ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ, ଟଲ୍‌ ମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ସାରା ଓଡ଼ିଶା

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ। ଟଲ୍‌ ମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ସାରା ଓଡ଼ିଶା। ସାଲିସ ବିହୀନ ରାଷ୍ଟ୍ରନୀତିଜ୍ଞ, ଚିନ୍ତାନାୟକ, ଓଡ଼ିଆ ସ୍ୱାଭିମାନର ପ୍ରତୀକ, କଳିଙ୍ଗ ବୀର ଓ ପ୍ରବାଦ ପୁରୁଷ ଭାବରେ ଓଡ଼ିଶାର ଘରେ ଘରେ ପରିଚିତ ବିଜୁ ପଟ୍ଟନାୟକ। କେବଳ ଓଡ଼ିଶା ନୁହେଁ, ଭାରତର ରାଜନୀତିରେ ଯେଉଁ କେତେଜଣ ଉଚ୍ଚରୁ ଉଚ୍ଚତର ସୋପାନରେ ପହଞ୍ଚି ପାରିଥିଲେ ସେମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ଅନ୍ୟତମ। ୧୯୧୬ ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ।

ବାଲ୍ୟକାଳରୁ ଥିଲେ ସାହସୀ ଓ ସ୍ୱାଭିମାନୀ। କଟକ ମିସନ ସ୍କୁଲ, ରେଭେନ୍‌ସା କଲେଜରୁ ଆଇସିଏସ ପରେ ପାଇଲଟ ଭାବେ ପ୍ରଶିକ୍ଷଣ ନେଇଥିଲେ। ନିଜକୁ ଜଣେ ଦକ୍ଷ ପାଇଲଟ ଭାବେ ପ୍ରତିଷ୍ଠା କରି କଳିଙ୍ଗ ବୀର ଭାବେ ଅବିହିତ ହୋଇଥିଲେ। ଭାରତ, ଇଣ୍ଡୋନେସିଆ ଓ ଋଷିଆର ମୁକ୍ତି ଆନ୍ଦୋଳନରେ ସକ୍ରିୟ ଭାଗ ନେଇଥିଲେ ବିଜୁବାବୁ। ଇଣ୍ଡୋନେସିଆ ମୁକ୍ତି ଆନ୍ଦୋଳନରେ ଡଚ୍‌ ମାନଙ୍କ କବଳରୁ ସୁଲତାନ ସାଜହରିରଙ୍କୁ ମୁକ୍ତ କରି ସମସ୍ତଙ୍କୁ ବିସ୍ମିତ କରିଥିଲେ। ପରେ ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲେ। ଓଡ଼ିଶା ରାଜନୀତିରେ ଅର୍ଦ୍ଧଶତାବ୍ଦୀ ଧରି ସେ ଜଡ଼ିତ ଥିଲେ।

ଦୁଇ ଥର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ସେ ଥିଲେ ଜଣେ ବିସ୍ମୟକର ରାଜନେତା। ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ପାରାଦୀପ ବନ୍ଦର, ଡୁବୁରୀରୁ ପାରାଦୀପ ଏକ୍ସପ୍ରେସ ୱେ, ଚୌଦ୍ୱାରରେ ଓଟିଏମ ଓ କଳିଙ୍ଗ ଟ୍ୟୁବ୍‌ସ କାରଖାନା, ଭୁବନେଶ୍ୱରରେ ସୈନିକ ସ୍କୁଲ ଆଦି ପ୍ରତିଷ୍ଠା କରିଥିଲେ। ପ୍ରଶାସନକୁ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବାକୁ ୧୩ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରିଥିଲେ। ୧୯୯୭ ଏପ୍ରିଲ ୧୭ ତାରିଖରେ ଏହି ମହାନାୟକଙ୍କର ଦେହାନ୍ତ ହୋଇଥିଲା। ବିଜୁବାବୁଙ୍କ ଅବଦାନ କେବଳ ଓଡ଼ିଶାକୁ ନୁହେଁ, ସମଗ୍ର ଦେଶରେ ମଧ୍ୟ ଅତୁଳନୀୟ। ଏହା ସତ୍ତ୍ୱେ ତାଙ୍କ ମୃତ୍ୟୁର ଏତେ ବର୍ଷ ପରେ ମଧ୍ୟ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯାଇପାରିନାହିଁ। ବର୍ତ୍ତମାନର କେନ୍ଦ୍ର ସରକାର ତାଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ସବୁ ମହଲରୁ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.