ଜମ୍ମୁ ଅଞ୍ଚଳରୁ ଆତଙ୍କବାଦ ମୂଳପୋଛ ନେଇ ବିଗ୍‌ ପ୍ଲାନ…ଆଜି ଅମିତ୍‌ ଶାହ କରୁଛନ୍ତି ଉଚ୍ଚ ସ୍ତରୀୟ ବୈଠକ

ଜମ୍ମୁ ଅଞ୍ଚଳରେ ନିକଟରେ ହୋଇଥିବା ଆତଙ୍କବାଦ ଘଟଣା ଏବଂ ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ଆଜି ଗୃହ ମନ୍ତ୍ରଣାଳୟରେ ବସୁଛି ଏକ ଉଚ୍ଚ ସ୍ତରୀୟ ବୈଠକ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ ।

ନର୍ଥ ବ୍ଲକ୍‌ରେ ହେବାକୁ ଥିବା ଏହି ବୈଠକରେ ଜମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର, NSA ଅଜିତ ଡୋଭାଲ, ଗୃହ ସଚିବ, ଆଇବି ମୁଖ୍ୟ, ର’ ମୁଖ୍ୟ, NIA ଡିଜି, ସମସ୍ତ ଅର୍ଦ୍ଧ ସାମରିକ ବାହିନୀର ଡିଜି, ସେନା ଏବଂ ବାୟୁସେନାର ବରିଷ୍ଠ ଅଧିକାରୀଙ୍କ ସହ ଗୃହ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରମାନେ ଉପସ୍ଥିତ ରହିବେ ।

ବୈଠକରେ ଆଇବି ଏବଂ ର’ ମୁଖ୍ୟ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବର୍ତ୍ତମାନର ଗୁଇନ୍ଦା ରିପୋର୍ଟର ସୂଚନା ଦେବେ । କେବଳ ଏତିକି ନୁହେଁ, ଗତ କିଛି ଦିନ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଯେଉଁଭଳି ଭାବେ ଆତଙ୍କବାଦ ଘଟଣା ବୃଦ୍ଧି ପାଇଛି, ସେ ସମ୍ପର୍କରେ ବୈଠକରେ ଆଲୋଚନା ହେବ । ସୂତ୍ର ମୁତାବକ, ଜମ୍ମୁ ଅଞ୍ଚଳରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବା ପାଇଁ ଏକ ଇଣ୍ଟିଗ୍ରେଟେଡ୍‌ ଯୋଜନା ପ୍ରସ୍ତୁତ କରାଯାଇପାରେ ।

ଏହିପରି କଡ଼ା ସୁରକ୍ଷା ଅଧୀନରେ କିପରି ଅମରନାଥ ଯାତ୍ରା ଅନୁଷ୍ଠିତ ହେବ, ସେଥିପାଇଁ ଆବଶ୍ୟକ ସୈନ୍ୟ ଏବଂ ଯନ୍ତ୍ରପାତିର ସମୀକ୍ଷା କରାଯିବ । ଆହୁରି ମଧ୍ୟ, ଅମରନାଥ ଯାତ୍ରା ମାର୍ଗରେ କୌଣସି ଅସୁବିଧା ନ ହେବା ପାଇଁ ସୁରକ୍ଷା ଏଜେନ୍ସି ଦ୍ୱାରା AI ଆଧାରିତ ମନିଟରିଂ କରାଯିବ ।

ଏହାପୂର୍ବରୁ ମଧ୍ୟ ଶୁକ୍ରବାର ଗୃହମନ୍ତ୍ରୀ ଜମ୍ମୁ-କାଶ୍ମୀରରେ ସୁରକ୍ଷା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଥିଲେ । ଏଥିରେ ଗୃହ ମନ୍ତ୍ରଣାଳୟର ବହୁ ଅଧିକାରୀଙ୍କ ସହ ଜମ୍ମୁ-କାଶ୍ମୀର ପୋଲିସର ଡିଜିପି, ସିଆର୍‌ପିଏଫ୍‌ର ବରିଷ୍ଠ ଅଧିକାରୀ ଏବଂ ଇଣ୍ଟେଲିଜେନ୍ସ ଗ୍ରେଡ୍‌ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଗୃହମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ ଏବଂ ମତାମତ ନେଇଥିଲେ ।

କୁହାଯାଉଛି ଯେ ବୈଠକ ପୂର୍ବରୁ ଜମ୍ମୁ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି, ଯାହା ପରେ ଗୃହମନ୍ତ୍ରୀ କ୍ରମାଗତ ଭାବେ ସେଠାକାର ସୁରକ୍ଷା ସ୍ଥିତିକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ।

Leave A Reply

Your email address will not be published.