ରୋଷେଇ ଘରେ ମହଙ୍ଗା ମାଡ଼, ଚାଉଳ ଡାଲି ପରେ ଏବେ ଆକାଶ ଛୁଆଁ ପରିବା ଦର

ଭୁବନେଶ୍ୱର(କେନ୍ୟୁଜ୍‌): ନିର୍ବାଚନ ସରିଲା । ଅସହ୍ୟ ତାତିରେ ଏବେ ପରିବା ଦରରେ ଲାଗିଲା ନିଆଁ । ହୁ ହୁୂ ହୋଇ ବଢିଚାଲିଛି ପରିବା ଦର। ଯେଉଁଥିପାଇଁ ସିଧା ରୋଷେଇ ଘରେ ମହଙ୍ଗା ମାଡ଼ ପଡ଼ିଛି । ବଜାର ରୁ ଘର ସବୁଠି ବର୍ତ୍ତମାନ ପରିବା ଚର୍ଚ୍ଚା । ଚିନ୍ତାରେ ପଡ଼ିଲେଣି ଲୋକେ । ଓଡ଼ିଶାରେ ଅଳ୍ପ ବର୍ଷା, ଗରମ ସହିତ ଅସହ୍ୟ ଗୁଳୁଗୁଳି ଯୋଗୁ ପନିପରିବା ଫସଲ ନଷ୍ଟ ହୋଇଛି । ରାଜ୍ୟରେ ଫସଲ ନଷ୍ଟ ହେବା ସହିତ ବାହାର ରାଜ୍ୟ ଉପରେ ଅତ୍ୟଧିକ ନିର୍ଭରଶୀଳତା ପରିବା ବଜାରରେ ନିଆଁ ଲଗାଇ ଦେଇଛି। ଅଧିକାଂଶ ପରିବାର ଦର କିଲୋ ପିଛା ଦୁଇରୁ ତିନି ଗୁଣ ବଢିଛି । ଯାହାଫଳରେ ଗ୍ରାହକଙ୍କୁ ବାଧୁଥିବା ବେଳେ ବ୍ୟବସାୟୀ ମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି ।

୫୦ ତଳକୁ ବଜାରରେ ପରିବା ନାହିଁ । ଆଉ ଟଙ୍କା ହଜାରେ ନହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । ହାଟକୁ ଆସୁଥିବା ଗ୍ରାହକ ଦର ଶୁଣିଦେଲେ କାନମୁଣ୍ଡା ଆଉଁସି ଘରକୁ ଫେରିବା ସାର । ପରିବା କିଣିବାକୁ ଇଛା ଥିଲେ ବି ଆବଶ୍ୟକତା ହିସାବରେ ନୁହେଁ ବରଂ ପକେଟକୁ ଦେଖି ଅଢ଼େଇ ଶହ ନହେଲେ ଅଧାକିଲୋ କିଣି ନେଉଛନ୍ତି ।

ବର୍ଦ୍ଧିତ ଦରରେ କେବେ ଲାଗିବ ରୋକ୍ ସେନେଇ ଚିନ୍ତାରେ ଖାଉଟି । ଅଧିକାଂଶ କଞ୍ଚା ପରିବା କିଲୋପ୍ରତି ଦାମ ୫୦ ଟଙ୍କାରେ ପହଞ୍ଚିଛି । କଲରା କିଲୋ ପିଛା ୬୦ ଟଙ୍କା, ଭେଣ୍ଡି ୫୦ ଟଙ୍କା, ଟମାଟୋ ୪୦, ଜହ୍ନି ୬୦, ପୋଟଳ ୬୦, କଖାରୁ ୬୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ଅଦା, ରସୁଣ, ପିଆଜ, ଦର ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ରସୁଣ ପ୍ରକାର ଅନୁସାରେ ୨୬୦ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ଦରରେ ବିକ୍ରି ହେଉଛି । ପରିବା ସହ ଖୁଚୁରା ବଜାରରେ ଉଷୁନା ଓ ଅରୁଆ ଚାଉଳର ମଧ୍ୟ ଦର ବଢିଛି । ହରଡ ଡାଲି, ସୋରିଷ ତେଲ, ଗହମ ମଧ୍ୟ ମହଙ୍ଗା ହୋଇଛି ।

ଗତ କିଛି ଦିନ ହେବ ପରିବା ମାର୍କେଟର୍ ଦରବୃଦ୍ଧି ଗ୍ରାହକଙ୍କୁ ଅସ୍ତବ୍ୟସ୍ତ କରୁଛି । ଦୁଇ ମାସ ଭିତରେ ବିନ୍ ଦର କିଲୋ ପିଛା ୫୦ ଟଙ୍କାରୁ ୧୮୦ ଟଙ୍କାରେ ପହଞ୍ଚି ଯାଇଛି। ଚଢା ଦରର ଏ ବଜାରକୁ ନେଇ ଅଧିକ ଚିନ୍ତାରେ ଗୃହିଣୀ । ପରିବା ଡାଲାରୁ ଗାଏବ ପରିବା । କାଁ ଭାଁ ଗୋଟେ ଯୋଡେ ପରିବା ଡାଲାରେ ପଡିଥିବା ବେଳେ ଆଉ ଆଣିବାକୁ ଇଛା ହେଉନଥିବା କହିଛନ୍ତି ଗୃହିଣୀ । ନିର୍ବାଚନ ପୂର୍ବରୁ ବିଲାତି କିଲୋ ୩୦ରୁ ୪୦ ଟଙ୍କା ଥିବା ବେଳେ ଏବେ ୫୦ରୁ ୬୦ ଟଙ୍କା ଛୁଇଁଛି । ବିଲାତି ଏବେ ନାସିକ୍, ବେଙ୍ଗାଲୁରୁ, ରାୟପୁରରୁ ଆମଦାନୀ ହେଉଛି । ସେଠାରେ ଉତ୍ପାଦନ କମ୍ ରହିଥିବାରୁ ମୂଲ୍ୟ ବୃଦ୍ଧି ହୋଇଛି । ଯେଉଁ ମୂଲ୍ୟ ବୃଦ୍ଧିକୁ ନେଇ ଲୋକେ ଅସନ୍ତୋଷ ହେଉଛନ୍ତି । ତେବେ ନିଅଣ୍ଟିଆ ବର୍ଷା ଯୋଗୁଁ ଏଭଳି ପରିବା ଦର ବୃଦ୍ଧି ଘଟୁଥିବା ବେଳେ କେବେ ଏହି ପରିବା ଦର ହ୍ରାସ ହେବ ତାକୁ ଅନାଇ ବସିଛନ୍ତି ଖାଉଟି ।

Leave A Reply

Your email address will not be published.