Below header

ସମ୍ବଲପୁର ଜୁଜୁମୁରାରେ ବିଶାଳ ‘କାର୍ଯ୍ୟକର୍ତା ସମାବେଶ’: ଜନଜାତି ଯୁବକ ଇସାକ୍ ମୁଣ୍ଡାଙ୍କ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ରେଢ଼ାଖୋଲ(କେନ୍ୟୁଜ୍):  ଭାରତୀୟ ଜନତା ପାର୍ଟିର ପରମ୍ପରାଗତ ଅଂଚଳ ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗରିବ କଲ୍ୟାଣ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରାଯିବ । ଘରେ ଘରେ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ପହଁଚାଯିବ । ଗରିବ, ଚାଷୀ, ମହିଳା, ଯୁବଶକ୍ତି, ଦଳିତ, ବଂଚିତ, ନିଷ୍ପେସିତ ଓ ଜନଜାତିଙ୍କୁ ଏକାଠୀ କରାଯିବ । ମୋଦିଙ୍କ ହାତମୁଠାକୁ ମଜବୁତ୍ କରାଯିବା ସହ ଦୀର୍ଘ ୨୨ ବର୍ଷ ଧରି ଛଳନା କରୁଥିବା ଲୋକଙ୍କ ମୁଖା ଖୋଲାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଜୁଜୁମୁରା ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେବା, ସୁଶାସନ, ଗରିବ କଲ୍ୟାଣର ୮ ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ବିଶାଳ ‘କାର୍ଯ୍ୟକର୍ତା ସମାବେଶ’ରେ ସମ୍ବୋଧିତ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୮ ବର୍ଷ ଧରି ଗରିବ ଲୋକଙ୍କ ସେବା କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ପାଇଁ ପକ୍କା ଘର ନିର୍ମାଣ କରାଯାଇଛି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ଯୋଗାଯାଇଛି । ଜଳ ଜୀବନ ମିଶନରେ ଘରକୁ ପାଇପରେ ପାନୀୟ ଜଳର ସୁବିଧା କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଟଙ୍କିକିଆ ଚାଉଳ ସହ କୋଭିଡ୍ ସମୟରୁ ଏ ପର୍ଯ୍ୟନ୍ତ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ପ୍ରଦାନ କରାଯାଇଛି । ଚାଷୀଙ୍କ ବ୍ୟାଙ୍କ୍ ଖାତାରେ ଟଙ୍କା ପଠାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଉଛି ।

ଅପରପକ୍ଷରେ ଓଡ଼ିଶାରେ ମୋଦି ପଠାଉଥିବା ଟଙ୍କା ବାଟମାରଣା ହେଉଛି । ରାଜ୍ୟରେ ଦୀର୍ଘ ୨୨ ବର୍ଷ ସ୍ଥାଣୁ ସରକାରରେ ଜୁଜୁମୁରାର ଯୁବକ ଯୁବତୀଙ୍କୁ କାମ ମିଳୁନାହିଁ । ରୋଜଗାର ପାଇଁ ଭିଟାମାଟି ଛାଡ଼ିବା ପାଇଁ ପଡ଼ୁଛି । ଗରିବ ଲୋକମାନେ ଲାଂଚ ଦେଲେ କାମ ହେଉଛି । ଲମ୍ବା ସମୟର ଶାସନରେ ଗରିବଙ୍କୁ କ’ଣ ମିଳିଛି ବୋଲି ପ୍ରଶ୍ନ କରିବା ସହ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିବା ଡ଼ରରେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରାନଯିବା ଚିନ୍ତାର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି କରୋନା ସମୟରେ ସମସ୍ତେ ଦୁଃଖ ଓ ଚିନ୍ତାରେ ଥିବା ବେଳେ ସ୍ଥାନୀୟ ଅଂଚଳର ଜନଜାତି ଯୁବକ ଇସାକ୍ ମୁଣ୍ଡା ଟେକ୍ନୋଲୋଜିକୁ ଉପଯୋଗ କରି ନିଜ ଜୀବନକୁ ପରିବର୍ତନ କରିବା ସହ ଆର୍ôଥକ ସମ୍ପନ୍ନ ହୋଇଛନ୍ତି । ଏହା ହେଉଛି, ନୂଆ ଭାରତ, ନୂଆ ଓଡ଼ିଶା ତଥା ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆର ପ୍ରତିଫଳନ । ଏହି ପୃଷ୍ଠଭୂମିରେ ଓଡ଼ିଶା ସମେତ ଚଷାଚାଷୀ ଓ ବୁଣାକାରଙ୍କ ଅଂଚଳ ସମ୍ବଲପୁରର ସମସ୍ତ ଗାଁରେ ହାଇସ୍ପିଡ଼୍ ଇଂଟରନେଟ୍ ପହଁଚାଯିବାର ବ୍ୟବସ୍ଥା କରାଯାଇ ସ୍ଥାନୀୟ ଯୁବକଙ୍କୁ ସଶକ୍ତ କରାଯିବାର ମାର୍ଗ ପ୍ରସ୍ତୁତ ହେବାର କାର୍ଯ୍ୟକ୍ରମ କରାଯିବ ।

ରେଢ଼ାଖୋଲ ଜୁଜୁମୁରାର ମାଟି ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ମାଟି । ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ମହାପୁରୁଷଙ୍କ ଜନ୍ମସ୍ଥାନ । ଆଜିର କାର୍ଯ୍ୟକର୍ତା ସମ୍ମିଳନୀରେ ଟାଣ ଖରାରେ ମଧ୍ୟ ବିପୁଳ ଜନସମାବେଶ ପ୍ରଧାନମନ୍ତ୍ରୀଜୀଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାକୁ ପ୍ରତିଫଳିତ କରୁଅଛି । ଓଡ଼ିଶାରେ ଗାଁ ଗାଁରେ ମୋଦିଙ୍କ ପ୍ରତି ଲୋକପ୍ରିୟତା ବଢ଼ୁଛି । ସମ୍ବଲପୁରବାସୀ ପ୍ରଧାନମନ୍ତ୍ରୀ ଓ ବିଜେପି ପ୍ରତି ଅତୁଟ ବିଶ୍ୱାସ ରଖିଥିବାରୁ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି ।

ଉଲ୍ଲେଖନୀୟ ଯେ, କାର୍ଯ୍ୟକର୍ତା ସମାବେଶ ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଂଗ୍ରେସ ନେତ୍ରୀ ସସ୍ମିତା ଦେହୁରୀ ଓ ଅନ୍ୟ ରାଜନୈତିକ ଦଳର କର୍ମକର୍ତା, ସ୍ୱେଚ୍ଛାସେବୀଙ୍କୁ ଦଳରେ ସ୍ୱାଗତ କରିଥିଲେ । ଏହି ବିଶାଳ ଜନସମାବେଶକୁ ସମ୍ବୋଧିତ କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜୁଜୁମୁରା ଅଂଚଳରେ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

କେନ୍ଦ୍ରମନ୍ତ୍ରୀ ସନ୍ଧ୍ୟାରେ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ପୀଠରେ ଦର୍ଶନ କରିବା ସହ ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା, ବାଲିବନ୍ଧା ଏବଂ ଖେତରାଜପୁରରେ ଆୟୋଜିତ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.