କାହାକୁ ମିଳିବ କେଉଁ ବିଭାଗ, ଆଜି ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ

ଭୁବନେଶ୍ୱର (କେନ୍ୟୁଜ): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ ।  କାହାକୁ ମିଳିବ କେଉଁ ବିଭାଗ ? ଖୁବଶୀଘ୍ର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହେବ ।  ଆଜି ପୁରୀରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଫେରିବା ପରେ ବିଭାଗ ବଣ୍ଟନର ସମ୍ଭାବନା ରହିଛି । ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ପାଖରେ ଗୃହ ଓ ସାଧାରଣ ପ୍ରଶାସନ ରଖିପାରନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଦୁଇ ତିନୋଟି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବାର ସମ୍ଭାବନା ରହିଛି । ତାଙ୍କୁ ଶିଳ୍ପ, ନଗରଉନ୍ନୟନ ଓ ଜଳ ସଂପଦ ବିଭାଗ ମିଳିପାରେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ମିଳିପାରେ । ଏହାସହ ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ବୟନ ପାଇଁ ତାଙ୍କୁ ଦିଆଯାଇପାରେ ଗୁରୁ ଦାୟିତ୍ବ ।

ରାଜ୍ୟର ନୂଆ ସରକାରରେ ୧୩ ଜିଲ୍ଲାରୁ ମନ୍ତ୍ରୀ ଅଛନ୍ତି ।  ୮ଜଣଙ୍କୁ କ୍ୟାବିନେଟ ଓ ୫ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟା ମିଳିଛି ।  କ୍ୟାବିନେଟ୍ ମନ୍ତ୍ରୀ ତାଲିକାରେ ଅଛନ୍ତି ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ । କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ନବରଙ୍ଗପୁର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ କ୍ୟାବିନେଟ ଟିମ୍ ରେ ରଖିଛନ୍ତି ମୋହନ ମାଝୀ ।  ଢେଙ୍କାନାଳ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ବଲାଙ୍ଗିର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି ।  ସେହିପରି ମୟୂରଭଞ୍ଜର ମୋରଡ଼ା ବିଧାୟକ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ହୋଇଛନ୍ତି କ୍ୟାବିନେଟ ମନ୍ତ୍ରୀ ।

ସେହିପରି ୫ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟା । ଏହି ତାଲିକାରେ ଅଛନ୍ତି ମୟୂରଭଞ୍ଜ ଯଶୀପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ, ଭଦ୍ରକ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଯାଜପୁର ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତଙ୍କୁ ମନ୍ତ୍ରୀ ପଦ ମିଳିଛି । ସେହିପରି ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ, ପାରାଦୀପ ବିଧାୟକ ସମ୍ପଦ ସ୍ବାଇଁ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏବେ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ତା ଉପରେ ନଜର ରହିଛି ।

Leave A Reply

Your email address will not be published.