ଆମେରିକାର ଓ୍ଵାଟର ପାର୍କରେ ଫୁଟିଲା ଗୁଳି, ୨ ଶିଶୁଙ୍କ ସମେତ ୮ ଜଣ ଆହତ

ଆମେରିକାରେ ପୁଣି ଫୁଟିଲା ଗୁଳି । ମିଶିଗନର ସବୁଠୁ ବଡ଼ ସହର ଡେଟ୍ରୋଇଟ୍ ନିକଟରେ ଥିବା ଏକ ୱାଟର ପାର୍କରେ ଶନିବାର ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଥିରେ ଦୁଇ ଶିଶୁଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି । ଏହି ଗୁଳିକାଣ୍ଡ ରୋଚେଷ୍ଟର ହିଲ୍ସର ଶିଶୁ ୱାଟର ପାର୍କରେ ଘଟିଥିବା ସୂଚନା ରହିଛି ।

ଓକଲ୍ୟାଣ୍ଡ କାଉଣ୍ଟିର ଶେରିଫ ମାଇକେଲ ବାଉଚାର୍ଡ କହିଛନ୍ତି ଯେ ଆକ୍ରମଣକାରୀ ଗୁଳି ଚଳାଇବା ପରେ ନିକଟସ୍ଥ ଏକ ଘରେ ଲୁଚି ଯାଇଥିଲେ । ପୋଲିସ ଘରକୁ ଘେରି ନେଇଥିଲା ଏବଂ ଭିତରକୁ ପ୍ରବେଶ କରିବା ପରେ ସେଠାରେ ସନ୍ଦିଗ୍ଧଙ୍କ ମୃତଦେହ ମିଳିଥିଲା । ଘଟଣାରେ ଆହତ ଶିଶୁ ଏବଂ ଅନ୍ୟମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଓକଲ୍ୟାଣ୍ଡ କାଉଣ୍ଟି ପୋଲିସର ସୂଚନା ମୁତାବକ, ସନ୍ଦିଗ୍ଧ ଆକ୍ରମଣକାରୀ ଶନିବାର ସନ୍ଧ୍ୟା ପ୍ରାୟ ୫ଟାରେ ରୋଚେଷ୍ଟର ହିଲ୍ସର ଅବର୍ଣ୍ଣ ସ୍ପ୍ଲାସ ପ୍ୟାଡରେ ପହଞ୍ଚିଥିଲେ । ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଆଖିବୁଜା ଗୁଳି ଚଳାଇଥିଲେ । ଆକ୍ରମଣକାରୀ ୯ ଏମ୍‌ଏମ୍‌ ସେମି-ଅଟୋମେଟିକ୍ ଗ୍ଲକ୍‌ରୁ ପାଖାପାଖି ୨୮ ରାଉଣ୍ଡ ଫାୟାରିଂ କରିଥିଲେ । ଘଟଣାସ୍ଥଳରୁ ବନ୍ଧୁକ ଏବଂ ତିନୋଟି ଖାଲି ମାଗାଜିନ୍‌ ଜବତ କରାଯାଇଛି । ଏହି ବନ୍ଧୁକରୁ ହିଁ ଗୁଳି ଚଳାଯାଇଥିବା ପୋଲିସ କହିଛି ।

ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ଲୋକଙ୍କ ଯିବାଆସିବା ବନ୍ଦ କରିଦେଇଛି । ଅଧିକାରୀ କହିଛନ୍ତି ଯେ ବିପଦ ଏବେ ବି ରହିଛି । ରୋଚେଷ୍ଟର୍ ହିଲ୍ସର ମେୟର ବ୍ରାଏନ୍ କେ. ବାର୍ନେଟ୍‌ କହିଛନ୍ତି, ପୋଲିସ ଘଟଣାସ୍ଥଳକୁ ସୁରକ୍ଷିତ କରିଛି । ଆମେ ସମସ୍ତଙ୍କ ଧୌର୍ଯ୍ୟକୁ ପ୍ରଶଂସା କରୁଛି । ଘଟଣାରେ ଆହତ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛୁ । କହି ରଖୁଛୁ ଯେ ରୋଚେଷ୍ଟର୍ ହିଲ୍ସ ଡେଟ୍ରୋଇଟ୍‌ଠାରୁ ପ୍ରାୟ ୨୭ ମାଇଲ୍ ଉତ୍ତରରେ ଅବସ୍ଥିତ ।

ଗଭର୍ଣ୍ଣର ଗ୍ରେଚେନ୍ ହ୍ୱିଟମର୍ ‘X’ରେ କହିଛନ୍ତି, ‘ରୋଚେଷ୍ଟର ହିଲ୍ସରେ ହୋଇଥିବା ଗୁଳିକାଣ୍ଡ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ଆମେ ସ୍ଥିତି ଉପରେ ନଜର ରଖିଛୁ ଏବଂ ସ୍ଥାନୀୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛୁ । ସୂଚନାଥାଉ କି, ରୋଚେଷ୍ଟର ହିଲ୍ସଠାରୁ ୧୫ ମାଇଲ ଦୂରରେ ଥିବା ଅକ୍ସଫୋର୍ଡର ଏକ ହାଇସ୍କୁଲରେ ୨୦୨୧ରେ ଭୟଙ୍କର ଗୁଳିକାଣ୍ଡ ଘଟିଥିଲା । ଏଥିରେ ସ୍କୁଲର ୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.