ରାଜସ୍ଥାନରୁ ଚୋରା ଚାଲାଣ କରି ଅଣାଯାଇଥିବା ୧୯ ଓଟ ଜବତ, ୪ ଆନ୍ତଃରାଜ୍ୟ ବେପାରୀ ଗିରଫ

ବିହାରର ଗୋପାଳଗଞ୍ଜରେ ଓଟ ଚୋରା ଚାଲାଣ କରୁଥିବା ଏକ ବଡ଼ ର‍୍ୟାକେଟ୍‌ ଧରାପଡ଼ିଛି । ପୋଲିସ ଏଠାରେ ଚଢ଼ାଉ କରି ରାଜସ୍ଥାନରୁ ଅଣାଯାଇଥିବା ୧୯ ଓଟଙ୍କୁ ଜବତ କରିଛି । ଏହି ଓଟମାନେ ହେଉଛନ୍ତି ରାଜସ୍ଥାନର ବିଲୁପ୍ତ ପ୍ରଜାତିର । ଏମାନଙ୍କୁ କଣ୍ଟେନରରେ ଲଦି ନିଆଯାଉଥିଲା । ଜବତ ଓଟମାନଙ୍କ ମୂଲ୍ୟ ପାଖାପାଖି ୩୦ରୁ ୪୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଏହି ଘଟଣାରେ ପୋଲିସ ୪ ଜଣ ଆନ୍ତଃରାଜ୍ୟ ବେପାରୀଙ୍କୁ ମଧ୍ୟ ଗିରଫ କରିଛି ।

ଡିଏସ୍‌ପି ସନ୍ଦୀପ କୁମାରଙ୍କ ନେତୃତ୍ୱରେ ପୋଲିସ ନଗର ଥାନା ଅଧୀନ ଅରାର୍‌ ମୋଡ ନିକଟରେ ଏହି ଚଢ଼ାଉ କରିଥିଲା । ଗିରଫ ସମସ୍ତ ବେପାରୀ ୟୁପି ଏବଂ ହରିୟାଣାର ବାସିନ୍ଦା । ଗୋପାଳଗଞ୍ଜ ଏସ୍‌ପି ସ୍ୱର୍ଣ୍ଣ ପ୍ରଭାତ କହିଛନ୍ତି ଯେ ଓଟ ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚଲାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏକ କଣ୍ଟେନରରେ ଲଦି ଏହି ଓଟମାନଙ୍କୁ ରାଜସ୍ଥାନରୁ ଅଣାଯାଇଥିଲା । ସେମାନଙ୍କୁ ବିନା ଚାରା, ପାଣିରେ ଅତ୍ୟନ୍ତ କ୍ରୁରତାର ସହ ବିହାରର ମୁଜଫରପୁର ନିଆଯାଉଥିଲା ।

ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣ ଆନ୍ତଃରାଜ୍ୟ ବେପାରୀଙ୍କୁ ଗିରଫ କରିଛି । ସେମାନେ ହେଲେ, ଉତ୍ତର ପ୍ରଦେଶ ମଥୁରା ଜିଲ୍ଲାର ଜୁନୈଦ ଖାନ ଓ ଶାହନଓ୍ଵାଜ ଏବଂ ହରିୟାଣାର ଜୁନୈଦ ଖାନ ଓ ସାହିଲ । ପୋଲିସ ପଚରାଉଚରା କରିବାରୁ ସେମାନେ କହିଥିଲେ କି, ରାଜସ୍ଥାନରୁ ଚୋରା ଚାଲାଣ କରି ସମସ୍ତ ଓଟଙ୍କୁ ମୁଜଫରପୁର ନିଆଯାଉଥିଲା । ସେଠାରୁ ଓଟମାନଙ୍କୁ ଅନ୍ୟ ସହରକୁ ସପ୍ଲାଏ କରାଯିବାର ଯୋଜନା ଥିଲା ।

ପୋଲିସ ୪ ଆନ୍ତଃରାଜ୍ୟ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ପଶୁ କ୍ରୁରତା ନିବାରଣ ଅଧିନିୟମ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମାମଲାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । କହି ରଖୁଛୁ ଯେ ରାଜସ୍ଥାନ ସରକାର ଏହି ଓଟଙ୍କୁ ବିଲୁପ୍ତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.