ରଜରେ କୁମାରୀ ବେଶରେ ଦର୍ଶନ ଦେଲେ ମା’ ବାଲି ହରଚଣ୍ଡୀ, ଆରମ୍ଭ ହୋଇଛି ଚାରି ଦିନିଆ ପ୍ରସିଦ୍ଧ ରଜ ଯାତ୍ରା

ବ୍ରହ୍ମଗିରି(କେନ୍ୟୁଜ): ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା’ ବାଲି ହରଚଣ୍ଡିଙ୍କ ପୀଠରେ ଆରମ୍ଭ ହୋଇଛି ଚାରି ଦିନିଆ ପ୍ରସିଦ୍ଧ ରଜ ଯାତ୍ରା। ପରମ୍ପରା ଅନୁସାରେ ସକାଳର ନୀତି କାନ୍ତି ସମାପ୍ତ ହେବାପରେ ମା’ ଋତୁବତି ହୋଇଥିଲେ । ମାନବୀୟ ପରମ୍ପରା ଅନୁସାରେ ମା’ଙ୍କୁ କୁମାରୀ ବେଶରେ ସଜ୍ଜିତ କରାଯାଇଛି । ଦେବୀଙ୍କ କୁମାରୀ ବେଶ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ଦୂର ଦୂରାନ୍ତରୁ ହଜାର ହଜାର ଭକ୍ତ ଆସି ଲମ୍ବା ଧାଡ଼ିରେ ଠିଆ ହୋଇ ମା’ଙ୍କୁ ଦର୍ଶନ କରୁଛନ୍ତି । ବିଶେଷ କରି ମହିଳା ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ମହାଲକ୍ଷ୍ମୀ ବେଶ, ଭୂମିଦଳନ ଦିନ ମହାସରସ୍ୱତୀ, ବସୁମତୀ ସ୍ନାନ ଦିନ ମହାକାଳୀ ବେଶରେ ମା’ ବାଲି ହରଚଣ୍ଡି ଭକ୍ତମାନଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି ।

ସାରା ଓଡ଼ିଶାରେ ଲୋକେ ରଜ ପର୍ବକୁ ମହା ଆଡ଼ମ୍ବରରେ ପାଳନ କରୁଥିବା ବେଳେ ପୁରୀ ଜିଲ୍ଲାର ବ୍ରହ୍ମଗିରିସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ବାଲି ହରଚଣ୍ଡିଙ୍କ ପୀଠରେ ପାଳନ ହୋଇଥାଏ ନିଆରା ଢଙ୍ଗରେ ରଜପର୍ବ ।

ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବା ବେଳେ ବ୍ରହ୍ମଗିରି , କୃଷ୍ଣପ୍ରସାଦ, ପୁରୀ ସଦର ବ୍ଲକ ସମସ୍ତ ଗ୍ରାମରୁ ଲୋକେ ଏହି ରଜ ପର୍ବ ସମୟରେ ଛୁଟି ଆସିଥାନ୍ତି ମା’ଙ୍କ ପାଖକୁ । ଅଞ୍ଚଳରେ ଭାଇଚାରା ବଜାୟ ରଖିବା ସହିତ କୃଷି ଭିତ୍ତିକ ଚାଷ, ଓ ଅଞ୍ଚଳକୁ ପ୍ରାକୃତିକ ବିପର୍ଯ୍ୟୟ ଓ ସାମୁଦ୍ରିକ ଝଡ଼ପବନରୁ ରକ୍ଷା କରିବାପାଇଁ ଲୋକେ ଏହି ରଜ ସମୟରେ ମା’ଙ୍କ ପାଖରେ ଚାରିଦିନ ଧରି ବତାବାଉଁଶରେ ତିଆରି ହୋଇଥିବା ଅର୍ଦ୍ଧ ଗୋଲାକାର ତମ୍ବୁରେ ରହିଥାନ୍ତି । ରଜ ସମୟରେ ଦୂର ଦୁରାନ୍ତରୁ ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ଏହାକୁ ଦେଖି ବେଶ୍ ଆନନ୍ଦିତ ହୁଅନ୍ତି । ଲୋକେ ମା’ଙ୍କ ପାଖରେ ମାଜଣା କରିବା ସହିତ ଭୋଜି ଭାତ କରି ବେଶ ଆନନ୍ଦିତ ହୋଇଥାନ୍ତି । ଅଞ୍ଚଳରେ ସୁଖ ଶାନ୍ତି ଭରିବା ସହିତ ଭାଇଚାରା ବଜାଏ ରଖିବା ସହିତ କୃଷି ଭିତ୍ତିକ କାର୍ଯ୍ୟ କୁ ଆରମ୍ଭ କରିଥାନ୍ତି ।

ଏହି ପରି ମାଙ୍କ ପୀଠରେ ରଜ ଚାରିଦିନ ଯାତ୍ରା ପାଳନ କରାଯାଇଥାଏ । ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନକୁ ଭୂମି ଦଳନ, ଚତୁର୍ଥ ଦିନକୁ ବସୁମତୀ ବା ଠାକୁରାଣୀ ବୁଡ଼ ଭାବେ ପାଳନ କରାଯାଇଥାଏ।

Leave A Reply

Your email address will not be published.