Below header

ନବରଙ୍ଗପୁର : ରାସ୍ତା କଡ଼ରେ ପିପିଇ କିଟ୍‌, ସଂକ୍ରମଣ ଆଶଙ୍କାରେ ଲୋକେ ଭୟଭୀତ

ନବରଙ୍ଗପୁର (କେ ନ୍ୟୁଜ୍‌): କରୋନା ସଂକ୍ରମଣରୁନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ସୁରକ୍ଷା କବଚ ଭାବେ ପ୍ରତ୍ୟେକ କରୋନା ଯୁଦ୍ଧା ବ୍ୟବହାର କରୁଛନ୍ତି ପିପିଇ କିଟ୍ । ତେବେ ଏହି ସବୁ କିଟ୍ ଦୀର୍ଘ କାଳୀନ ବ୍ୟବହାର ପାଇଁ ନୁହେଁ । କାମ ସରିଗଲେ ଏହାକୁ ନିରୋଳା ସ୍ଥାନରେ ପୋତି ଦେବା କିମ୍ବା ନିଆଁରେ ପୋଡି ଦେବା ନିୟମ ରହିଛି । ହେଲେ ନବରଙ୍ଗପୁର ସହରରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ବ୍ୟବହୃତ ହୋଇଥିବା ପିପିଇ କିଟ୍ ନବରଙ୍ଗପୁର ସହରରୁ ରିଜର୍ଭ ବାଟାଲିୟନ୍‌କୁ ଯାଉଥିବା ରାସ୍ତାକଡ଼ର ଏକ ପୋଲ ନିକଟରେ ପଡି ରହିଥିବା ଦେଖିବାକୁ ମିଳିଛି । ଯେହେତୁ ସେହିସ୍ଥାନ ଦେଇ ଲୋକେ ଯାତାୟାତ କରୁଛନ୍ତି ତେଣୁ ତାହାକୁ ନେଇ ଜନସାଧାରଣଙ୍କ ମନରେ ଆଶଙ୍କା ଓ ଭୟ ସୃଷ୍ଟି ହୋଇଛି ।

ଯିବା ଆସିବା ରାସ୍ତାକଡରେ ବ୍ୟବହୃତ ହୋଇଥିବା ପିପିଇ କିଟ୍ ଏଭଳି ଭାବେ ପଡ଼ିଥିବାରୁ ଏହା ବିପଦପୂର୍ଣ୍ଣ ବୋଲି ଲୋକେ କହିଛନ୍ତି । ଯଦି ଏହି ବ୍ୟବହୃତ କିଟ୍‌ର ସଂସ୍ପର୍ଶରେ କେହି ଆସନ୍ତି ତେବେ ସେ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ପ୍ରଶାସନ ତୁରନ୍ତ ଏସବୁ ପିପିଇକୁ ନଷ୍ଟ କରିବାର ଉଚିତ ବ୍ୟବସ୍ଥା କରିବା ସହ ଏଭଳି ଭାବେ ବ୍ୟବହୃତ ପିପିଇ ଫିଙ୍ଗୁଥିବା ଲୋକଙ୍କୁ ତାଗିଦ କରିବାକୁ ଲୋକେ ଦାବି କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.