ବଢ଼ିବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଲୁଟିନେଲେ ୧୫ ଲକ୍ଷ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସୁଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌ ଭାବେ କାମ କଲେ ମଧ୍ୟ ସବୁବେଳେ ଚୋର ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି । ପୋଲିସ ଯେତେ ସଜାଗ ହେଲେ ମଧ୍ୟ ତାଙ୍କ ଆଖିରେ ଧୂଳି ଦେଇ ଚୋର ଲୁଟ କରିଚାଲୁଛି । ଏପଟେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସାଇବର ଠକଙ୍କ ଅପରାଧ ବଢ଼ି ବଢି ଚାଲିଛି ।

ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ନୀରିହ ଜନତାଙ୍କଠାରୁ ଲୁଟ୍ କରି ଚାଲିଛନ୍ତି ଏହି ସାଇବର ଠକ । ଜନସାଧାରଣଙ୍କୁ ମିଛ ପ୍ରଲୋଭନ, ମିଛ ଧମକ ଓ କିଛି ଲୋଭନୀୟ ଅର୍ଥ ରାଶି କହି ସାଇବର ଠକ ଠକିନେଉଛି ଲକ୍ଷ ଲକ୍ଷ ଟଙ୍କା । ତେବେ ବର୍ତ୍ତମାନ ନୟାଗଡରେ ଏକ ସମାନ ମାମଲା ଦେଖିବାକୁ ମିଳିଛି । ତେବେ ଏଭଳି ଠକାମୀ ହୋଇଛି ନୟାଗଡ ଟାଉନ ଥାନା ଅନ୍ତର୍ଗତ ଛାୟାପଥ ଲେନର ସଫ୍ଟୱେୟାର ପ୍ରଫେଶନାଲ ଇଞ୍ଜିନିୟର ଅଶୋକ କୁମାର ଆଚାର୍ଯ୍ୟଙ୍କ ସହିତ ।

ନିକଟରେ ତାଙ୍କୁ ଏକ କଲ ଆସିଥିଲା ଏବଂ ତାଙ୍କୁ କୁହାଗଲା ଯେ ସେ ମୁମ୍ବାଇର କଷ୍ଟମ ଅଫିସର କହୁଛନ୍ତି । ତାଙ୍କ ନାମରେ ଏକ କୋରିୟର ଆସିଛି ଯେଉଁଥିରେ ଡ୍ରଗ୍ସ ଏବଂ ନିଶା ସାମଗ୍ରୀ ରହିଛି । ତେଣୁ ଏନେଇ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯିବ ଏବଂ ଶୀଘ୍ର ତାଙ୍କୁ ଗିରଫ କରାଯିବ । ଏହାପରେ ଏହି ସାଇବର ଠକ ତାଙ୍କୁ କହିଥିଲା ଯେ ଯଦି ସେ ୧୫ ଲକ୍ଷ ଟଙ୍କା ଦିଅନ୍ତି ତେବେ ଏହି ମାମଲାକୁ ଚାପିଦିଆଯିବ । ଠକାମିର ଶିକାର ହୋଇଥିବା ଅଶୋକ କୁମାର ଗିରଫ ହେବା କଥା ଶୁଣି ଭୟଭୀତ ହୋଇ ସାଙ୍ଗେ ସାଙ୍ଗେ ବ୍ୟାଙ୍କ ଡିଟେଲସ ମାଗି ୧୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଦେଇଥିଲେ ।

କିନ୍ତୁ ପଇସା ମିଳିବା ମାତ୍ରେ ହିଁ ଠକର ମୋବାଇଲ ତୁରନ୍ତ ବନ୍ଦ ହୋଇଯାଇଥିଲା ଯେଉଁ କାରଣରୁ ଅଶୋକଙ୍କ ମନରେ ସନ୍ଦେହ ହୋଇଥିଲା । ଏହାପରେ ସେ ସାଙ୍ଗେ ସାଙ୍ଗେ ନୟାଗଡ ଟାଉନ ଥାନାରେ ଯୋଗାଯୋଗ କରିଥିଲେ । ଏହାପରେ ଟାଉନ ଥାନା ପୋଲିସ ଯାଇ ଆକାଉଣ୍ଟ ହୋଲଡ଼ କରି IIC ବ୍ୟାଙ୍କକୁ ଯାଇ ଟଙ୍କା ଫେରସ୍ତ କରାଇଥିଲେ । ଏବେ ପୋଲିସ ଏନେଇ ତଦନ୍ତ ଜାରି ରଖିଛନ୍ତି ଏବଂ ଖୁବ ଶୀଘ୍ର ଏହି ସାଇବର ଠକକୁ ଆରେଷ୍ଟ କରାଯିବ ବୋଲି କହିଛନ୍ତି । ଏନେଇ ନୟାଗଡ sp କହିଛନ୍ତି ଏଭଳି ମିଛ ଧମକକୁ ଯଥା ସମ୍ଭବ ଅଣଦେଖା କରନ୍ତୁ ଏବଂ ନିଜ ବ୍ୟାଙ୍କ ଡିଟେଲସ କାହା ସହ ସେୟାର କରନ୍ତୁ ନାହିଁ ।

ଆଜିକାଲି ସାଇବର ଅପରାଧୀ ମାନେ ଅନେକ ପ୍ରକାରର ପ୍ରଲୋଭନ ଦେଖାଇ ବିଭିନ୍ନ ତରିକାରେ ଲୋକମାନଙ୍କୁ ଲୁଟି ଚାଲିଛନ୍ତି । ଯାହାଫଳରେ ସାଧାରଣ ଲୋକଟି ସବୁ କିଛି ହରାଇ ନିରାଶ ହୋଇ ଶେଷରେ ସାଇବର ଥାନାର ଦ୍ୱାରସ୍ଥ ହେଉଛି । ତେବେ କେତେକ କ୍ଷେତ୍ରରେ ଲୋକ ଟଙ୍କା ଫେରି ପାଉଥିବା ବେଳେ ଅଧିକାଂଶ କ୍ଷେତ୍ରରେ ଟଙ୍କା ଆଉ ଫେରି ପାଉ ନାହାଁନ୍ତି । ତେଣୁ ନିଜେ ସଜାଗ ରହିବା ନିହାତୀ ଜରୁରୀ ।

Leave A Reply

Your email address will not be published.