ରଜକୁ ନେଇ ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁର, ରଜ ଦୋଳି ଖେଳିଲେ ଦୃଷ୍ଟିବାଧିତ ଛାତ୍ରୀ

ବ୍ରହ୍ମପୁର (କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ହେଉଛି ରଜ ପର୍ବ । ରଜକୁ ନେଇ ଉତ୍ସବ ମୁଖର ହୋଇଉଠିଛି ରେଶମ ସହର ବ୍ରହ୍ମପୁର । ସହରବାସୀ ରଜକୁ ବେଶ ଆଡ଼ମ୍ବର ସହକାରେ ପାଳନ କରିଛନ୍ତି । ଆଉ ଉତ୍ସବକୁ ପାଳନ କରିବା ପାଇଁ ବାଦ ପଡ଼ିନାହାନ୍ତି ଦୃଷ୍ଟିବାଧିତ ଛାତ୍ରୀମାନେ । ସହରର ଓଡ଼ିଶା ସର୍ଭିସ ଫର୍‌ ଦ ବ୍ଲାଇଣ୍ଡର କାର୍ଯ୍ୟାଳୟରେ ରଜ ଉତ୍ସବ ପାଳିତ ହୋଇଛି । ଏହି ଅନୁଷ୍ଠାନରେ ରହିଥିବା ଦୃଷ୍ଟିବାଧିତ ଛାତ୍ରୀମାନେ ସଜ ହୋଇ ନୂଆ ଡ୍ରେସ୍‌ ପିନ୍ଧି ଭଳି କି ଭଳି ପିଠାପଣା ଖାଇ ରଜ ଦୋଳି ଖେଳିଥିଲେ । ସେହିପରି ସହରର ସାତ୍ତ୍ବିକ ସୋଲ୍‌ ଫାଉଣ୍ଡେସନ ପକ୍ଷରୁ ଲାଞ୍ଜିପଲ୍ଲୀ ଚନ୍ଦନ ନଗର ବସ୍ତିରେ ବସ୍ତିବାସିନ୍ଦାଙ୍କ ସହ ରଜ ଉତ୍ସବ ପାଳନ ହୋଇଥିଲା ।

ସେମାନେ ଦୃଷ୍ଟିବାଧିତ ସତ କିନ୍ତୁ ଅନ୍ୟ ଝିଅଙ୍କ ଠାରୁ କୌଣସି ଗୁଣରେ କମ ନାହାନ୍ତି । କେବଳ ଗୁଣ ନୁହେଁ ବରଂ ପର୍ବପର୍ବାଣୀକୁ ଖୁବ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ଏମାନେ । ବ୍ରହ୍ମପୁରରେ ଥିବା ଓଡ଼ିଶା ସର୍ଭିସ ଫର ଦି ବ୍ଲାଇଣ୍ଡର ଦୃଷ୍ଟିବାଧିତ ଛାତ୍ରୀମାନେ ପାଳିଛନ୍ତି ରଜ ପର୍ବ । ପହିଲି ରଜ ଅବସରରେ ଅନୁଷ୍ଠାନର କାର୍ଯ୍ୟାଳୟରେ ରଜ ଉତ୍ସବ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁଷ୍ଠାନରେ ରହିଥିବା ସମସ୍ତ ଦୃଷ୍ଟିବାଧିତ ଛାତ୍ରୀମାନେ ଭୋରୁ ଉଠି ନିଜର ନିତ୍ୟକର୍ମ ଶେଷ କରିବା ପରେ ନୂଆ ଡ୍ରେସ୍‌ ପିନ୍ଧି, ପାଦରେ ଅଳତା ହାତରେ ମେହେନ୍ଦୀ ଓ ବେଣୀରେ ଫୁଲ ଲଗାଇ ନିଜକୁ ସଜେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ରଜ ଦୋଳି ଖେଳ । ଦୃଷ୍ଟିବାଧିତ ଛାତ୍ରୀମାନେ ରଜ ଗୀତ ଗାଇ ରଜ ଦୋଳି ଖେଳିଥିଲେ । ଏହା ସହିତ ଅନ୍ୟ କିଛି ଦୃଷ୍ଟିବାଧିତ ଛାତ୍ରୀମାନେ ଠିଆ ପୁଚି ଖେଳି ରଜ ଉତ୍ସବ ପାଳିଥିଲେ । ଶେଷରେ ବିଭିନ୍ନ ପାରମ୍ପରିକ ପିଠାପଣାକୁ ବେଶ ଆନନ୍ଦର ସହ ଖାଇଥିଲେ ଦୃଷ୍ଟିବାଧିତ ଛାତ୍ରୀମାନେ । ଦିବ୍ୟାଙ୍ଗ ହେଲେ ମଧ୍ୟ ସାଧାରଣ ଝିଅଙ୍କ ଭଳି ରଜ ଉତ୍ସବ ପାଳନ କରି ବେଶ ଖୁସି ଥିଲେ । ସେପଟେ ଦୀର୍ଘ ୧୭ ବର୍ଷ ହେଲା ଏଭଳି ବିଭିନ୍ନ ଉତ୍ସବ ପାଳନ ହୋଇଆସୁଛି ଏହି ଅନୁଷ୍ଠାନରେ । ଦୃଷ୍ଟିବାଧିତ ଛାତ୍ରୀମାନେ କିଭଳି ଭାବେ ନିଜକୁ ଅସମର୍ଥ ନଭାବିବେ ସେଥିପାଇଁ ଏଭଳି ଆୟୋଜନ କରାଯାଉଛି । ଆଉ ଏଭଳି ଆୟୋଜନ ହେବା ଦ୍ବାରା ଏହି ଛାତ୍ରୀମାନଙ୍କ ମଧ୍ୟରେ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ଆହୁରି ଶକ୍ତି ମିଳିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ କହିଛନ୍ତି ।

ଅନ୍ୟପଟେ ସହରର ସାତ୍ତ୍ବିକ ସୋଲ ଫାଉଣ୍ଡେସନ ପକ୍ଷରୁ ଲାଞ୍ଜିପଲ୍ଲୀ ଚନ୍ଦନ ନଗର ବସ୍ତିରେ ରଜ ଉତ୍ସବ ପାଳିତ ହୋଇଯାଇଛି । ବସ୍ତିର ଝିଅମାନଙ୍କୁ ଫାଉଣ୍ଡେସନର ସଦସ୍ୟାମାନେ ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ଦେଇଥିଲେ । ରଜ ଦୋଳିରେ ବସ୍ତିର ଝିଅମାନେ ବସି ରଜ ଦୋଳି ଖେଳିଥିଲେ । ରଜ ଦୋଳି ଖେଳିବା ପରେ ବସ୍ତିର ଝିଅମାନଙ୍କୁ ନେଇ ଠିଆ ପୁଚି, ବସା ପୁଚି, ହୁଳହୁଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଏହାସହିତ ରଜ ପାନକୁ ଫାଉଣ୍ଡେସନର ସଦସ୍ୟା ମାନେ ବସ୍ତିର ଝିଅ ମାନଙ୍କୁ ବାଣ୍ଟିଥିଲେ । ଦୃଷ୍ଟିବାଧିତ ଛାତ୍ରୀମାନଙ୍କ ଦ୍ବାରା ପାଳିତ ହେଉଥିବା ରଜ ଉତ୍ସବରେ ସହରର ବହୁ ଲୋକମାନେ ଯୋଗ ଦେଇ ରଜ ଉତ୍ସବ ପାଳିଥିଲେ ।

Leave A Reply

Your email address will not be published.