ପୁତୁରା ଜୁଈ ଦେଖି ଧୈର୍ଯ୍ୟ ଧରି ପାରିଲେନି, ସ୍ୱର୍ଗଦ୍ୱାରରେ ଟଳି ପଡ଼ିଲେ ବଡ଼ବାପା

ସ୍ୱର୍ଗଦ୍ୱାରରେ ଜଳୁଥିଲା ପୁତୁରାର ଶବ । ପାଖରେ ଛିଡା ହୋଇଥିଲେ ବଡ ବାପା । ଘରର ଭେଣ୍ଡିଆ ପୁଅର ଶବକୁ ସତ୍କାର କରିବାକୁ ଆସିଥିବା ବଡ ବାପା ତାର ମୃତ୍ୟୁକୁ ସହିପାରିଲେନି ।

ପଟ୍ଟାମୁଣ୍ଡାଇ (କେନ୍ୟୁଜ) : ସ୍ୱର୍ଗଦ୍ୱାରରେ ଜଳୁଥିଲା ପୁତୁରାର ଶବ । ପାଖରେ ଛିଡା ହୋଇଥିଲେ ବଡ ବାପା । ଘରର ଭେଣ୍ଡିଆ ପୁଅର ଶବକୁ ସତ୍କାର କରିବାକୁ ଆସିଥିବା ବଡ ବାପା ତାର ମୃତ୍ୟୁକୁ ସହିପାରିଲେନି । ସହଜରେ ଗ୍ରହଣ କରିପାରୁନଥିଲେ ପୁତୁରାର ଏମିତି ଅକସ୍ମାତ ମୃତ୍ୟୁକୁ । ପୁତୁରାର ଶବ ଦାହ କରିବା ବେଳେ ପୁତୁରା ଜୁଈ ଦେଖି ଧୈର୍ଯ୍ୟ ଧରି ପାରିଲେନି, ସ୍ୱର୍ଗଦ୍ୱାରରେ ଟଳି ପଡ଼ିଲେ ବଡ଼ବାପା ।

ହଁ ପୁଅର ଜୁଇ ଦେଖି ନିଜକୁ ସମ୍ଭାଳି ପାରିଲେନି, କେମିତିବା ସମ୍ଭାଳିପାରିବେ । ଛୋଟ ବେଳେ କୋଳେଇ କାଖେଇ ବଡ଼ କରାଇଥିଲେ। ନିଜ ଆଖି ଆଗରେ ବଢ଼ିଥିବା ଦେଖିଥିଲେ। ନିଜ ପୁଅଠାରୁ ଅଧିକ ଭଲ ପାଉଥିଲେ। ହେଲେ ସେହି ପୁତୁରାର ଜୁଈ ଆଜି ଆଖି ଆଗରେ ଜଳୁଥିଲା। ଘରର ଗେହ୍ଲା ପୁଅ ଥିଲେ ରୁଦ୍ର । ସମସ୍ତେ ତାଙ୍କୁ ଭାରି ଭଲ ପାଉଥିଲେ । ରୁଦ୍ର ସବୁଠାରୁ ଖାସ୍‌ ଥିଲେ ବଡ ବାପାଙ୍କର ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଲିଝରୀ ଗାଁର ରୁଦ୍ର ପ୍ରସାଦ ମହାନ୍ତି କୋରାପୁଟରେ ନିଜ ପିଉସୀଙ୍କ ଘରେ ରହୁଥିଲେ। ସେ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଏସି ପଢ଼ୁଥିଲେ। ଗତ ୧୬ ତାରିଖରେ କୋରାପୁଟ-ଜୟପୁରର ଜରଟି ରେଳ ଷ୍ଟେସନ ନିକଟରେ ତାଙ୍କର କ୍ଷତାକ୍ତ ମୃତଦେହ ମିଳିଥିଲା। ସନ୍ଦେହ ଜନକ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଜି ଆର ପି ପକ୍ଷରୁ ଏକ କେଶ 16/23 ରୁଜୁ କରି ତଦନ୍ତ ଜାରି ରହିଥିଲା ପରେ ରୁଦ୍ର ପାଖରେ ଥିବା ମନି ପର୍ସ ରୁ ଏଟିଏମ ରୁ ରୁଦ୍ର ପ୍ରସାଦ ମହାନ୍ତି ବୋଲି ଚିହ୍ନଟ କରାଯାଇଥିଲା ଏହି ଖବର ପାଇବା ପରେ ରୁଦ୍ରଙ୍କ ବାପା ଗଗନ ବିହାରୀ ମହାନ୍ତି, ବଡ଼ବାପା ତ୍ରୈଲୋକ୍ୟ ମହାନ୍ତି ଓ ଦାଦା ଓ ଗାଁର କିଛି ଲୋକ କୋରାପୁଟ୍‌ ଯାଇଥିଲେ।

ବ୍ୟବଚ୍ଛେଦ ପରେ ରୁଦ୍ରଙ୍କ ମୃତଦେହକୁ ଧରି ଆଜି ଭୋରରେ ପୁରୀ ସ୍ୱର୍ଗଦ୍ୱାର ଆସିଥିଲେ ପରିବାର ଲୋକ। କାନ୍ଦ ବୋବାଳି ଭିତରେ ରୁଦ୍ରଙ୍କ ଜୁଇରେ ଅଗ୍ନି ସଂଯୋଗ କରାଯାଇଥିଲା। ନିଜ ଆଖି ଆଗରେ ପୁଅଠୁ ଅଧିକ ଭଲ ପାଉଥିବା ପୁତୁରାର ମୃତଦେହ ଜଳୁଥିବା ଦେଖି ଧୈର୍ଯ୍ୟ ଧରି ପାରିଲେ ନାହିଁ ବଡ଼ବାବା ତ୍ରୈଲୋକ୍ୟ ମହାନ୍ତି। ଗୁମୁରୀ ଗୁମୁରୀ କାନ୍ଦୁଥିଲେ। ଠିକ୍‌ ସେହି ସମୟରେ ହେଲା ହାର୍ଟ ଆଟାକ୍‌। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ମେଡ଼ିକାଲ୍‌ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତର ମୃତ ଘୋଷଣା କରିବା ପରେ ତ୍ରୈଲୋକ୍ୟ ମହାନ୍ତିଙ୍କ ମୃତଦେହକୁ ଧରି ଗାଁକୁ ଫେରିଥିଲେ ପରିବାର ଲୋକ। ଏହି ଖବର ପାଇବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଘର ଅଗଣା। ସତରେ ଭାରି ହୃଦୟ ବିଦାରକ ଥିଲା ଏ ଦୃଶ୍ୟ । ଗାଁ ସାରା ଲୋକ କେହି ବି ସମ୍ଭାଳି ପାରୁନଥିଲେ ନିଜ କୋହ । ସମସ୍ତଙ୍କ ଆଖିରେ ଲୁହ ଜକେଇ ହୋଇ ଆସୁଥିଲା । ଭୋ ଭୋ ହୋଇ କାନ୍ଦୁଥିଲେ ସମସ୍ତେ ।

ଆଗେ ପୁତୁରା ପରେ ବଡ଼ ବାପାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲା ପୂରା ପରିବାର। ସ୍ୱର୍ଗଦ୍ୱାରରେ ପୁତୁରାର ମୃତଦେହ ଜଳିଥିବା ବେଳେ ଗାଁ ଶ୍ମଶାନରେ ଜଳିଛି ବଡ଼ବାପାଙ୍କ ମୃତଦେହ। ଆଉ ସ୍ତବ୍ଦ ହୋଇଯାଇଛି ପୂରା ପରିବାର ଗାଁଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.