ଚନ୍ଦନ଼ ପୋଖରୀରେ ଚାପ ଖେଳିଲେ ଶ୍ରୀ ଶ୍ରୀ ଅଟଳ ବଳଦେବ ଜୀଉ ମହାପ୍ରଭୁ, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ସଦରବ୍ଲକ ପଳାଶୋଳସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁଙ୍କ ପୀଠରେ ପବିତ୍ର ଅକ୍ଷୟ ତୃତୀୟାଠାରୁ ୨୧ଦିନ ବ୍ୟାପି ଚନ୍ଦନ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଛି ।

ଜଗତସିଂହପୁର(କେନ୍ୟୁଜ): ଅସହ୍ୟ ଗରମରୁ ବଞ୍ଚିବା ପାଇଁ ଚନ୍ଦନ଼ ପୋଖରୀର ଶୁଶୀତଳ ଜଳରାଶିରେ ଚାପ ଖେଳିଛନ୍ତି ଠାକୁର । ମଣିଷ ଯେପରି ବୈଶାଖ ବର୍ଷା ଶୀତ ବସନ୍ତ ଅନୁଭବ କରେ ଠିକ ସେହିପରି ଠାକୁରମାନେ ମଧ୍ୟ ସମସ୍ତ ଋତୁକୁ ଅନୁଭବ କରନ୍ତି । ଏବେ ଗ୍ରୀଷ୍ମର ପ୍ରକୋପ ଜାରି ରହିଥିବାରୁ ଠାକୁର ମନ୍ଦିରରୁ ଓହ୍ଲାଇ ଆସିଛନ୍ତି ଚନ୍ଦନ ପୋଖରୀର ଶୁଶୀତଳ ଜଳରାଶିକୁ । ଅପରାହ୍ନରେ ମନ ଭରି ଚନ୍ଦନ ଚାପର ଆନନ୍ଦ ନେଉଛନ୍ତି ।

ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ସଦରବ୍ଲକ ପଳାଶୋଳସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁଙ୍କ ପୀଠରେ ପବିତ୍ର ଅକ୍ଷୟ ତୃତୀୟାଠାରୁ ୨୧ଦିନ ବ୍ୟାପି ଚନ୍ଦନ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଛି । ଏନେଇ ପଳାଶୋଳ ୟୁଥ ହେଲପିଙ୍ଗ ବୟ ଚାରିଟେବୁଲ ଟ୍ରଷ୍ଟ ଏବଂ ଚନ୍ଦନ ଯାତ୍ରା ପରିଚାଳନା କମିଟିର ମିଳିତ ସହଯୋଗରେ ଚନ୍ଦନ ପୁଷ୍କରଣୀରେ ମହାପ୍ରଭୁଙ୍କ ଚାପ ଖେଳ ଅନୁଷ୍ଠିତ ହୋଇଛି ।

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ମୀନାବଜାର ,ଶ୍ରୀଜୀଉଙ୍କର ୨୪ ବେଶ ଦର୍ଶନ ଉଦଘାଟିତ ହୋଇଯାଇଛି । ସମାଜସେବୀ ବଂଶୀଧର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଧୁସନ୍ଥମାନଙ୍କ ଦ୍ଵାରା ପ୍ରବଚନ, ନୃତ୍ୟଗୀତ, ଭଜନକୀର୍ତନ, କାଠି ଲଉଡ଼ି, ଯାତ୍ରା ଆଦି କାର୍ଯ୍ୟକ୍ରମ କରାଯିବା ସହିତ ବିଶିଷ୍ଟ ସମାଜସେବୀ, ସୁସାହିତ୍ୟିକ, ଲେଖକ, ସ୍ଵେଛାସେବୀ, ବିଶିଷ୍ଟ କଳାକାରମାନଙ୍କୁ ଉକ୍ତ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି ।

ଦୀର୍ଘ ଏକୋଇଶ ଦିନ ଧରି ଏହି ଯାତ୍ରା ଚାଲେ । ପ୍ରତ୍ୟେକ ଦିନ ଠାକୁର ସୁସଜ୍ଜିତ ବିମାନରେ ପୋଖରୀ କୂଳକୁ ଆସିଥାନ୍ତି । ପରେ ଠାକୁରଙ୍କୁ ନୌକାରେ ବସାଇ ପୋଖରୀ ଚତୁଃପାର୍ଶ୍ଵରେ ପରିକ୍ରମା କରାଯାଇଥାଏ । ମାହାପ୍ରଭୁଙ୍କ ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରିବା ପାଇଁ ପୋଖରୀ କୂଳରେ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥାନ୍ତି । ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପି ଉଠେ ସମଗ୍ର ପରିବେଶ । ତେବେ ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁଙ୍କ ପୀଠରେ ମଧ୍ୟ ଧୁମଧାମରେ ପାଳିତ ହେଉଛି ଚନ୍ଦନ ଯାତ୍ରା ।

You might also like