ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବାଢ଼ରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା ଗଙ୍ଗା ନଦୀରେ ବୁଡ଼ି ଯାଇଛି । ଏହି ଡଙ୍ଗାରେ ୧୭ ଜଣ ଯାତ୍ରୀ ଥିଲେ । ସମସ୍ତେ ଗଙ୍ଗା ଦଶହରା ଅବସରରେ ସ୍ନାନ କରିବା ପାଇଁ ଯାଉଥିଲେ । ହଠାତ୍‌ ଏହି ସମୟରେ ଡଙ୍ଗାଟି ନଦୀ ମଝିରେ ଜଳ ପ୍ରବାହରେ ଫସିଯାଇଥିଲା । ଫଳରେ ଡଙ୍ଗା ଓଲଟି ପଡ଼ିବାରୁ ସମସ୍ତ ଯାତ୍ରୀ ନଦୀ ପାଣିରେ ପଡ଼ିଯାଇଥିଲେ ।

ଦୁର୍ଘଟଣା ପରେ ୧୧ ଜଣ ଶ୍ରଦ୍ଧାଳୁ ପହଁରି ପହଁରି ନିଜ ଜୀବନ ରକ୍ଷା କରିନେଇଥିଲେ । କିନ୍ତୁ ଏବେ ବି ୬ ଜଣ ଶ୍ରଦ୍ଧାଳୁ ନିଖୋଜ ଅଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଆଖପାଖର ଲୋକମାନେ ନଦୀ କୂଳରେ ରୁଣ୍ଡ ହୋଇଛନ୍ତି । ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନଦୀରେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ପୋଲିସ ରେସ୍‌କ୍ୟୁ ଟିମ୍‌କୁ ଡକାଇଥିଲା । ଟିମ୍‌ ପହଞ୍ଚି ନିଖୋଜ ଲୋକଙ୍କୁ ଖୋଜାଖୋଜି କରୁଛି ।

ସୂଚନା ମୁତାବକ, ବାଢ଼ର ପ୍ରସିଦ୍ଧ ଉମାନାଥ ଗଙ୍ଗା ଘାଟରେ ଏହି ଦୁର୍ଘଟଣା ଘଟିଛି । ରେସ୍‌କ୍ୟୁ ଟିମ୍‌ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି କରୁଛି । ଗଙ୍ଗା ଦଶହରା ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାରେ ଗଙ୍ଗା ସ୍ନାନ କରିବାକୁ ଆସିଥିଲେ । ଲୋକମାନେ ଡଙ୍ଗା ମାଧ୍ୟମରେ ନଦୀର ଏ ପାଖରୁ ସେ ପାଖକୁ ଯିବାଆସିବା କରୁଥିଲେ । ଏହି ସମୟରେ ଏକ ଡଙ୍ଗା ଭାରସାମ୍ୟ ହରାଇ ବସିଥିଲା ଏବଂ ନଦୀ ମଝିରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣା ବେଳେ ଡଙ୍ଗାରେ ଥିବା ଶ୍ରଦ୍ଧାଳୁମାନେ ଚିତ୍କାର କରିବାକୁ ଲାଗିଥିଲେ ।

ଘଟଣାକୁ ନେଇ ସ୍ଥାନୀୟ ଲୋକମାନଙ୍କ କହିବା ହେଲା, ଆଜିର ଦିନରେ ପ୍ରଶାସନ ଡଙ୍ଗା ପରିଚାଳନାରେ ପ୍ରତିବନ୍ଧକ ଲଗାଇବାର ଉଚିତ୍‌ ଥିଲା । ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ । ସେମାନଙ୍କୁ ବିପଜ୍ଜନକ ଭାବେ ବସାଇ ଗଙ୍ଗା ନଦୀ ପାର୍‌ କରାଯାଉଥିଲା । ଡଙ୍ଗାରେ ଥିବା ୧୭ ଜଣଙ୍କ ମଧ୍ୟରୁ ୧୧ ଜଣ ନିଜ ଜୀବନ ବଞ୍ଚାଇ ନେଇଥିବା ବେଳେ ବାକି ୬ ଜଣଙ୍କୁ ଖୋଜାଖୋଜି କରାଯାଉଛି । ସମସ୍ତେ ନାଳନ୍ଦା ଜିଲ୍ଲା ମାଳତୀ ଗାଁର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.