ସମ୍ଭାଳି ପାରିଲାନି ପଣସର ବାସ୍ନା, ଗଛକୁ ଚଢ଼ି ଭାଲୁ ଖାଇଲା ପଣସ

ନବରଙ୍ଗପୁର (କେନ୍ୟୁଜ) : ରଜ ଆସିଲାଣି ଚାରିଆଡେ ମହକିଲାଣି ପଣସର ବାସ୍ନା । ଏଇ ଦିନରେ ପଣସର ଚାହିଦା ବହୁତ ବେଶି । ବଜାରରେ ତ ଚଢ଼ା ଦରରେ ଏବେ ବିକ୍ରି ହେଉଛି ପଣସ । ଅନେକ ଲୋକଙ୍କୁ ଏହା ଖାଇବାକୁ ଭାରି ପସନ୍ଦ । ତେବେ କିନ୍ତୁ ପଣସର ବାସ୍ନାରେ ନିଜକୁ ଅଟକାଇ ପାରିନି ଜଙ୍ଗଲରେ ରହୁଥିବା ଭାଲୁ । ସିଧା ଜଙ୍ଗଲରୁ ଆସିଗଲା ଜନବସତି ସ୍ଥାନକୁ । ଆଉ ଗଛକୁ ଚଢ଼ି ପଣସକୁ ଜାବୁଡି ଧରି ମନ ଭରାଇ ଖାଇଲା ଭାଲୁ ।

ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଭତରାସିଉନିରେ ଗଛରେ ଚଢି ପଣସ ଖାଉଛି ଭାଲୁ । ଏହା ଦେଖି ଭୟଭୀତ ଗ୍ରାମବାସୀ ବନ ବିଭାଗକୁ ଦେଲେ ସୂଚନା । କାହିଁକିନା କିଛି ଦିନର ବ୍ୟବଧାନ ପରେ ପୁଣି ଭତରା ସିଉନି ଗାଁରେ ଆତଙ୍କ ଖେଳାଇଛି ଭାଲୁ । ଆଜି ସକାଳେ ବାବୁଲି ମିଶ୍ରଙ୍କ ଫାର୍ମ ହାଉସରେ ଏକ ବିରାଟ ଭାଲୁ ପଣସ ଗଛ ଉପରେ ଚଢି ପଣସ ଖାଉଥିବାର ଦେଖିବାକୁ ମିଳିଛି ।

ଖାଦ୍ୟ ଅନ୍ୱେଷଣରେ ଭାଲୁ ଭତରା ସିଉନି ଗାଁରେ ଘର ଘର ବୁଲୁଥିବାର ଅଭିଯୋଗ  ମଧ୍ୟ ହେଉଛି । ଯେଉଁଥିପାଇଁ ଭୟରେ ଗ୍ରାମବାସୀ ନିଜ ବିଲ ବାଡ଼ିକୁ ଯାଇ ପାରୁ ନାହାନ୍ତି । ଗତ କିଛି ମାସ ତଳେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଏବଂ ନରହନ୍ତା ଭାଲୁକୁ ପିଟି ପିଟି ମାରିଦେଇଥିଲେ ଲୋକେ, ଆଉ ଏବେ ପୁଣି କିଛି ଦିନ ହେବ ଭାଲୁ ଗାଁରେ ଘର ଘର ବୁଲୁଛି । ଭାଲୁ ବୁଲୁଥିବାର ଖବର ଗ୍ରାମବାସୀ ବନ ବିଭାଗ କୁ ଜଣେଇଥିବା ସୂଚନା ମିଳିଛି, ଏପଟେ ବନ ବିଭାଗ ର ପ୍ରତିକ୍ରିୟା ମିଳି ପାରିନାହିଁ ।

ତେବେ ଭାଲୁକୁ ଏମିତି ପଣସ ଖାଉଥିବାର ଦେଖି ଅନେକ ଲୋକ ଏ ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିଥିଲେ । ଆଉ ବହୁତ କୌତୁହଳପୂର୍ଣ୍ଣ ଥିଲା ଏହା ଦେଖିବାକୁ ଯେ ଭାଲୁଟି ଯେତେବେଳେ ଗଛ ଉପରେ ଚଢ଼ି ପଣସ ଖାଉଥିଲା । ଲୋଭ ସମ୍ଭାଳି ନପାରି ଭାଲୁଟି ପଣସକୁ ପୂରା ଚିରି ଫାଟି ମନ ଭରି ଖାଇଚାଲିଛି ।

Leave A Reply

Your email address will not be published.