ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍ରେ କୋଲକାତା ନାଇଟ୍ ରାଇଡର୍ସ (KKR) ଆଇପିଏଲ୍ ୨୦୨୪ର ଟାଇଟଲ୍ ବିଜୟୀ ହୋଇଥିଲା । ଏବେ ଗମ୍ଭୀରଙ୍କ ନାମ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍ ଦୌଡ଼ରେ ଆଗରେ ରହିଛି ।
ରିପୋର୍ଟ ମୁତାବକ, ବିସିସିଆଇ ସହିତ ତାଙ୍କର ଡିଲ୍ ଫାଇନାଲ ହୋଇସାରିିଛି । ଏବେ କେବଳ ଔପଚାରିକ ଘୋଷଣା ବାକି ରହିଛି । କହି ରଖୁଛୁ, ଟି୨୦ ବିଶ୍ୱକପ୍ ୨୦୨୪ର ସମାପ୍ତି ସହିତ ହିଁ ବର୍ତ୍ତମାନର ହେଡ୍ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ ।
ଏହାରି ଭିତରେ ଗୌତମ ଗମ୍ଭୀର ଜୁନ୍ ୧୭ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଛନ୍ତି । ଗମ୍ଭୀର ‘X’ରେ ଫଟୋ ସେୟାର କରି ଲେଖିଛନ୍ତି, ‘ମାନନୀୟ ଗୃହମନ୍ତ୍ରୀ ଅମିତ୍ ଶାହ ଜୀଙ୍କ ସହ ସାକ୍ଷାତ କରି ନିର୍ବାଚନରେ ମିଳିଥିବା ସଫଳତା ପାଇଁ ଶୁଭେଚ୍ଛା ଜଣାଇଲି । ଗୃହମନ୍ତ୍ରୀ ଭାବରେ ତାଙ୍କର ନେତୃତ୍ୱ ଆମ ଦେଶର ସୁରକ୍ଷା ଏବଂ ସ୍ଥିରତାକୁ ଆହୁରି ମଜଭୁତ କରିବ’ ।
ସୂଚନାଥାଉ କି, ଗୌତମ ଗମ୍ଭୀର ବିଜେପି ଟିକେଟ୍ରେ ପୂର୍ବ ଦିଲ୍ଲୀ ଆସନରୁ ଲୋକସଭା ସାଂସଦ ରହିସାରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ଗମ୍ଭୀର ଏହି ଆସନରୁ ବିପୁଳ ବିଜୟ ହାସଲ କରିଥିଲେ । ସେତେବେଳେ ସେ ଅରବିନ୍ଦର ସିଂ ଲଭଲିଙ୍କୁ ପାଖାପାଖି ୩ ଲକ୍ଷ ୯୧ ହଜାର ଭୋଟ୍ରେ ହରାଇଥିଲେ । ଗମ୍ଭୀରଙ୍କୁ ଏହି ନିର୍ବାଚନରେ ୭ ଲକ୍ଷ ପାଖାପାଖି ଭୋଟ୍ ମିଳିଥିଲା । ଗମ୍ଭୀର କ୍ରିକେଟ୍ ଉପରେ ଫୋକସ୍ କରିବା ପାଇଁ ରାଜନୀତି ଛାଡ଼ିବାକୁ ଘୋଷଣା କରିଥିଲେ । ତେଣୁ ସେ ୨୦୨୪ ନିର୍ବାଚନ ଲଢ଼ି ନ ଥିଲେ ।
୪୨ ବର୍ଷୀୟ ଗୌତମ ଗମ୍ଭୀର ୨୦୧୮ ଡିସେମ୍ବର ୪ରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲ୍ବିଦା କହିଥିଲେ । ସେ ଭାରତ ପକ୍ଷରୁ ନିଜର ଶେଷ ଟେଷ୍ଟ ମ୍ୟାଚ୍ ୨୦୧୬ରେ ରାଜକୋଟ୍ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ଗୌତମ ଗମ୍ଭୀର ୫୮ଟି ଟେଷ୍ଟ ମ୍ୟାଚ୍ରେ ୪୧୫୪ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୯ଟି ଶତକ ଅନ୍ତର୍ଭୁକ୍ତ ରହିଛି ।