ଦୁଇ ବର୍ଷ ତଳୁ ପାସ୍‌ଆଉଟ୍‌, ସାଙ୍ଗଙ୍କ ସହ ରାତିରେ ପାର୍ଟି…କାନପୁର ମେଡିକାଲ କଲେଜ ବିଲ୍ଡିଂରୁ ଖସି ଡାକ୍ତରାଣୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର କାନପୁର ମେଡିକାଲ କଲେଜ (ଜିଏସ୍‌ଭିଏମ୍‌ ମେଡିକାଲ କଲେଜ) ବିଲ୍ଡିଂରୁ ଖସି ଜଣେ ଏମ୍‌ବିବିଏସ୍‌ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ବୁଧବାର ବିଳମ୍ବିତ ରାତିରେ ସେ ୪ ମହଲା ବିଲ୍ଡିଂରୁ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଘଟଣା ପୂର୍ବରୁ ଡାକ୍ତରାଣୀ ଜଣକ ନିଜର ଦୁଇ ଜଣ ସାଙ୍ଗଙ୍କ ସହ ପାର୍ଟି କରିବାକୁ ଯାଇଥିଲେ । ଏହି ଘଟଣାରେ ତାଙ୍କ ପରିବାର ଲୋକେ ଦୁଇ ସାଙ୍ଗଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ମୃତା ହେଲେ ଦୀକ୍ଷା ତିଓ୍ଵାରୀ । ସେ ବରେଲୀର ବାସିନ୍ଦା ଥିଲେ । ଦୀକ୍ଷା ଦୁଇ ବର୍ଷ ତଳୁ କାନପୁର ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ୨୦୧୮-୨୦୨୨ ବ୍ୟାଚ୍‌ର ଛାତ୍ରୀ ଥିଲେ । ଯେଉଁମାନଙ୍କ ସହିତ ସେ ପାର୍ଟି କରିଥିଲେ, ସେମାନେ ତାଙ୍କର ବ୍ୟାଚ୍‌ମେଟ ଥିଲେ । ଦୀକ୍ଷା ମେରଠରେ ପୋଷ୍ଟିଂ ମଧ୍ୟ ପାଇସାରିଥିଲେ ।

ପୋଲିସ ଅନୁସାରେ, ବୁଧବାର ରାତିରେ ସେ ନିଜ ସାଙ୍ଗଙ୍କ ସହ କୌଣସି ରେଷ୍ଟୁରାଣ୍ଟରେ ପାର୍ଟି କରିବାକୁ ଯାଇଥିଲେ । ପରେ ସେମାନେ ମେଡିକାଲ କଲେଜ ଅଡିଟୋରିୟମ୍‌ ବିଲ୍ଡିଂର ୪ର୍ଥ ମହଲାରେ ପହଞ୍ଚିଥିଲେ । ଏହାପରେ କୌଣସି କାରଣରୁ ଦୀକ୍ଷା ବିଲ୍ଡିଂରୁ ଖସିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ବିଷୟରେ ସୂଚନା ପାଇ ମୃତାଙ୍କ ପରିବାର ଲୋକେ ତୁରନ୍ତ କାନପୁରରେ ପହଞ୍ଚିଥିଲେ । ଝିଅର ସନ୍ଦେହଜନକ ମୃତ୍ୟୁକୁ ନେଇ ସେମାନେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଦୀକ୍ଷାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଝିଅକୁ ଘୋଷାଡ଼ି ନେଇ ଛାତରୁ ତଳକୁ ଫିଙ୍ଗାଯାଇଛି । ତାଙ୍କୁ ହତ୍ୟା କରାଯାଇଛି । ସେପଟେ ପୋଲିସ କମିଶନର ହରିଶ୍ଚନ୍ଦ୍ର କହିଛନ୍ତି, ମହିଳା ଡାକ୍ତର ପାର୍ଟି କରି ଚତୁର୍ଥ ମହଲାକୁ ଯାଇଥିଲେ । ତାଙ୍କ ସହିତ ଦୁଇ ଜଣ ସାଙ୍ଗ ଥିଲେ । ପରେ ସେ ହଠାତ୍‌ ଉପରୁ ତଳକୁ ଖସି ପଡ଼ିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ବିଳମ୍ବିତ ରାତି ୧ଟାର ବୋଲି ଜଣାପଡ଼ିଛି ।

ଏହି ଘଟଣାରେ ଡାକ୍ତରାଣୀଙ୍କ ଦୁଇ ଜଣ ସାଙ୍ଗଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ମୃତାଙ୍କ ପରିବାର ଲୋକେ ଯାହା ଅଭିଯୋଗ କରିବେ, ତାହା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.