ସମ୍ପନ୍ନ ହେଲା ସମ୍ବଲପୁରର ସବୁଠାରୁ ବଡ଼ ପର୍ବ ଶୀତଳ ଷଷ୍ଠୀ, ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତି

ସମ୍ପନ୍ନ ହୋଇଯାଇଛି ସମ୍ବଲପୁର ସହରର ସବୁଠାରୁ ବଡ଼ ପର୍ବ ଶୀତଳ ଷଷ୍ଠୀ ଯାତ୍ରା । ଯୁଗଳ ଦର୍ଶନ ଓ ସାଂସ୍କୃତିକ ଶୋଭାଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ଦୀର୍ଘ ୨୦ ଘଣ୍ଟାର ଶୋଭାଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ନବ ଦମ୍ପତି ମନ୍ଦିର ପ୍ରବେଶ କରିଛନ୍ତି । ଦୀର୍ଘ ତିନି ଦିନ ହେଲା ଚାଲୁଥିବା ଯାତ୍ରା ସମାପ୍ତ ହୋଇ ଦେବ ଦମ୍ପତି ଗୃହ ପ୍ରବେଶ ବା ମନ୍ଦିର ପ୍ରବେଶ କରିଛନ୍ତି ।

୧୦ ତାରିଖ ବିଳମ୍ବିତ ରାତିରେ ମହାଦେବ ବିବାହ ପାଇଁ ମନ୍ଦିରରୁ ବାହାରିଥିଲେ ଯାହା ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ମହାଦେବ ଓ ମାତା ପାର୍ବତୀଙ୍କ ଆଲୌକିକ ବିବାହ ସରିବା ପରେ ନବ ଦମ୍ପତିଙ୍କ ଯୁଗଳ ଦର୍ଶନ ପାଇଁ ନଗର ପରିକ୍ରମାରେ ବାହାରିଥିଲେ । ୧୨ ତାରିଖ ସକାଳ ୯ଟାରୁ ଦେବ ଦମ୍ପତିଙ୍କ ମହା ଆଳତି ପରେ ପୁଣିଥରେ ନଗର ପରିକ୍ରମା ପାଇଁ ଶୋଭାଯାତ୍ରାରେ ବାହାରିଥିଲେ ।

ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଏହି ଯୁଗଳ ଦର୍ଶନ ଯିଏ କରେ ସିଏ ଗଙ୍ଗା ଦର୍ଶନର ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛି । ଯୁଗଳ ଦର୍ଶନ କରିବା ପାଇଁ ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ୧୧ ତାରିଖ ବାହାରିଥିବା ସହରର ମୋଡ଼ିପଡ଼ା, ଝାଡୁଆପଡା, ନନ୍ଦପଡା, ବଡ଼ବଜ଼ାର ଓ ଠାକୁରପଡା ୫ ପ୍ରମୁଖ ଯାତ୍ରା କମିଟିର ଶୋଭାଯାତ୍ରା ପାଇଁ ସହରରେ ପ୍ରବଳ ଭିଡ଼ ହୋଇଥିଲା ।

ଏହି ଶୋଭାଯାତ୍ରାରେ ନର, କିନ୍ନର, ଦେବ, ଦାନଵ ସଭିଏଁ ସାମିଲ ହୋଇଥିଲେ । ଶୀତଳ ଷଷ୍ଠୀ ଯାତ୍ରାରେ ଚଳିତ ବର୍ଷ ପ୍ରାୟ ଦଶ ହଜ଼ାରରୁ ଉର୍ଦ୍ଧ କଳାକାର ଯୋଗ ଦେଇଥିଲେ । ମନଲୋଭା ସାଂସ୍କୃତିକ ଦଳମାନଙ୍କର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଲୋକେ ବିଭୋର ହୋଇ ଯାଇଥିଲେ । ଆକର୍ଷଣୀୟ ରଥ ନାଚରେ ଯୁବ ପିଢ଼ି ଝୁମି ଉଠି ଥିଲେ ।

ଗୋଟିଏ ପରେ ଗୋଟିଏ ପ୍ରଜ୍ଞାପନ ମେଢ଼ ସହ ଲୋକ କଳାକାର ଓ ସାଂସ୍କୃତିକ ଦଳର ମନରଞ୍ଜନ କାର୍ଯ୍ୟକ୍ରମ ଦେଖି ଲୋକେ ବିମୋହିତ ହୋଇପଡ଼ିଥିଲେ । ଦୀର୍ଘ ଏକ ମାସ ଧରି ଚାଲିଥିବା ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରର ବଡ଼ ପର୍ବ ଶୀତଳ ଷଷ୍ଠୀ ଯାତ୍ରା ଆଜି ସମାପ୍ତ ହୋଇଯାଇଛି । କଳାକାରଙ୍କ ମହାକୁମ୍ଭ କୁହାଯାଉଥିବା ଶୀତଳ ଷଷ୍ଠୀ ପାଇଁ ପୁଣି ଅପେକ୍ଷାରେ ଆଉ ଗୋଟେ ବର୍ଷ ।

Leave A Reply

Your email address will not be published.