ଦୀ କରି ଯୁଦ୍ଧ ସ୍ଥିତି ସୃଷ୍ଟି ସୃଷ୍ଟି କରିଥିଲା।

କିନ୍ତୁ ଏହା ପରେ ବି ଚୁପ୍ ହୋଇ ନଥିଲା ଆମେରିକା । ନାନ୍ସୀଙ୍କ ପରେ ଆଉ ୨ ଥର ତାଇଓ୍ଵାନକୁ ପଠାଇଥିଲା ଉଚ୍ଚସ୍ତରୀୟ ପ୍ରତିନିଧି । ଏହା ପରେ ପୂରା ବିଗିଡ଼ି ଯାଇଥିଲା ସ୍ଥିତି । ଚୀନ୍ କହିଥିଲା ଆମେରିକା ନିଆଁ ସହ ଖେଳୁଛି । ତାଇଓ୍ଵାନକୁ ଚୀନ୍ ଆକ୍ରମଣ କଲେ ସିଧାସଳଖ ସାମରିକ ସହାୟତା ଦେବ ବୋଲି କହିଥିଲା ଆମେରିକା ।

ଏବେ ଆମେରିକା ପରେ ଚୀନ୍ର ଟେନ୍ସନ ବଢ଼ାଇବାକୁ ଯାଉଛି ବ୍ରିଟେନ୍ । ବ୍ରିଟେନ୍ ମନ୍ତ୍ରୀ ଗ୍ରେଗ୍ ହ୍ୟାଣ୍ଡସ୍ ତାଇଓ୍ଵାନ ଆସୁଛନ୍ତି । ତାଇଓ୍ଵାନ ରାଷ୍ଟ୍ରପତି ସାଇ-ଇଙ୍ଗ-େଓ୍ଵନଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଆଲୋଚନା ହେବ ବୋଲି ସୂଚନା ରହିଛି। ବ୍ରିଟେନ୍ ମନ୍ତ୍ରୀଙ୍କ ତାଇଓ୍ଵାନ ଗସ୍ତ ପୁଣି ଚୀନ୍ର ରକ୍ତଚାପ ବଢ଼ାଇ ଦେଇଛି । ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ୍ ବୈଦେଶିକ ମନ୍ତ୍ରାଳୟ।

ବ୍ରିଟେନ୍କୁ ଚେତାବନୀ ଶୁଣାଇଛି । କୌଣସି ଉଚ୍ଚସ୍ତରୀୟ ପଦାଧିକାରୀଙ୍କୁ ତାଇଓ୍ଵାନ ପଠାଇବାରୁ ବ୍ରିଟେନ୍ କ୍ଷାନ୍ତ ରହୁ ବୋଲି କହିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ୍ । ସେହିପରି କୌଣସି ବିଦେଶୀ ଶକ୍ତିସହ ହାତ ନମିଳାଇବାକୁ ତାଇଓ୍ଵାନକୁ ଚେତାବନୀ ଶୁଣାଇଛନ୍ତି ଲିଜିଆନ୍ । ତାଇଓ୍ଵାନକୁ ନିଜର ଅଂଶବିଶେଷ ବୋଲି ଦାବି କରି ଆସୁଛି ଚୀନ୍ । ତାଇଓ୍ଵାନ ଉପରେ ଚୀନ୍ର ଶାସନକୁ କେହି ଅଟକାଇ ପାରିବେ ନାହିଁ ବୋଲି କିଛି ଦିନ ତଳେ କହିଥିଲା ଡ୍ରାଗନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.