ରଜ ଖଳାରେ ଜମୁଛି ରଜ ଦୋଳି, ମହ ମହ ବାସୁଛି ପୋଡ଼ ପିଠା

ସାଲେପୁର(କେନ୍ୟୁଜ): କୁଆଁରୀଙ୍କ ପର୍ବ ହେଉଛି ରଜ ପର୍ବ । ଓଡ଼ିଶାର ଏହି ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର ହୋଇଉଠିଛି ଗାଁ ରୁ ସହର । ନୂଆ ଡ୍ରେସ୍‌ ସାଙ୍ଗକୁ ପାଦରେ ଅଳତା ଲଗାଇ ପାନ ଖାଇ ଝିଅ ବୋହୁମାନେ ଏକାଠି ହୋଇଛନ୍ତି । ରଜ ଖଳାରେ ରଜ ଦୋଳିର ମଜା ଉଠାଉଛନ୍ତି ସମସ୍ତେ । ଆଜି ପହିଲି ରଜରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗୋପପୁର ଗାଁରେ ଦେଖିବାକୁ ମିଳିଛି ଅଗ୍ରଣୀ ଯୁବକ ମାନେ ଆୟୋଜିତ କରୁଥିବା ରଜ ମହୋତ୍ସବ । ବିଭିନ୍ନ ପ୍ରକାର ଦୋଳି ସାଙ୍ଗକୁ ନାଚ ଗୀତର ଆସର ଆଉ ତା ସହିତ ପାନ ଓ ପୋଡ଼ ପିଠାର ବାସ୍ନା । ଏଠାରେ ବିଭିନ୍ନ ପ୍ରକାର ଦୋକାନ ବଜାରର ପସରା ମେଲିଛି । ବିଭିନ୍ନ ସ୍ଥାନରୁ ଝିଅ ବୋହୂ ମାନେ ଆସି ଦୋଳିର ମଜା ଉଠାଇବା ସହ ରଜ ପାଳନ କରୁଥିବା ଦେଖିବାକୁ ମିଳୁଛି ।

ଓଡ଼ିଆଙ୍କର ଖୁବ୍‌ ଆପଣାର ପର୍ବ ରଜ । ପ୍ରବଳ ତାତି ଭିତରେ କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା । ଜୀବ ଜଗତ ହୋଇ ଉଠିଛି ଚଳଚଞ୍ଚଳ । ତେବେ ଏହାରି ଭିତରେ ଏମିତି ଏକ ବିଭୋର ବେଳାରେ ଆସିଯାଇଛି ରଜର ଅବସର । ପରମ୍ପରା, ଖାଦ୍ୟ ସଂସ୍କୃତି ସଜବାଜ ଆଉ ଖେଳ କୌତୁକରେ ଏହି ପର୍ବରେ ରହିଛି ଅନେକ ସ୍ୱତନ୍ତ୍ରତା । ବିଭିନ୍ନ ଗାଁର କୁଆଁରୀ ଝିଅମାନେ ଖୁବ୍ ମଜା ଉଠାଇବା ସହିତ ନୂଆ ପୋଷାକ ପିନ୍ଧି ରଜ ପର୍ବ ପାଳନ କରୁଛନ୍ତି ।

ଏହି ରଜରେ କୁଆଁରୀମାନେ ଅଳତା ଲଗାଇବା ସହ ମୁହଁରେ ଟିପି ଟିପି ଚନ୍ଦନ ଲଗାଇ ସଜ ହୋଇଥାନ୍ତି । ସାଙ୍ଗ ସାଥୀ ସମସ୍ତେ ମିଳିମିଶି ସାଜସଜାରେ ଲାଗି ପଡ଼ନ୍ତି । ଆଉ ଭୁଲିଯାନ୍ତି ଛୋଟ ବଡ଼ର ଭେଦ ଭାବ । ସଜ ବାଜ ଶେଷ ହେବା ପରେ ଆରମ୍ଭ ହୋଇଯାଏ ଝିଅମାନଙ୍କର ପ୍ରିୟ ଖେଳ ପୁଚି । ଠିଆ ପୁଚି ଠାରୁ ଆରମ୍ଭ କରି ବସିବା ପୁଚି ପର୍ଯ୍ୟନ୍ତ ମଜା ନିଅନ୍ତି ସମସ୍ତେ । ପୋଡ଼ ପିଠା ଖାଇ ସମସ୍ତେ ରଜକୁ ବେଶ୍‌ ଉପଭୋଗ କରନ୍ତି । କାହାର ବା ପ୍ରିୟ ନୁହେଁ ରଜ ପାନ । ଯେଉଁମାନେ ପାନ ଖାଆନ୍ତିନି ସେମାନେ ବି ରଜରେ ପାନ ଖାଇଥାନ୍ତି କାହିଁକି ନା ରଜରେ ପାନ ଖାଇବାର ମଜା ଥାଏ ସମ୍ପୂର୍ଣ୍ଣ ନିଆରା । ଏହା ପରେ ତିନି ଦିନ ଧରି ଗାଁ ମୁଣ୍ଡରେ ଥିବା ବର ଗଛରେ ଦୋଳି ଲଗା ଯାଇଥାଏ । ବାଉଁଶ ଦୋଳି ଓ ପଟ୍ଟା ଦୋଳି । ସବୁଥିରେ ଦୋଳି ଖେଳି ଖୁବ୍‌ ମଜା ନେଇଥାନ୍ତି କୁମାରୀମାନେ ।

ରଜ ଗୀତ ସହ ଏହି କଟମଟ ବାଜଣା ବଜାଇ ଆସିଛି ରଜ । ସତରେ ଓଡ଼ିଆର ଖୁବ୍‌ ଆପଣାର ପର୍ବ ରଜ । ଯାହା ଆଣିଥାଏ ଖୁସିର ଆସର । ସାରା ରାଜ୍ୟରେ ଆଜି ପହିଲି ରଜ ପାଇଁ କୁଆଁରୀ ଝିଅ ମାନେ ସଜବାଜ ହୋଇ ଦୋଳି ସହିତ ପିଠାପଣାର ବେଶ ମଜା ଉଠାଉଛନ୍ତି ।

Leave A Reply

Your email address will not be published.