କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ ଘରୁ ବାହାରିବା ମାତ୍ରେ ଶରୀର ମଧ୍ୟ ଡିହାଇଡ୍ରେସନ୍ ହେବାକୁ ଲାଗୁଛି । ଏହି ଗରମ ଖରାରେ କେବଳ ସ୍କିନ୍‌ ନଷ୍ଟ ହୋଇନଥାଏ ବରଂ କେଶର ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି । ଅତ୍ୟଧିକ ଝାଳ ହେତୁ କେଶରେ ଅତ୍ୟଧିକ ରୁପି ହେବାକୁ ଲାଗିଥାଏ । ବାସ୍ତବରେ, ଯେତେବେଳେ କେଶରେ ମଇଳା ଜମା ହୁଏ, ସେତେବେଳେ ରୁପି ସମସ୍ୟା ବଢିଯାଏ । ତେବେ ରୁପି ଯୋଗୁଁ, ମୁଣ୍ଡ ଅତ୍ୟଧିକ କୁଣ୍ଡେଇ ହେବା ଆରମ୍ଭ କରିଥାଏ ଏବଂ କେଶ ଅଧିକ ଶୀଘ୍ର ଝଡିବାକୁ ଲାଗିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ସମସ୍ୟାରୁ କିପରି ମୁକ୍ତି ପାଇବା ଏବଂ କ’ଣ ବ୍ୟବହାର କରିବା ।

ଲେମ୍ବୁ ରସ କେଶ ପାଇଁ ଲାଭଦାୟକ :
ଯଦି ଆପଣଙ୍କ ମୁଣ୍ଡରେ ରୁପି ହେଉଛି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ରସ ଲଗାନ୍ତୁ । କେଶରୁ ରୁପି ବାହାର କରିବାରେ ଲେମ୍ବୁ ରସ ବହୁତ ଲାଭଦାୟକ । କିନ୍ତୁ ଯଦି ଆପଣ ଲେମ୍ବୁ ରସକୁ ସିଧାସଳଖ ଆପଣଙ୍କ କେଶରେ ଲଗାନ୍ତି, ତେବେ କେଶ ନଷ୍ଟ ହେବାର ଆଶଙ୍କା ଥାଇପାରେ । ସିଧାସଳଖ ମୁଣ୍ଡରେ ଲେମ୍ବୁ ରସ ବ୍ୟବହାର କରିବା ଅତ୍ୟନ୍ତ କ୍ଷତିକାରକ । ସେଥିପାଇଁ ଆସନ୍ତୁ ଜାଣିବା ଯେ କିପରି ଏହାକୁ କେଶରେ ବ୍ୟବହାର କରିବା ।

ଜାଣନ୍ତୁ କେଶରେ ଲେମ୍ବୁ ରସ କିପରି ଲଗାଇବା ଉଚିତ୍ :
ଲେମ୍ବୁ ରସ ସହିତ ପାଣି ମିଶାନ୍ତୁ : ଏକ ପାତ୍ରରେ ଲେମ୍ବୁ ରସ ବାହାର କରନ୍ତୁ ଏବଂ ସେଥିରେ କିଛି ପାଣି ମିଶାନ୍ତୁ । ଏହା ପରେ ସାମ୍ପୁ ଦ୍ୱାରା କେଶ ଧୋଇ ଦିଅନ୍ତୁ । ସାମ୍ପୁ ପରେ ଲେମ୍ବୁ ପାଣିରେ ମୁଣ୍ଡକୁ ଭଲ ଭାବରେ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇରୁ ତିନିଥର ଏହାକୁ ଚେଷ୍ଟା କରନ୍ତୁ । ଦେଖିବେ ରୁପି ସମସ୍ୟାରୁ ବହୁତ ଶୀଘ୍ର ମୁକ୍ତି ମିଳିବ ।

ଆଲୋଭେରା ଜେଲ୍‌ ଏବଂ ଲେମ୍ବୁ ରସ : ଏକ ପାତ୍ରରେ ଆଲୋଭେରା ଜେଲ୍ ନେଇ ସେଥିରେ ଗୋଟିଏ ଲେମ୍ବୁର ରସ ମିଶାନ୍ତୁ । ବର୍ତ୍ତମାନ ଉଭୟକୁ ଭଲ ଭାବରେ ମିଶାନ୍ତୁ । ଏବେ ଏହାକୁ କେଶର ମୂଳ ଉପରେ ଭଲ ଭାବରେ ଲଗାନ୍ତୁ । ପ୍ରାୟ ଅଧ ଘଣ୍ଟା ପରେ ମୁଣ୍ଡ ଧୋଇ ଦିଅନ୍ତୁ ।

ନଡ଼ିଆ ତେଲ ଏବଂ ଲେମ୍ବୁ ରସ : ଲେମ୍ବୁ ରସକୁ ନଡିଆ ତେଲରେ ମିଶାଇ ରାତିରେ ଶୋଇବା ପୂର୍ବରୁ ଏହାକୁ କେଶ ମୂଳରେ ଲଗାନ୍ତୁ । ସକାଳେ ସାମାନ୍ୟ ସାମ୍ପୁ ସହିତ ମୁଣ୍ଡ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇଥର ଏହା କରିବା ଦ୍ୱାରା ରୁପି ଧୀରେ ଧୀରେ ଆପଣଙ୍କ କେଶରୁ ଦୂରେଇ ଯିବ । ଏହି ଉପାୟରେ ଆପଣ ଖରା ଦିନରେ କେଶ ସମସ୍ୟାରୁ ମୁକ୍ତି ପାଇପାରିବ ।

Leave A Reply

Your email address will not be published.