ଗ୍ରାହକଙ୍କୁ ଝଟକା, ନିର୍ବାଚନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନିର୍ବାଚନ ଫଳାଫଳ ଘୋଷଣା ପରେ ଗ୍ରାହକଙ୍କୁ ଝଟକା ଦେଲେ ସରକାର । ପେଟ୍ରୋଲ ଓ ଡିଜେଲ ଉପରେ ସେଲ୍ସ ଟାକ୍ସ ବଢାଇଲେ କର୍ଣ୍ଣାଟକ ସରକାର । ଏହାପରେ ରାଜ୍ୟରେ ବୃଦ୍ଧିପାଇଛି ପେଟ୍ରୋଲ ଓ ଡିଜେଲ ଦାମ୍‌ । କର୍ଣ୍ଣାଟକରେ ପେଟ୍ରୋଲ ୩ ଟଙ୍କା ଏବଂ ଡିଜେଲ ୩.୨୦ ଟଙ୍କା ମହଙ୍ଗା ହୋଇଛି । ସରକାରୀ ଆଦେଶ ଅନୁଯାୟୀ, ପେଟ୍ରୋଲରେ ୨୫.୯୨ ରୁ ୨୯.୮୪% ଏବଂ ଡିଜେଲରେ ୧୪.୩୪ %ରୁ ୧୮.୪୪ % ସେଲ୍ସ ଟାକ୍ସ ବଢିଛି ।

ରାଜ୍ୟ ସରକାର ୧୫ ଜୁନ୍‌ରୁ ପେଟ୍ରୋଲ ଓ ଡିଜେଲ ଉପରେ ଟାକ୍ସ ବୃଦ୍ଧି ଘୋଷଣା କରିଛନ୍ତି । ପେଟ୍ରୋଲ ଉପରେ ୨୫.୯୨ରୁ ୨୯.୮୪ ପ୍ରତିଶତ ଓ ଡିଜେଲ ଉପରେ ୧୪.୩ରୁ ୧୮.୪ ପ୍ରତିଶତ କର୍ଣ୍ଣାଟକ ସେଲ୍ସ ଟ୍ୟାକ୍ସ (କେଏସଟି) ବୃଦ୍ଧି କରାଯାଇଥିବା ସରକାରୀ ନୋଟିଫିକେସନରୁ ଜଣାପଡ଼ିଛି । ଏହି ନିଷ୍ପତ୍ତି ତ୍ୱରିତ ଭାବେ କାର୍ଯ୍ୟକାରୀ ହେବ ବୋଲି ଅର୍ଥ ବିଭାଗର ବିଜ୍ଞପ୍ତିରୁ ଜଣାପଡ଼ିଛି । ବର୍ତ୍ତମାନ ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ୯୯.୮୪ ଟଙ୍କା ଓ ଡିଜେଲ ଲିଟର ୮୫.୯୩ ଟଙ୍କା ରହିଥିବା ବେଳେ ଖୁବଶୀଘ୍ର ଏହି ଦର ଲାଗୁ ହେବ ।

ଗତ ୪ ତାରିଖରେ ଦେଶରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା । ବହୁମତ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଥିବା ବିଜେପି ଦୁଇ ସହଯୋଗୀ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଓ ସଂଯୁକ୍ତ ଜନତା ଦଳ (ଜେଡିୟୁ) ସହ ମେଣ୍ଟ କରି କ୍ରମାଗତ ତୃତୀୟ ଥର କେନ୍ଦ୍ରରେ ସରକାର ଗଠନ କରିଛି । ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ । ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ । ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।

Leave A Reply

Your email address will not be published.