ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦିନ ମଜୁରିଆଙ୍କ ଜୀବନ, ଗାଁ ଲୋକଙ୍କ କ୍ଷତି ପୂରଣ ଦାବି

ଆଳି(କେନ୍ୟୁଜ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତି ପୂରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଗାଁ ଲୋକେ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପଦନିପାଳ ଦୈତାରିପୁର ଗାଁର ୪୬ ବର୍ଷିୟ ପ୍ରଶାନ୍ତ ମଳିକ । ସକାଳେ ଧାନ ବିଲକୁ ବିହନ ବୁଣିବାକୁ ଯାଇଥିଲେ । କିନ୍ତୁ ବିଲରେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି । ବିଦ୍ୟୁତ ବିଭାଗର ଅବହେଳାକୁ ଦାୟି କରି କ୍ଷତି ପୂରଣ ଦାବିରେ ଗାଁ ଲୋକେ କଟକ-ଚାନ୍ଦବାଲି ରାସ୍ତାର ଆଳି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଫଳରେ ଶହ ଶହ ଗାଡି ଅଟକି ରହିଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ଦେଖା ଦର୍ଶନ ମିଳି ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ପ୍ରଶାନ୍ତ ସିନା ଏ ଦୁନିଆ ଛାଡ଼ି ଚାଲିଗଲେ । ହେଲେ ତାଙ୍କ ପରିବାର ଏବେ କେମିତି ଚଳିବ ? ଘରେ ସେ ହିଁ ଏକୁଟିଆ ରୋଜଗାର କରୁଥିଲେ । କିନ୍ତୁ ତାଙ୍କ ଅନ୍ତେ ଏବେ ପୂରା ପରିବାର ଚିନ୍ତାରେ ପଡ଼ିଛି । ଯଦି ତାଙ୍କୁ ନ୍ୟାୟ ମିଳନ୍ତା ତେବେ ତାଙ୍କ ପରିବାରର ଦୁଃଖ ଦୂର ହୋଇ ପାରନ୍ତା ।

Leave A Reply

Your email address will not be published.