ଟି୨୦ ବିଶ୍ବକପ: ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ

(କେନ୍ୟୁଜ): ଟି ୨୦ ବିଶ୍ବକପରେ ଗତକାଲି ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ । ୧୧୧ ରନର ବିଜୟ ଲକ୍ଷ୍ୟକୁ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ୧୮ ଓଭର ଓ ଦୁଇଟି ବଲରେ ହାସଲ କରି ନେଇଥିଲା ।  ତେବେ ମ୍ୟାଚଟି ଏକତରଫା ଜଣାପଡୁଥିଲେ ମଧ୍ୟ ବାରତ ପାଇଁ ବିଜୟ ଏତେ ସହଜ ନଥିଲା ।  ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇ ଥିବା ଆୟୋଜକ ଆମେରିକା ଭଲ ଲଢ଼େଇ କରିଥିଲା । ପ୍ରଥମେ ବ୍ୟାଟିଂ କରି ଆମେରିକା ୨୦ ଓଭରରେ ୮ ୱିକେଟ ହରାଇ ୧୧୦ ରନ୍ କରିଥିଲା ।  ଏନଆର କୁମାର ସର୍ବାଧିକ ୨୭ ଏବଂ ଷ୍ଟିଭେନ ଟେଲର ୨୪ ରନ୍ କରିଥିଲେ ।  ଏହି ମ୍ୟାଚରେ ଭାରତର ପ୍ରମୁଖ ପେସ୍ ବୋଲର ଯଶପ୍ରୀତ ବୁମରା ଖେଳି ନଥିଲେ ମଧ୍ୟ ଅର୍ଶଦୀପ ସିଂହ ମାତ୍ର ୯ ରନ୍ ଦେଇ ୪ଟି ୱିକେଟ ନେଇଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା୨ଟି ଏବଂ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇ ଆମେରିକାକୁ ରୋକିଥିଲେ ।  ପରେ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମରୁ ବଡ଼ ଝଟକା ଦେଇଥିଲା ଆମେରିକା । ଓପ୍ନର ବିରାଟ କୋହଲି ପ୍ରଥମ ଓଭରର ପ୍ରଥମ ବଲରେ ଏବଂ ଅଧିନାୟକ ରୋହିତ ଶର୍ମା ତୃତୀୟ ଓଭରର ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ଦୁଇଟି ଯାକ ୱିକେଟ ନେଇଥିଲେ ନେତ୍ରାଭଲକର । ତେବେ ପରେ ଋଷଭ ପନ୍ତ ୧୮, ସୂର୍ଯ୍ୟ କୁମାର ଯାଦବ ୪୯ ବଲରେ ୫୦ ଏବଂ ଶିବମ ଦୁବେ ୩୧ ରନ୍ କରି ଦଳକୁ ଜିତାଇଥିଲେ । ତେବେ ଜିତିବା ପାଇଁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା ରୋହିତ ବାହିନୀକୁ । ପ୍ରତିଟି ରନ୍ ସଂଗ୍ରହ ପାଇଁ ବେଶ୍ ପରିଶ୍ରମ କରିବାକୁ ପଡିଥିଲା ।  ଅବଶ୍ୟ ଏହା ଭିତରେ ଭାରତକୁ ମିଳିଥିବା ୫ଟି ପେନାଲଟି ରନ୍ ଦଳକୁ ଜିତାଇବାରେ ସହାୟକ ହୋଇଥିଲା । ନୂଆ ନିୟମ ଅନୁଯାୟୀ ନୂଆ ଓଭର ଆରମ୍ଭ କରିବା ପାଇଁ ଗୋଟିଏ ମିନିଟ୍ ସମୟ ଦିଆଯାଇଥାଏ । ତେବେ ଆମେରିକା ତିନିଥର ଏହି ନିୟମକୁ ଭାଙ୍ଗିଥିବାରୁ ତା ଉପରେ ୫ ପେନାଲଟି ରନ୍ ଲାଗିଥିଲା । ଅବଶ୍ୟ ଶେଷ ଭାଗରେ ଉଭୟ ଅପରାଜିତ ବ୍ୟାଟର ସୂର୍ଯ୍ୟକୁମାର ଏବଂ ଦୁବେ ସହଜ ଭାବରେ ସଟ୍ ଖେଳି ଦଳକୁ ଜିତାଇ ଦେଇଥିଲେ । ପୂର୍ବରୁ ଭାରତୀୟ ଦଳ ଆୟର୍ଲାଣ୍ଡ ଏବଂ ପାକିସ୍ତାନକୁ ହରାଇଥିଲା ।  ଗ୍ରୁପରେ ଭାରତ ୩ଟି ମ୍ୟାଚ୍ ଜିତି ସର୍ବାଧିକ ୬ ପଏଣ୍ଟ ପାଇଛି ।

 

 

 

Leave A Reply

Your email address will not be published.