ମହା ଆଡ଼ମ୍ବରରେ ଚାଲିଛି ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ଭକ୍ତଙ୍କ ଗହଣରେ ହେଉଛି ମା’ଙ୍କ ଘଟ ପରିକ୍ରମା

ଛତ୍ରପୁର(କେନ୍ୟୁଜ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ବାହାଲପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହା ଆଡ଼ମ୍ବର ସହକାରେ ଚାଲିଛି । ଗତ ମେ ମାସ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପାଇଁ ସାରା ଗ୍ରାମ ଚଳଚଞ୍ଚଳ ହୋଇପଡିଥିବା ବେଳେ ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ପ୍ରତି ୫ ବର୍ଷକୁ ଥରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ବାହାଲପୁର ଗ୍ରାମରେ ଚାଲିଛି ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ମା’ଙ୍କ ଯାତ୍ରା ପାଇଁ ସାରା ଗ୍ରାମ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଗ୍ରାମଟି ଆଲୋକମାଳାରେ ସଜା ଯାଇଥିଲା । ପ୍ରତିଦିନ ସକାଳୁ ସକାଳୁ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚନା ପରେ ଭକ୍ତଙ୍କ ଗହଣରେ ମା’ଙ୍କ ଘଟ ଗ୍ରାମ ପରିକ୍ରମା କରିଥାଏ । ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ସହିତ ବିରାଟ ପଟୁଆରରେ ମା’ଙ୍କ ଘଟ ସାହିକୁ ସାହି ପରିକ୍ରମା ହୋଇଥାଏ । ଭକ୍ତଙ୍କ ଘର ସମ୍ମୁଖରେ ମା’ ବିଜେ କରି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରନ୍ତି । ମା’ଙ୍କ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡିଛି ସାରା ଗ୍ରାମ ।

ମାଙ୍କୁ ଦର୍ଶନ କରିବା ଲାଗି ଗ୍ରାମ ଏବଂ ଗ୍ରାମ ବାହାରୁ ବହୁ ଭକ୍ତ ଏଠାକୁ ଛୁଟି ଆସନ୍ତି । ପିଲାଙ୍କ ମନୋରଞ୍ଜନ ପାଇଁ ଗ୍ରାମରେ ରାମଦୋଳି ସମେତ ମୀନା ବଜାର ମଧ୍ୟ ଯାତ୍ରା କମିଟି ପକ୍ଷରୁ ଖୋଲାଯାଇଥିବା ଦେଖିବାକୁ ମିଳିଛି । ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟିରେ ରଖି ଯାତ୍ରା କମିଟି ପକ୍ଷରୁ ସିସି ଟିଭି କ୍ୟାମେରା ର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ମାଙ୍କ ଏହି ଯାତ୍ରା ପାଇଁ ଗ୍ରାମବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ଏବେଠୁ ଘରେ ଘରେ ପିଠାପଣାର ଆସର ଜମିଥିବା ମଧ୍ୟ ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.