ଏଥର ଫିକା ପଡ଼ିବାକୁ ଦେବାନି ରଥ ଯାତ୍ରା ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ସବୁ କିଛି କାଳିଆର ଖେଳ । ସେ ଫନି ହେଉ କି ଆଉ କିଛି ସବୁ ତ ତାଙ୍କରି ଲୀଳା । ମେ ୩ ତାରିଖ ପୂରା ପୁରୀ ଜିଲ୍ଲା ପାଇଁ ଆଣି ଦେଇଛି ସଂକଟ । ଏଥିରୁ ସମ୍ପୂର୍ଣ୍ଣ ରୂପେ ଉଦ୍ଧାର ପାଇବା ଲାଗି ମାସ ମାସ ବର୍ଷ ବର୍ଷ ଲାଗିଯିବ । ତେବେ କେବଳ ପୁରୀ ବାସିନ୍ଦା ନୁହନ୍ତି, ସାରା ବିଶ୍ୱ ଚାହେଁ କିଭଳି ଶୀଘ୍ର ସବୁ କିଛି ସ୍ୱାଭାବିକ ହେଉ ଏବଂ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେଉ ।
ତେବେ କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ… । ତେଣୁ ସବୁ କିଛି ସେଇ ଜଗତର ନାଥଙ୍କ ଉପରେ ନିର୍ଭର କରୁଛି । ପ୍ରକୃତି ତା କାମ କରି ଦେଇଗଲା । ଆଉ ଏବେ ମଣିଷ ତା କାମ କରୁଛି । ମନ୍ଦିର ଭିତର ସେବାୟତ ହୁଅନ୍ତୁ କି ରଥ କାମ କରୁଥିବା ମହରଣା କାରିଗର, ଏମିତିକି ଭକ୍ତଗଣ ସମସ୍ତଙ୍କର ଗୋଟିଏ ପ୍ରାର୍ଥନା କିଭଳି ରଥଯାତ୍ରା ବେଳକୁ ସବୁ କିଛି ସାମାନ୍ୟ ଓ ସ୍ୱାଭାବିକ ହୋଇଯାଉ ।

ପୁରୀ ହେଉଛି ପର୍ଯ୍ୟଟନ କ୍ଷେତ୍ର । ଏହାର ଅର୍ଥନୀତି ମଧ୍ୟ ପର୍ଯ୍ୟଟନ ଉପରେ ନିର୍ଭରଶୀଳ । ଲକ୍ଷ ଲକ୍ଷ ଲୋକ ତାର ଉପରେ ନିର୍ଭର କରି ପରିବାର ଚଳାଉଛନ୍ତି । ସେ ସମୁଦ୍ର କୂଳରେ ଠିଆ ହୋଇଥିବା ବଡ଼ ବଡ଼ ହୋଟେଲ ହୁଅନ୍ତୁ କିମ୍ବା ବେଳାଭୂମିରେ ଚଣା ବିକ୍ରି କରି ଅଥବା ଓଟ ଓ ଘୋଡ଼ାରେ ଲୋକଙ୍କୁ ବସାଇ ରୋଜଗାର କରୁଥିବା କ୍ଷୁଦ୍ର ବ୍ୟବସାୟୀ, ସମସ୍ତେ ଫନି ମାଡ଼ରେ ଆଘାତ ପାଇଛନ୍ତି । ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ବଡ଼ ଆଘାତ ଲାଗିଛି । ହୋଟେଲ ସବୁ ଭଲ ଭାବେ ମରାମତି ହୋଇ ପୁଣି ନିଜକୁ ଠିଆ କରାଇବା ଲାଗି ଅନେକ ଦିନ ଲାଗିବ । ଏପଟେ ରଥଯାତ୍ରା ପାଇଁ ରାଜ୍ୟରୁ ଆରମ୍ଭ କରି ରାଜ୍ୟ ବାହାର ଓ ବିଦେଶୀ ପର୍ଯ୍ୟଟକ ହୋଟେଲ ବୁକ୍‌ କରିଥାନ୍ତି । ବର୍ତ୍ତମାନ ପରିସ୍ଥିତିରେ କିନ୍ତୁ ତାହା ସମ୍ଭବ ନୁହେଁ । କାରଣ ଯୁଦ୍ଧକାଳୀନ ଭିତ୍ତିରେ ହୋଟେଲ ମାଲିକମାନେ ମରାମତି କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ହେଉନାହିଁ । ତେଣୁ ହୋଟେଲର କିଛି ରୁମ୍‌କୁ ସଜାଡ଼ିି ଅଳ୍ପ ସଂଖ୍ୟକ ପର୍ଯ୍ୟଟକଙ୍କ ପାଇଁ ବୁକ୍‌ କରିବା ଲାଗି ବ୍ୟବସ୍ଥା କରିବେ ବୋଲି ସୂଚନା ମିଳିଛି ।

