ଅଯୋଧ୍ୟାରୁ ଦର୍ଶନ ସାରି ଫେରୁଥିଲେ; ରାସ୍ତାରେ କାର୍‌ରେ ଲାଗିଲା ନିଆଁ, ଜୀବନ୍ତ ଦଗ୍ଧ ହେଲେ ପତ୍ନୀ

ବିହାରର ସାରଣ ଜିଲ୍ଲାର ଛାପରାରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଏଠାରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଥିରେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ସାରଣ ଥାନା ଅଧୀନ ପୋଖଡେରା ବଗହୀ ମିସ୍ରି ଟୋଲା ପ୍ରାଥମିକ ବିଦ୍ୟାଳୟ ନିକଟ ୧୦୪ ନଂ. ରାଜପଥରେ ।

ମିଳିଥିବା ସୂଚନା ମୁତାବକ, କାର୍‌ରେ ନିଆଁ ଏତେ ଭୟଙ୍କର ଭାବରେ ଲାଗିଥିଲା ଯେ ମହିଳା ଜଣକ ବାହାରକୁ ବାହାରି ପାରି ନ ଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଜୁନ୍‌ ୧୩ ତାରିଖ ଭୋର୍‌ ସମୟର ବୋଲି କୁହାଯାଉଛି ।

ମୃତ ମହିଳା ହେଲେ, ୨୮ ବର୍ଷୀୟା ସୋନି କୁମାରୀ । ସେ ଅବତାର ନଗର ଥାନା ପକୋଲିଆ ଗୋରାଇପୁର ଗାଁର ଦୀପକ କୁମାର ରାୟଙ୍କ ପତ୍ନୀ । ଏହି ଘଟଣାରେ ମହିଳାଙ୍କ ସ୍ୱାମୀ ମଧ୍ୟ ଗୁରୁତର ଭାବରେ ପୋଡ଼ି ହୋଇଯାଇଛନ୍ତି । ସେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କଲା ବେଳେ ନିଆଁରେ ପୋଡ଼ି ଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହତ ବ୍ୟକ୍ତିଙ୍କ ବୟାନ ଅନୁସାରେ, ଜୁନ୍‌ ୧୩ ତାରିଖ ସକାଳେ ସେ ନିଜ ଶ୍ୱଶୁର ଘର ଗଡ଼ଖା ଥାନା ଅନ୍ତର୍ଗତ ମୋରା ବସନ୍ତ ଗାଁରୁ ପତ୍ନୀଙ୍କୁ ଧରି କାର୍‌ରେ ଅଯୋଧ୍ୟା ଦର୍ଶନ କରିବାକୁ ଯାଇଥିଲେ । ସେଠାରୁ ଫେରି ଗୋରଖପୁରରେ ଅଟକି ଗୋରଖଧାମ ଦର୍ଶନ କରିଥିଲେ । ଏହାପରେ ସେ ପତ୍ନୀଙ୍କ ସହ କାର୍‌ରେ ଶ୍ୱଶୁର ଘରକୁ ଫେରୁଥିଲେ ।

ତେବେ ଏହି ସମୟରେ ହଠାତ୍‌ ବଗହୀଠାରେ କାର୍‌ରୁ ଧୂଆଁ ବାହାରିବାକୁ ଲାଗିଥିଲା । ବ୍ୟକ୍ତି ଜଣକ କୌଣସି ବି ପ୍ରକାରେ କାର୍‌ ଭିତରୁ ବାହାରି ନିଜ ପତ୍ନୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳକୁ ସମ୍ପୂର୍ଣ୍ଣ କାର୍‌ରେ ନିଆଁ ଲାଗିସାରିଥିଲା ଏବଂ ମହିଳା ଜଣକ ଜୀବନ୍ତ ଜଳିଯାଇଥିଲେ ।

ଖବର ପାଇ ପୋଲିସ ପହଞ୍ଚି ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ସେପଟେ ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ବାପଘର ଲୋକ ବହୁତ କ୍ରୋଧିତ ଅଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.