ସୁନ୍ଦରଗଡ଼ର ଝିଅକୁ ବାହାହେବା ପାଇଁ ସୁଦୂର ରାଜସ୍ଥାନରୁ ଦୌଡ଼ି ଆସିଲେ ଦିବ୍ୟାଙ୍ଗ ଯୁବକ ଦୀନ ଦୟାଲ

ରାଉରକେଲା(କେନ୍ୟୁଜ): ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କ ଫେସବୁକ୍ ପ୍ରେମ ଯୋଗୁଁ ରାଜସ୍ଥାନର ମଥପୁର ଗାଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଲହଣ୍ଡା ସୁମେରତା ଗାଁ ସହ ଯୋଡ଼ି ହୋଇଯାଇଛି । ବେଦବ୍ୟାସର ବ୍ୟାସ ଗୁମ୍ଫା ସାମ୍ନାରେ ମହର୍ଷି ବ୍ୟାସଦେବଙ୍କୁ ସାକ୍ଷୀ ରଖି ନୂଆ ସଂସାର ଆରମ୍ଭ କରିଛନ୍ତି ଦିବ୍ୟାଙ୍ଗ ଦମ୍ପତି । ବୈଦିକ ରୀତିରେ ବିବାହ ଉତ୍ସବ ଶେଷ ହୋଇଛି । ପୁରୋହିତଙ୍କ ମନ୍ତ୍ର ଧ୍ବନି ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ଦୁଇଟି ଜୀବନକୁ ଏକ କରିବା ପାଇଁ ଚାଲିଥିଲା ବିବାହ ଉତ୍ସବ । ଏମାନଙ୍କ ବିବାହ ଏବେ ବେଶ୍ ଚର୍ଚ୍ଚାରେ । ରାଜସ୍ଥାନ ମଥପୁର ଗାଁର ୩୨ବର୍ଷୀୟ ଦିବ୍ୟାଙ୍ଗ ଯୁବକ ଦୀନ ଦୟାଲ ମୀନା ସହ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅର୍ନ୍ତଗତ ସୁମେରତା ଲହଣ୍ଡା ଗ୍ରାମର ଦିବ୍ୟାଙ୍ଗ ଯୁବତୀ ବୀରଜାନୀ ନାଏକଙ୍କ ବିବାହ ହୋଇଛି ।

ଏମାନଙ୍କ ପ୍ରେମ ଫେସବୁକ୍, ହ୍ବାଟ୍ସଆପ ଓ ଭିଡିଓ କଲ୍ ରୁ ଆରମ୍ଭ ହୋଇଥିଲା । ଏ ବିଷୟରେ ସୂଚନା ପାଇଥିଲେ ପରିବାର ଲୋକ । ହଠାତ୍ ଦିବ୍ୟାଙ୍ଗ ଯୁବକ ଜଣଙ୍କ ରାଜସ୍ଥାନରୁ ଆସି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅର୍ନ୍ତଗତ ସୁମେରତା ଲହଣ୍ଡା ଗ୍ରାମରେ ପହଞ୍ଚିଥିଲେ। ଉଭୟଙ୍କ ଅନାବିଳ ପ୍ରେମକୁ ଦେଖି ବିବାହ ବନ୍ଧନରେ ବାନ୍ଧି ଦେବାକୁ ରାଜି ହୋଇଥିଲେ ପରିବାର। ଆଦିବାସୀ ଭୂୟାଁ ସମାଜର ଅନୁମତି ନେଇ ବିବାହର ସହମତି ମିଳିବା ପରେ ସମସ୍ତଙ୍କ ଉପସ୍ଥିତିରେ ବୈଦିକ ରୀତିରେ ବିବାହ ହୋଇଥିଲା।

କଲେଜରେ ପାଠପଢ଼ା ସମୟରେ ଯୁବକ ଯୁବତୀ ଫେସବୁକରୁ ଉଭୟେ ଉଭୟଙ୍କୁ ଜାଣିଥିଲେ। ଫେସବୁକରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସମ୍ପର୍କ ଧିରେ ଧିରେ ହ୍ବାଟ୍ସଆପ ଚାଟରେ ହୋଇଥିଲା । ଭିଡିଓ କଲରେ ଗଢ଼ି ଉଠିଥିଲା ଏମାନଙ୍କ ପ୍ରେମ ସମ୍ପର୍କ । ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଜଣ । ଉଭୟଙ୍କ ବିବାହରେ ବେଶ୍ ଖୁସି ଅଛନ୍ତି କନ୍ୟା ପିତା ଭାବେ କନ୍ୟାଦାନ କରିଥିବା ଝିଅର ଦାଦା । ପୁଅର ବାପା କହ୍ନେୟା ମୀନା ଓରଫ୍ ହରି ଓମ୍ ଉଭୟଙ୍କ ଅନାବିଳ ପ୍ରେମକୁ ବୁଝି ପାରିଥିଲେ । ଉଭୟ ପରିବାର ଆଲୋଚନା କରି ଖୁବ୍‌ ଧୁମଧାମରେ ଦୁହିଁଙ୍କ ବିବାହ କରିଛନ୍ତି ।

ବର କନିଆଁ ସାଜିଥିବା ଏହି ଦୁହିଁ ଜଣଙ୍କ ପ୍ରେମ ସମ୍ପର୍କ ସବୁଠୁ ଉପରେ । ଦୁଇ ଜଣ ମାଇଲ୍ ମାଇଲ୍ ଦୂରରେ ଥିଲେ ମଧ୍ୟ ପ୍ରେମ ହିଁ ସେମାନଙ୍କୁ ଏକ କରି ପାରିଛି । ହୃଦୟ ସହ ହୃଦୟର ମିଳନ ବିବାହର ରୂପ ନେଇଛି । ସମସ୍ତେ ଏହି ବିବାହକୁ ନେଇ ଖୁସିରେ ଆତ୍ମହରା ହୋଇ ପଡ଼ିଥିବାବେଳେ ଭଗବାନଙ୍କ ଆଶ୍ରୀବାଦ ହିଁ ଏହି ଦୁଇ ଦିବ୍ୟାଙ୍ଗ ପ୍ରେମୀ ଯୁଗଳଙ୍କୁ ଏକ କରିଛି । ଫେସବୁକ, ଭିଡିଓ କଲ୍ ମାଧ୍ୟମରେ ପ୍ରେମ ହୋଇପାରେ ସତ କିନ୍ତୁ ରାଜସ୍ଥାନରୁ ଆସି ସୁନ୍ଦରଗଡ଼ର ଝିଅକୁ ବାହା ହେବା ନିଶ୍ଚିତ ଭାବେ ଭଗବାନଙ୍କ ସଂଯୋଗ।

You might also like