puri
ଅନ୍ୟପକ୍ଷରେ ଏବେ ଏନେଇ ସରକାରଙ୍କ ଦାୟିତ୍ୱ ବହୁତ ବଢ଼ି ଯାଉଛି । ପ୍ରଥମରେ ପୁନରୁଦ୍ଧାର କାମକୁ ଯେତେ ଶୀଘ୍ର ଶେଷ କରିବା ଦରକାର । ଦ୍ୱିତୀୟରେ ରଥଯାତ୍ରା ପାଇଁ ଆସିବାକୁ ଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ରହିବା ବ୍ୟବସ୍ଥା କରିବା ଜରୁରୀ । କାରଣ ଫନି ସିନା ଶ୍ରୀକ୍ଷେତ୍ରର ଶିରି ଛଡ଼ାଇ ନେଇଛି, ହେଲେ ମହାପ୍ରଭୁଙ୍କ ଠାରେ ଥିବା ଭକ୍ତଙ୍କ ଭକ୍ତି ଓ ଭାବାବେଗକୁ ଟିକିଏ ବି ଊଣା କରି ପାରିନାହିଁ । ତେଣୁ ଯେତେ ଯାହା ହେଲେ ବି ଭକ୍ତଙ୍କ ସଂଖ୍ୟା କମିବ ବୋଲି ଆଶା କରିବା ଭୁଲ ହେବ ।
ତେବେ ଭକ୍ତଙ୍କ ସଂଖ୍ୟା ଯାହା ରହିବ ସେଥିରେ ସେମାନଙ୍କ ପାଇଁ ବ୍ୟବସ୍ଥା ପର୍ଯ୍ୟାପ୍ତ ହେବ ନାହିଁ । ସେଥିଲାଗି ରାଜ୍ୟ ସରକାର ଆଗୁଆ ଚିନ୍ତା କରିବା ଦରକାର । ଅନ୍ୟପକ୍ଷରେ ନିର୍ବାଚନ ସମୟ ଯୋଗୁଁ କିଛି କଥା ନିଶ୍ଚିତ ଭାବେ ପ୍ରଭାବିତ ହେଉଛି । ତେଣୁ ଏଦିଗରେ ପ୍ରଶାସକଙ୍କ ଦାୟିତ୍ୱ ବହୁତ ଅଧିକ ରହିଛି । ତେଣୁ ବେଳ ଥାଉ ଥାଉ ରଥଯାତ୍ରା ପାଇଁ ବିଶେଷ କରି ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ଦେଇ ପୁରୀକୁ ଆଣିବାର ବ୍ୟବସ୍ଥା କରାଯାଉ । ଫନିର କୌଣସି ନକାରାତ୍ମକ ପ୍ରଭାବ ଯେଭଳି ରଥଯାତ୍ରା ଉପରେ ନପଡୁ, ଏଦିଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ସମସ୍ତ ବ୍ୟକ୍ତିଙ୍କର ଦାୟିତ୍ୱ ହେବା ଉଚିତ । ଯାହା ଓଡ଼ିଶା ରାଜ୍ୟ ଓ ସର୍ବୋପରି ଜଗନ୍ନାଥଧାମ୍‌ର ମର୍ଯ୍ୟାଦାର ପ୍ରଶ୍ନ ।

ହିମାଂଶୁ ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.