ସମୁଦ୍ରକୁ ମାଛ ଧରିବାକୁ ବାହାରିଲେ ୨୦୦ରୁ ଅଧିକ ବୋଟ୍, ବରୁଣ ଦେବଙ୍କୁ କଲେ ଆବାହନ

ପାରାଦୀପ (କେନ୍ୟୁଜ):  ପୁଣି ଥରେ ଚଳଚଂଚଳ ହୋଇ ଉଠିଛି ପାରାଦୀପ ମାଛଧରା ବନ୍ଦର । ମାଛ ବଂଶ ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ତରଫରୁ ଦୁଇମାସ ଧରି ସମୁଦ୍ର ସମେତ ନଦୀ ମୁହାଁଣରେ ମାଛଧରା ଉପରେ ଲାଗିଥିବା କଟକଣା ଉଠିଯିବା ପରେ ପାରାଦୀପ ମାଛଧରା ବନ୍ଦର ମଧ୍ୟରୁ ପାଖାପାଖି ୨୦୦ ରୁ ଅଧିକ ବୋଟ ସମୁଦ୍ରକୁ ମାଛ ଧରିବାକୁ ବାହାରି ଯାଇଛନ୍ତି ।

ଏପ୍ରିଲ ୧୫ତାରିଖରୁ ଜୁନ ୧୫ ତାରିଖ ଯାଏ ମାଛ ବଂଶ ବୃଦ୍ଧି ପାଇଁ ସମୁଦ୍ର ମଧ୍ୟରେ ମାଛ ଧରିବାକୁ ସରକାର ବାରଣ କରିଥାନ୍ତି । ଯାହାକୁ ନେଇ ମାଛଧରା ବନ୍ଦରରେ ଦୁଇମାସ ଧରି ସଂପୂର୍ଣ୍ଣ ଖାଁ ଖାଁ ପାଲଟି ଯାଇଥାଏ । କଟକଣା ହଟିବା ପରେ ମାଛଧରିବାକୁ ଯାଉଥିବା ବୋଟ କର୍ମଚାରୀ ମାନେ ରଜ ପର୍ବ ଚାଲୁଥିବା ବେଳେ ପୁଣି ମାଛଧରା ବନ୍ଦରକୁ ଫେରିଆସିବା ସହିତ ସମୁଦ୍ରକୁ ଯିବା ପୂର୍ବରୁ ସମସ୍ତଙ୍କ ଶୁଭ ମନାସି ବରୁଣ ଦେବଙ୍କୁ ଆବାହନ କରିଛନ୍ତି ।

ତିନିଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ସହିତ ବରୁଣ ଦେବଙ୍କ ଆବାହନ ପରେ ସମସ୍ତ ବୋଟ ଏବେ ସମୁଦ୍ରକୁ ବାହାରିଛନ୍ତି । ଅନ୍ୟପଟେ ବିଭିନ୍ନ କଟକଣା ହେତୁ ମାଛଧରା ଦୀର୍ଘ ଦିନ ଧରି ବନ୍ଦ ରହୁଥିବାରୁ ବୋଟ କର୍ମଚାରୀ ମାନେ ଆର୍ଥିକ ଅଭାବ ଦେଇ ଗତି କରୁଛନ୍ତି । ସରକାର ଯଦି କିଛି ଆର୍ଥିକ ସହଯୋଗ କରନ୍ତି ତେବେ ସେମାନଙ୍କ ଅସୁବିଧା ଦୂର ହୋଇପାରନ୍ତା ବୋଲି କହିଛନ୍ତି ବୋଟ କର୍ମଚାରୀ ।

paradip

ଦୀର୍ଘ ଦୁଇମାସ ନୁହେଁ କଇଁଚ କଟକଣା, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମଧ୍ୟ ଦୀର୍ଘ ୬ମାସ ମାଛଧରା ବନ୍ଦ ରହୁଥିବାରୁ ବିଗତ କିଛି ବର୍ଷ ହେବ ଭାରତ ବର୍ଷରେ ରହିଥିବା ପ୍ରମୁଖ ମାଛଧରା ବନ୍ଦର ମାନଙ୍କ ମଧ୍ୟରୁ ଏକ ସ୍ଵତନ୍ତ୍ର ପରିଚୟ ପାଇଥିବା ପାରାଦୀପ ମାଛଧରା ବନ୍ଦରର ମତ୍ସ୍ୟ ବ୍ୟବସାୟ କ୍ଷତିରେ ଚାଲୁଥିବା ନେଇ ବୋଟ ମାଲିକ ମାନେ ପ୍ରକାଶ କରିଛନ୍ତି ।

ତୈଳଦରର ଅହେତୁକ ମୂଲ୍ୟବୃଦ୍ଧି ଓ ବରଫ ସହିତ ଅନ୍ୟାନ୍ୟ ଅନୁସଙ୍ଗିକ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ନେଇ ମାଲିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାରମ୍ୱାର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେବି କୌଣସି ସୁଫଳ ମିଳିପାରୁନାହିଁ ତେବେ ବର୍ତମାନ ନୂତନ ସରକାର ଯଦି ଏହି ମତ୍ସ୍ୟ ଶିଳ୍ପ ପ୍ରତି ଦୃଷ୍ଟି ଦିଅନ୍ତେ ତେବେ ମତ୍ସ୍ୟ ସଂପଦ ସୁଚାରୁ ରୂପେ ଚାଲିପାରନ୍ତ ବୋଲି ବୋଟ ମାଲିକ ପ୍ରକାଶ କରିଛନ୍ତି ।

ସମୁଦ୍ର ମଧ୍ୟରେ ମାଛ ଧରିବା ସମୟରେ ଅନେକ ପ୍ରାକୃତିକ ବିପତି ଘଟି ଧନ, ଜୀବନ ହାନି ହୋଇଥାଏ । ଅନ୍ୟପଟେ ବୋଟର ଆନୁସଙ୍ଗିକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଯୋଗୁ ଅସହ୍ୟ ହୋଇ ପଡିଥିବା ବୋଟ ମାଲିକ । ଚଳିତ ବର୍ଷ ବରୁଣ ଦେବଙ୍କ ଆର୍ଶୀବାଦ ଲାଭ କରିବା ସହିତ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ।

 

Leave A Reply

Your email address will not be published.