ମା’ ସିଂହାସନୀଙ୍କ ମନ୍ଦିରରେ ପାଳିତ ହେଲା ପ୍ରସିଦ୍ଧ ରଜପର୍ବ, ଛୁଟିଲା ଭକ୍ତଙ୍କ ସୁଅ

ପୋଲସରା(କେନ୍ୟୁଜ): ଅସହ୍ୟ ଗରମରେ ଭକ୍ତମାନେ ଛୁଟି ଆସିଛନ୍ତି ମନ୍ଦିର । ମା’ଙ୍କ ଅପୂର୍ବ ଆଳତି ଦର୍ଶନ କରିବାର ସୌଭାଗ୍ୟ ନେଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । ତେବେ ରଜ ଉତ୍ସବ ପାଇଁ ଗାଁ ଠୁ ସହର ଚଳ ଚଞ୍ଚଳ ହୋଇ ପଡ଼ିଥିବା ବେଳେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତଥା ପୋଲସରାର ଅଧିଷ୍ଠାତ୍ରୀ ଦେବୀ ମା’ ସିଂହାସନୀଙ୍କ ମନ୍ଦିରରେ ମଧ୍ୟ ପ୍ରସିଦ୍ଧ ରଜପର୍ବ ପାଳିତ ହୋଇଯାଇଛି । ରଜ ପର୍ବର ଦ୍ୱିତୀୟ ଦିନର ସଂକ୍ରାନ୍ତି ଅବସରରେ ପ୍ରାୟ ପଚାଶ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସି ମା’ଙ୍କ ଦର୍ଶନ କରିଥିଲେ । ରଜ ଅବସରରେ ଅନେକ ଭକ୍ତ ମା’ଙ୍କ ଦର୍ଶନ କରି କୃପାଲାଭ କରିଛନ୍ତି ।

ରଜ ସଂକ୍ରାନ୍ତି ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି ଆୟୋଜିତ ହୋଇଥିଲା । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଧୂପ, ଦୀପ ଓ ଝୁଣା ବାସ୍ନାରେ ମନ୍ଦିର ପରିସରରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ମା’ଙ୍କ ଦର୍ଶନ ପାଇଁ ଭକ୍ତମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରିଥିଲେ ।

ରଜ ପାଇଁ ମା’ଙ୍କୁ ସୁନ୍ଦର ସୁନ୍ଦର ଫୁଲରେ ସଜା ଯାଇଥିଲା । ମା’ଙ୍କ ଏହି ଚମତ୍କାର ବେଶ ଦର୍ଶନ କରି ଭକ୍ତମାନେ ବେଶ ଆନନ୍ଦିତ ହୋଇଥିଲେ । ଅନ୍ୟପଟେ ମନ୍ଦିରକୁ ମଧ୍ୟ ଖୁବ ସୁନ୍ଦର ଭାବେ ସଜା ଯାଇଥିଲା । ମା’ଙ୍କ ଦର୍ଶନ ପାଇଁ ଯେଉଁଭଳି ଭାବେ ଭିଡ଼ ଲାଗିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଆଗାମୀ ଦିନରେ ମନ୍ଦିରକୁ ଆହୁରି ଭକ୍ତ ଆସି ମା’ଙ୍କ ଦର୍ଶନ ଲାଭ କରନ୍ତୁ ତାହା ହିଁ ସମସ୍ତଙ୍କ କାମନା ।

Leave A Reply

Your email address will not be published.