ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ବୃଦ୍ଧା ପୋଡ଼ି ଗୁରୁତର

ବୌଦ୍ଧ/ହରଭଂଗା : ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ ପରିବାର ଦୁଇ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭସ୍ମୀଭୂତ ହୋଇଛି । ଘରେ ଶୋଇଥିବା ବେଳେ ୯୦ ବର୍ଷୀୟ ବୃଦ୍ଧା ନିଆଁରେ ୮୦ ଭାଗ ପୋଡ଼ି ଗୁରୁତର ହୋଇଛନ୍ତି । ବୃଦ୍ଧା ଜଣକ ହେଲେ କୌଶଲ୍ୟା ବଗର୍ତ୍ତି । ସୂଚନା ମୁତାବକ ବିଳମ୍ବିତ ରାତିରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମର ଦୁର୍ଯ୍ୟୋଧନ ନାୟକଙ୍କ ଘରେ ନିଆଁ ଲାଗିଯାଇଥିଲା ।

କେହିକିଛି ଜାଣିବା ପୂର୍ବରୁ ନିଆଁ ଘର ସାରା ବ୍ୟାପୀଯାଇଥିଲା । ଘରୁ ସମସ୍ତେ ନିଆଁ ଲାଗିଥିବାର ଜାଣି ବାହାରକୁ ଚାଲିଆସିଥିବା ବେଳେ ଘର ଭିତରେ ରହିଯାଇଥିଲେ ଦୁର୍ଯ୍ୟୋଧନଙ୍କ ଶାଶୁ ୯୦ ବର୍ଷୀୟ ବୃଦ୍ଧା କୌଶଲ୍ୟା ବଗର୍ତ୍ତି । ଦୁର୍ଯ୍ୟୋଧନ ଘର କବାଟ ଭାଙ୍ଗି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାର ବେଳକୁ ବୃଦ୍ଧା ଜଣଙ୍କ ୮୦ ପ୍ରତିଶତ ପୋଡି ଯାଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଘରେ କେହି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରି ଏହାର ତଦନ୍ତ କରିବା ପାଇଁ ଦୁର୍ଯ୍ୟୋଧନ ଦାବି କରିଛନ୍ତି ।

Leave A Reply

Your email address will not be published.