କୁଏତ୍‌: ଶ୍ରମିକ ରହୁଥିବା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ; ୪୦ ଭାରତୀୟ ମୃତ, ୫୦ରୁ ଅଧିକ ଆହତ

କୁଏତ୍‌ର ଦକ୍ଷିଣ ସହର ମଙ୍ଗାଫ୍‌ରେ ବୁଧବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଏକ ବିଲ୍ଡିଂରେ ନିଆଁ ଲାଗି ୪୦ ଭାରତୀୟଙ୍କ ମୃତ୍ୟୁ ହୋଇଛି । ବିଲ୍ଡିଂରେ ବହୁ ସଂଖ୍ୟାରେ ମାଲାୟାଲମ୍‌ ଲୋକ ରହୁଥିଲେ, ଯେଉଁମାନେ କି, ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ମୃତକମାନଙ୍କ ମଧ୍ୟରେ ୨ ଜଣ ତାମିଲନାଡ଼ୁର ଏବଂ ୨ ଜଣ ଉତ୍ତର ଭାରତର ବୋଲି ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ବାକି ଅନ୍ୟମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲିଛି ।

କୁଏତ୍‌ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ମୁତାବକ, ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି । ଆହତ ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ପ୍ରଦାନ ପାଇଁ ଡାକ୍ତରୀ ଟିମ୍‌ ସବୁ ସମ୍ଭବ ପ୍ରୟାସ କରୁଛନ୍ତି ।

ରିପୋର୍ଟ ଅନୁସାରେ, ବୁଧବାର ଭୋର୍‌ ପ୍ରାୟ ୪ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଏଠାରେ ଲେବର୍‌ କ୍ୟାମ୍ପ୍‌ର ରୋଷେଇ ଘରେ ପ୍ରଥମେ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା । ନିଆଁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ବିଲ୍ଡିଂରୁ କିଛି ଲୋକ ଡେଇଁପଡ଼ିବା ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ଆଉ କେତେଜଣ ଅତି ଭୟଙ୍କର ଭାବରେ ପୋଡ଼ି ହୋଇଯାଇଥିଲେ । କିଛି ଲୋକ ଅଣନିଃଶ୍ୱାସୀ ହୋଇପଡ଼ିବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା ।

ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ, ଏହି ୬ ମହଲା ବିଲ୍ଡିଂର ରୋଷେଇ ଘରେ ପ୍ରଥମେ ନିଆଁ ଲାଗିଥିଲା । ଏଠାରେ ପାଖାପାଖି ୧୬୦ ଲୋକ ରହୁଥିଲେ ଏବଂ ମୃତକ ସମସ୍ତେ ଗୋଟିଏ ହିଁ କମ୍ପାନୀରେ କାମ କରୁଥିଲେ । ମୃତ ଭାରତୀୟ ଲୋକ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଏହି ଅଗ୍ନିକାଣ୍ଡରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାରି ଭିତରେ କୁଏତ୍‌ସ୍ଥିତ ଭାରତୀୟ ଦୂତାବାସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହିତ ଦୂତାବାସ ‘X’ରେ ଜରୁରୀକାଳୀନ ହେଲ୍‌ପଲାଇନ ନମ୍ବର ମଧ୍ୟ ଜାରି କରିଛି ।

Leave A Reply

Your email address will not be published.